• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସ୍ମାର୍ଟସିଟି ରାଉରକେଲାରେ କେମିତି କାବୁ ହେବ କଲେରା । ହଇଜାର କାରଣ ଖୋଜିବା ସହ ନିରାକରଣ ପାଇଁ ଲାଗିପଡ଼ିଛି ବ୍ୟବସ୍ଥା । ସରକାରଙ୍କ ପକ୍ଷରୁ ସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଉଥିଲେ ବି ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସବୁଠୁ ବଡ଼ କଥା ହେଉଛି, ଏଠି ବର୍ଷକ ତଳୁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ସହରବାସୀଙ୍କୁ ପାଣି ଯୋଗା ଯାଉଥିଲା ବେଳେ, ରକ୍ଷଣାବେକ୍ଷଣରେ ଅବ୍ୟବସ୍ଥାରୁ ସରକାରୀ ପାଣି ହିଁ ଏବେ ହଇଜାର ବାହକ ସାଜିଥିବା ଅଭିଯୋଗ ହେଉଛି ।

‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‘ ପାଣି ଏତେ ବିଶୁଦ୍ଧ ଯେ ସିଧା ପାଇପରୁ ନିଅ କିମ୍ବା ମୁହଁ ଲଗେଇ ପିଅ । ହଇଜା ବ୍ୟାପିଥିବା ଷ୍ଟିଲସିଟି ରାଉରକେଲାର ପ୍ରାୟ ସବୁ ୱାର୍ଡ ଆଉ କଲୋନିରେ ବର୍ଷକ ତଳୁ ଆରମ୍ଭ ହୋଇଯାଇଛି, କାନକୁ ଶୁଣିବାକୁ ଓ ଆଖିକୁ ଦେଖିବାକୁ ରାଜ୍ୟ ସରକାରଙ୍କ ଏ ସୁନ୍ଦର ଯୋଜନା । ପାଣି ପିଇବା ମୁଦ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ବିଜ୍ଞାପନ ବି ଲାଗିଛି ସହରର ଗଳିକନ୍ଦିରେ । ହେଲେ ଦୁର୍ଭାଗ୍ୟ ସରକାର ଯୋଗାଉଥିବା ଏଇସବୁ ପାଣି ପାଇପ୍ ଏବେ ହଇଜା ବୁଣୁଥିବା ଅଭିଯୋଗ ହେଉଛି ।

ଲୋକଙ୍କ କହିବା ଅନୁଯାୟୀ ଦିନକୁ ମାତ୍ର ଅଧଘଣ୍ଟା ପାଇଁ ପାଇପ୍ ଯୋଗେ ବନ୍ଧମୁଣ୍ଡା ଉତ୍ତମ ବସ୍ତିକୁ ଆସୁଥିବା ପାଣିର, ଏ ଅବସ୍ଥା । ତା ପୁଣି ହଇଜା ବ୍ୟାପିବା ପରେ, ପ୍ରଶାସନର ସବୁ ଫଟା ପାଇପ୍ ମରାମତି ହୋଇଯାଇଥିବାର ବାହାସ୍ପୋଟ ପରେ । କାଶୀପୁର କି ରାଜ୍ୟର ଅନ୍ୟ କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଏ ସହର ସ୍ମାର୍ଟସିଟିର ଜାମା ପିନ୍ଧିଥିବା ସହର । ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍ ସହ ମାତ୍ର ୧୧ ମାସ ତଳେ ହକି ବିଶ୍ୱକପ୍ ଆୟୋଜନ କରିଥିବା ସହର, ରୂପାନ୍ତରିକରଣରେ ଝଲମଲ ସହର ।

ଆଉ ତମାମ ଢୋଲପିଟା ସହରୀ ବିକାଶ ଯୋଜନା ସତ୍ତ୍ୱେ, ଏ ସହର ଏବେ ପାଲଟିଯାଇଛି ହଇଜା ଆକ୍ରାନ୍ତ ସହର । ରାଉରକେଲା ସ୍ୱାସ୍ଥ୍ୟର ଏ ସ୍ଥିତି ପାଇଁ ଆଜି ସ୍ଥାନୀୟ ବିଜେପି ପକ୍ଷରୁ ପାନପୋଷ ଛକ ନିକଟରେ ଥିବା ୱାଟକୋ ଅଫିସ୍ ଘେରାଉ କରାଯାଇଛି । ଆଉ ଏପଟେ ରାଜ୍ୟ ସରକାରଙ୍କୁ ଦାୟୀ କରି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ଧାରଣା ଦେଇଛନ୍ତି ସମାଜସେବୀ ମୁକ୍ତିକାନ୍ତ ମଣ୍ଡଳ ।

ଏପଟେ ହଇଜା ସହରରେ ୧୪ ଜଣଙ୍କ ମୁଣ୍ଡ ନେବା ପରେ ସ୍ଥିତିର ମୁକାବିଲା ପାଇଁ ଗଳଦଘର୍ମ ଉଦ୍ୟମ ଚଳାଇଛି ସରକାରୀ କଳ । କେବଳ ପ୍ରଦୂଷିତ ପିଇବା ପାଣି ନା ଅନ୍ୟ କୌଣସି କାରଣ ପାଇଁ ହଇଜା ବ୍ୟାପିଛି, କାଲି ସ୍ୱାସ୍ଥ୍ୟ ସଚିବଙ୍କ ସମୀକ୍ଷା ପରେ, ଆଜି କଟକ ଏସସିବିର ୪ ଜଣିଆ ଡାକ୍ତରୀ ଟିମ୍ ଏବଂ ଭୁବନେଶ୍ୱର ଆରଏମଆରସିର ଦୁଇ ଜଣିଆ ବୈଜ୍ଞାନିକ ଟିମ୍ ସ୍ଥିତି ଅନୁଧ୍ୟାନ କରିବା ସହ କାରଣ ଖୋଜିଛନ୍ତି । ଉତ୍ତରାଞ୍ଚଳ ଆରଡିସି ମଧ୍ୟ ୱାର୍ଡ ୱାର୍ଡ ବୁଲିଛନ୍ତି ।

ସେପଟେ କାଲି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଉଭୟ ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ସହରରେ ଝାଡ଼ାବାନ୍ତି ବ୍ୟାପିଛି । ଅପରପକ୍ଷେ ଆଜି କେବଳ ଆରଜିଏଚରେ ଆହୁରି ନୂଆ ୨୬ ଆକ୍ରାନ୍ତ ଭର୍ତ୍ତି ହୋଇଥିବାରୁ ସଂକ୍ରମଣରେ କେବେ ବ୍ରେକ୍ ଲାଗୁଛି ତା ଉପରେ ନଜର ।

ଏପଟେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ରାଉରକେଲାରେ ଆଜି ଆଉ ଜଣେ ମହିଳାଙ୍କର ମୃତ୍ୟୁର ଅଭିଯୋଗ ସହ ସଂଖ୍ୟା ୧୪ରେ ପହଞ୍ଚିଛି । ମୃତକଙ୍କ ନାଁ ସାବିତ୍ରୀ ଗିରି ଓ ତାଙ୍କ ଘର ମଧୁସୂଦନ ପାଲିରେ । ସାବିତ୍ରୀଙ୍କ ଝିଅଙ୍କ କହିବା ଅନୁଯାୟୀ, ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ସାବିତ୍ରୀଙ୍କୁ ଗତ ରବିବାର ଆଇଜିଏଚରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି । ହେଲେ ସରକାରୀ ଭାବେ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ସାବିତ୍ରୀଙ୍କ ସ୍ୱାମୀଙ୍କର ବର୍ଷକ ତଳେ ମୃତ୍ୟୁ ହୋଇଥିଲା ବେଳେ, ଝାଡ଼ାବାନ୍ତିରେ ଆଜି ସାବିତ୍ରୀ ଚାଲିଯିବାରୁ ଅନାଥ ହୋଇଯାଇଛନ୍ତି ତାଙ୍କ ତିନି ଝିଅ ।