Advertisment

ଦିଗହରା ସରକାରୀ ପ୍ରକଳ୍ପ,ର-ଠ କାମ କରି ଲକ୍ଷ ଲକ୍ଷ ଟଙ୍କା ହଡପ୍

MCL ଅଧିଗ୍ରହଣ କରିଥିବା ଗାଁରେ ବ୍ଲକ ପ୍ରଶାସନ କରୁଛି ସରକାରୀ ପ୍ରକଳ୍ପ। କରୁଛି ତ କରୁଛି ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ।

author-image
Prangyan Parimita
Jojanara Na Hariloot

Jojanara Na Hariloot

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର ଗୋପାଳପ୍ରସାଦ ଗାଁରେ ଦିଗହରା ସରକାରୀ ପ୍ରକଳ୍ପ। ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍ ବା MCL ଦ୍ୱାରା ସଂପୂର୍ଣ୍ଣ ଗାଁ, ଚାଷ ଜମି ଓ ସଂରକ୍ଷିତ ଜଙ୍ଗଲ ଅଧିଗ୍ରହଣ ହୋଇସାରିଛି। ଅଧିଗ୍ରହଣ କରିବା ପରଠାରୁ ଏମସିଏଲ୍ ଗୋପାଳପ୍ରସାଦ ଗାଁରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ କରୁଛି। କିନ୍ତୁ ଏବେ ଏମସିଲ୍ ଅଧିଗ୍ରହଣ କରିଥିବା ଜାଗାରେ ତାଳଚେର ବ୍ଲକ ପ୍ରଶାସନ କିଛି ବିକାଶମୂଳକ କାର୍ଯ୍ୟ କରୁଛି। ଏମସିଏଲ୍ ଜାଗାରେ ବ୍ଲକ ପ୍ରଶାସନ କରିବା ନିୟମ ନଥିଲେ ମଧ୍ୟ ସରକାରୀ ପ୍ରକଳ୍ପକୁ ର-ଠ ଭାବେ କରି ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ଗୋପାଳପ୍ରସାଦ ଗ୍ରାମବାସୀ।

Advertisment

ତାଳଚେର ବ୍ଲକର ଗୋପାଳପ୍ରସାଦ ଗାଁକୁ ୧୯୯୬ ମସିହାରୁ ତିନୋଟି ପର୍ଯ୍ୟାୟରେ ଅଧିଗ୍ରହଣ କରିଛି ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍ ବା ଏମସିଏଲ୍। ସେବେଠାରୁ ଗାଁରେ ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଲେ ସମ୍ପୂର୍ଣ୍ଣ ଦାୟିତ୍ୱ ବହନ କରିଥାଏ ଏମସିଏଲ୍। ତେବେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଏହି ଗାଁରେ ବିଭିନ୍ନ ସରକାରୀ ପ୍ରକଳ୍ପ କରୁଛି ତାଳଚେର ବ୍ଲକ ପ୍ରଶାସନ। ଗୋପାଳପ୍ରସାଦ ଗାଁରେ ଥିବା ଜଗନ୍ନାଥ ମନ୍ଦିର ପାଇଁ ପାଚେରୀ ନିର୍ମାଣ କରିବାକୁ ବ୍ଲକ ପକ୍ଷରୁ କାର୍ଯ୍ୟାଦେଶ ଆସିଥିଲା। ହେଲେ ଏମିତି ପାଚେରିଟି ହୋଇଛି ଯେ, କାନ୍ଥରେ ବଡ଼ ବଡ଼ ଫାଟ ସୃଷ୍ଟି ହେଲାଣି। ବିଭିନ୍ନ ଜାଗାରୁ ବାଲି, ସିମେଣ୍ଟ ଆଦି ଝଡ଼ୁଛି।

ଏପରିକି କେତେ ଟଙ୍କାର ପ୍ରକଳ୍ପ, କାମର ଆରମ୍ଭ ଓ ଶେଷ ତାରିଖ ସେ ବାବଦରେ ସୂଚନା ଫଳକ ମଧ୍ୟ ନାହିଁ। ଅନୁରୂପ ଭାବେ ଗୋପାଳପ୍ରସାଦ ଗାଁରେ ରହିଛି ଏକ ସାପ୍ତାହିକ ହାଟ। ହାଟଟିର ଅବସ୍ଥା ଖରାପ ହୋଇଯାଇଥିବା ବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ତାଳଚେର ବ୍ଲକ ପକ୍ଷରୁ ବାହାରିଥିଲା ୱାର୍କ ଅର୍ଡର। ହେଲେ ହାଟ ଭିତରେ ବ୍ୟବସାୟୀ ମାନଙ୍କ ପାଇଁ ହୋଇଥିବା ପିଣ୍ଡି ଗୁଡିକ ଅତି ନିମ୍ନମାନର ହୋଇଛି।

Advertisment

କେଉଁଠି ବାଲି ଝଡ଼ି ପଡୁଛି ତ କେଉଁଠି ସିମେଣ୍ଟର ଦେଖା ନାହିଁ। ଇଟାକୁ ଖାଲି ଥାକ ଥାକ କରି ଉପରକୁ ଉପର ଥୁଆ ହେବା ଭଳି ରଖାଯାଇଛି। ତେଣୁ କେବଳ ଠିକାଦାର ପୋଷିବା ପାଇଁ ବ୍ଲକ ପ୍ରଶାସନ ଏପରି ମନଇଚ୍ଛା କାମ କରୁଥିବା ଅଭିଯୋଗ ହୋଇଛି।

ଏମସିଏଲ୍ ଅଧିଗ୍ରହଣ କରିଥିବା ସ୍ଥାନରେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ନିର୍ମାଣ କାର୍ଯ୍ୟ କରିବା ବାରଣ। କିନ୍ତୁ ବ୍ଲକ ପ୍ରଶାସନ କାର୍ଯ୍ୟାଦେଶ ବାହାର କରି କାମ କରୁଛି, କିନ୍ତୁ କେବଳ ଧର୍ମକୁ ଆଖି ଠାର୍ ଭଳି ର-ଠ କାମ କରି ଲକ୍ଷ ଲକ୍ଷ ଟଙ୍କା ହଡପ୍ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏମସିଏଲ୍ ଦ୍ୱାରା ନିର୍ମିତ ହୋଇଥିବା ପିଚୁ ରାସ୍ତା ଉପରେ ୩-୪ ଟ୍ରିପ୍ ମେଣ୍ଟାଲ ଓ ୧୦-୧୫ ଟ୍ରିମ୍ ମୋରମ୍ ପକାଇ ଚଞ୍ଚକତା କରି ବିଲ୍ ହାତେଇ ନେଇଥିବା ଅଭିଯୋଗ ଆସିଛି।

ଗୋପାଳପ୍ରସାଦ ଗାଁ ମେଡିକାଲକୁ ଲାଗିଥିବା ଏକ ଏମସିଏଲ୍ ଅଧିଗ୍ରହଣ ଜାଗାରେ ବ୍ଲକ ପକ୍ଷରୁ କିଛି ଦୋକାନ ଘର ନିର୍ମାଣ ଲାଗି ନିଅଁ ଖୋଳା ସରିଛି। ମେଡିକାଲ ଭିତରେ କୌଣସି ଆବଶ୍ୟକତା ନଥିବା ସତ୍ତ୍ୱେ ଜିଲ୍ଲା ପରିଷଦ ପାଣ୍ଠିରୁ ୮ ଲକ୍ଷ ଟଙ୍କା ବ୍ୟୟରେ ଏକ ଘର ନିର୍ମାଣ କରାଯାଇଛି, ଯାହା ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି।

ତାଳଚେର ବ୍ଲକର ଜେଇ ରବୀନ୍ଦ୍ର ନାଥ ଟୁଡୁ କେବେବି ନିର୍ମାଣ କାର୍ଯ୍ୟସ୍ଥଳୀକୁ ଆସୁନଥିବାରୁ ଏମିତି ନିମ୍ନମାନର କାର୍ଯ୍ୟ ହେଉଥିବା ଲୋକେ କହିଛନ୍ତି। ଏ ସମ୍ପର୍କରେ ଜେଇଙ୍କୁ ପଚାରିବାରୁ ସେ ହଡବଡେଇ ଯିବା ସହ କିଛି କହିବେ ନାହିଁ ବୋଲି କହିଥିଲେ।

ବ୍ଲକ ପକ୍ଷରୁ ହେଉଥିବା ବିଭିନ୍ନ ଦୁର୍ନୀତି ନେଇ ଗ୍ରାମବାସୀ ତାଳଚେର ଉପଜିଲ୍ଲାପାଳ ଓ ଅନୁଗୁଳ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲେ। କିଛି ସୁଫଳ ନମିଳିବାରୁ ଦୁର୍ନୀତିର ପର୍ଦ୍ଦାଫାସ୍ କରୁଥିବା ଓଟିଭିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଜନାର ନାଁ ହରିଲୁଟକୁ ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି। ଲୋକଙ୍କ ଅଭିଯୋଗ, ବ୍ଲକ ପ୍ରଶାସନ ବିକାଶ ମୂଳକ କାର୍ଯ୍ୟ କଲେ ଆପତ୍ତି ନାହିଁ, କିନ୍ତୁ ଭଲ କାମ କରୁ।

ଗୋପାଳପ୍ରସାଦ ଗାଁକୁ ଏମସିଏଲ୍ ଯଦି ଅଧିଗ୍ରହଣ କରିଛି ତେବେ କେଉଁ ଆଧାରରେ ବ୍ଲକ କର୍ତ୍ତୃପକ୍ଷ ସମସ୍ତ ନିର୍ମାଣ କାର୍ଯ୍ୟ ଏମସିଏଲ୍ ଜାଗାରେ କରୁଛି ? ତାହା ଜାଣିବା ପାଇଁ ଆମ ପ୍ରତିନିଧି ଏମସିଏଲ୍ ପ୍ରକଳ୍ପ ଅଧିକାରୀଙ୍କୁ ପଚାରିଥିଲେ। ସେ ସ୍ପଷ୍ଟ ଭାବେ କହିଛନ୍ତି, ଏମସିଏଲ୍ ଅଧିଗ୍ରହଣ କରିଥିବା ଜାଗାରେ ବ୍ଲକ ପକ୍ଷରୁ କୌଣସି ନିର୍ମାଣ କାର୍ଯ୍ୟ ହେବା ନିୟମ ନୁହେଁ, ଯଦି କରୁଛି ସେଥିପାଇଁ ଅନୁମତି ଦେବା ଦରକାର। ସେପଟେ ସମସ୍ତ ଘଟଣା ସମ୍ପର୍କରେ ତାଳଚେର ବିଡିଓଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି ପ୍ରତିକ୍ରିୟା ଦେବେ ନାହିଁ ବୋଲି କହିଥିଲେ।

ତାଳଚେର ବ୍ଲକରେ ଚାଲିଛି କି ପିସି କାରବାର ? କାହିଁକି ଏମସିଏଲ୍ ଜାଗାରେ କାମ କରୁଛି ବ୍ଲକ ପ୍ରଶାସନ ? ବ୍ଲକରେ ୧୫ ପ୍ରତିଶତ ପିସି ମାଗୁଛନ୍ତି, ନଦେଲେ ବିଲ୍ କରିବେ ନାହିଁ ବୋଲି ୨ ମାସ ତଳେ କିଛି ଠିକାଦାର ଅଭିଯୋଗ କରିଥିଲେ, ବ୍ଲକ ଅଫିସରେ ପାଟିତୁଣ୍ଡ କରିଥିଲେ।

Jojanara Na Hariloot
Advertisment
Advertisment