Advertisment

ଐତିହାସିକ ବାଲିଯାତ୍ରାରେ ହୋଇଛି କି ମାଳ ମାଳ ଦୁର୍ନୀତି ?

ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ବର୍ଷିଲେ ବିରୋଧୀ । ଶାସକ ଦଳ ପକ୍ଷରୁ ବି ଉଠିଲା ତଦନ୍ତ ଦାବି ।

author-image
Satyendu Shekher Mishra
undefined

Balijatra

କଟକ ବାଲିଯାତ୍ରା ସରିବା ପରେ ନାକରେ ବାଜୁଛି ଗନ୍ଧ। ଅଳିଆ ଆବର୍ଜନାର ଗନ୍ଧ ନୁହେଁ, ମହାଦୁର୍ନୀତିର ଗନ୍ଧ । ଐତିହାସିକ ମେଳାରେ ମାଳ ମାଳ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ। ବାଲିଯାତ୍ରା ସରିବାର ୩ ଦିନ ପରେ ବି ପଡ଼ିଆରେ ଆବର୍ଜନା ପଡ଼ି ରହିଥିବା ବେଳେ, ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଶହ ଶହ କଲେଜ ଛାତ୍ରଛାତ୍ରୀ।

Advertisment

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟ ପାଇଁ ନିର୍ଦ୍ଦେଶ ରହିଥିବା କହିଛନ୍ତି ଛାତ୍ରଛାତ୍ରୀଙ୍କୁ ଆଣିଥିବା କଲେଜ ଅଧ୍ୟାପକ। ହେଲେ ଅସଲ କଥା ହେଉଛି, ବାଲିଯାତ୍ରା ପଡ଼ିଆରେ ସଫେଇ କାର୍ଯ୍ୟ ପାଇଁ କଟକ ମହାନଗର ନିଗମ ପକ୍ଷରୁ ୩୪ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଛି। ତା ସତ୍ତ୍ୱେ ନେତା, ବିଧାୟକ ଓ ପୂର୍ବତନ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଅଭିଯାନ କରିବାକୁ ଯାଇ ପିଲାଙ୍କ ହାତରେ ଅଳିଆ ଉଠାଯାଇଥିଲା, ନା ୩୪ ଲକ୍ଷ ଟଙ୍କା ଟେଣ୍ଡର ଧରିଥିବା ସଂସ୍ଥାର ଅଧପନ୍ତରିଆ କାମକୁ ଏମିତି ପୂରା କରାଗଲା, ତାକୁ ନେଇ ଏବେ ପ୍ରଶ୍ନ ।

ଖାଲି ସଫେଇ କାର୍ଯ୍ୟ କାହିଁକି...ବାଉଁଶ ଓ କାଗଜ ବୋର୍ଡରେ ତିଆରି ଅସ୍ଥାୟୀ ତୋରଣରେ କେତେ ଖର୍ଚ୍ଚ ହୋଇଥିବ ? ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । କୁହାଯାଉଛି ଏଥିରେ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ବେଲଭ୍ୟୁ ଛକ ଏବଂ ତେଲେଙ୍ଗାପେଣ୍ଠରେ ୨ଟି ତୋରଣ ପାଇଁ ୩୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଜେପି ଓ କଂଗ୍ରେସ କର୍ପୋରେଟର।

Advertisment

ସେହିପରି ୯୬ ଲକ୍ଷ ଟଙ୍କା ବ୍ୟୟରେ ବାଲିଯାତ୍ରାରେ ଯେଉଁ ଲେଜର ଶୋ' କରାଯାଇଥିଲା, ତାକୁ ଅତି ନିମ୍ନମାନର ବୋଲି ଲୋକେ ଅସନ୍ତୋଷ ପ୍ରକାଶ କରିବାରୁ, ମାତ୍ର ଦୁଇ ଦିନ ପରେ ବନ୍ଦ ହୋଇଗଲା। ଚଳିତ ବର୍ଷ ବାଲିଯାତ୍ରା ପାଇଁ ସିଏମସି ପକ୍ଷରୁ ମୋଟ ସାଢ଼େ ୪ କୋଟି ଟଙ୍କାର ବଜେଟ କରାଯାଇଥିଲା ।

ତେବେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି, କିଏ ଭିଜିଲାନ୍ସ ଦାବି କରୁଛି, ତ ଆଉ କିଏ ସିବିଆଇ ଇନଭେଷ୍ଟିଗେସନ୍।

କେବଳ ବିରୋଧୀ ନୁହଁନ୍ତି, ବାଲିଯାତ୍ରା ଆୟୋଜନରେ ଦୁର୍ନୀତି ଅଭିଯୋଗକୁ ନେଇ ଖୋଦ୍ ଶାସକ ଦଳରେ ବି ଖୋଲାଖୋଲି ପ୍ରକାଶ ପାଇଛି ଅସନ୍ତୋଷ। ଗତକାଲି ବିଜେଡି କର୍ପୋରେଟର ପ୍ରଦୀପ୍ତ କିଶୋର ଖୁଣ୍ଟିଆ ନିଜ ସ୍ୱର ଶାଣିତ କରିଥିବା ବେଳେ, କିଛି ବିଜେଡି ନେତା ଆରଡିସିଙ୍କୁ ଭେଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିବା ସୂଚନା ମିଳିଛି । ଆଉ ଆଜି ଖୋଦ୍ କଟକ ନଗର ବିଜେଡି ସାଧାରଣ ସଂପାଦକ ବି ବାଲିଯାତ୍ରା ବ୍ୟୟର ତୃତୀୟ ପକ୍ଷ ତଦନ୍ତ ଦାବି କରିଛନ୍ତି ।

ସେହିପରି କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ କହିଛନ୍ତି- ସାଧାରଣ ଲୋକ ହିସାବରେ ମୁଁ ଅନୁଭବ କରୁଛି କିଛି ଠିକ୍ ଠାକ୍ ହୋଇନାହିଁ,କିନ୍ତୁ ଶାସକ ଦଳ ନେତା ଭାବେ ମୁଁ ଭାବୁଛି, ମେୟର ସିଏମସି ଭିତରେ ଗଠନ କରିଥିବା ଫ୍ୟାକ୍ଟ ଫାଇଣ୍ଡିଂ ଟିମର ତଦନ୍ତରୁ ସତ ସାମ୍ନାକୁ ଆସିବ। ତେଣେ କଲେଜ ପିଲାଙ୍କ ଦ୍ୱାରା ସଫେଇ ପ୍ରସଙ୍ଗରେ କଟକ ମହାନଗର ନିଗମ ମେୟର ସୁବାସ ସିଂଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Balijatra
Advertisment
Advertisment