• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁନି ଝିଅ ହାତରୁ ଗୋଲାପ ନେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ କୁନି ଝିଅ ହାତରୁ ଗୋଲାପ ଫୁଲ ଗ୍ରହଣ କରିଛନ୍ତି । ଲିଙ୍ଗରାଜ ମନ୍ଦିର ଭିତରକୁ ଯିବା ପୂର୍ବରୁ ରାଷ୍ଟ୍ରପତି ପ୍ରଥମେ ବିନ୍ଦୁ ସାଗର ଯାଇ ସେଠାରେ ପାଦ ଧୋଇଥିଲେ । ବିନ୍ଦୁ ସାଗରରୁ ଲିଙ୍ଗରାଜ ମନ୍ଦିରକୁ ଚାଲିଚାଲି ଯିବା ବେଳେ ରାଷ୍ଟ୍ରପତି ସେହି ରାସ୍ତାରେ ଜଣେ କୁନି ଝିଅ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ ।

ପରେ ହଠାତ୍ ସେ କୁନି ଝିଅ ନିକଟକୁ ଯାଇଥିଲେ ଏବଂ ଝିଅଟି ସହ କଥା ହୋଇଥିଲେ । ଏହି ଅବସରରେ କୁନି ଝିଅଟି ରାଷ୍ଟ୍ରପତିଙ୍କୁ ଏକ ଗୋଲାପ ଦେଇଥିଲା । ଆଉ ରାଷ୍ଟ୍ରପତି ମଧ୍ୟ ଗୋଲାପ ଫୁଲକୁ ଅତି ଉତ୍ସାହର ସହ ଗ୍ରହଣ କରିଥିଲେ। ରାଷ୍ଟ୍ରପତିଙ୍କୁ ଅତି ନିକଟରୁ ଦେଖି, ରାଷ୍ଟ୍ରପତିଙ୍କ ସହ କଥା ହୋଇ କୁନି ଝିଅଟି ଯେତିକି ଖୁସି ହୋଇଥିଲା, ରାଷ୍ଟ୍ରପତି ମଧ୍ୟ କୁନି ଝିଅଟିକୁ ଦେଖି ସେତିକି ଖୁସି ହୋଇଥିଲେ । ଖାଲି ଏହି କୁନି ଝିଅ ନୁହେଁ, ବିନ୍ଦୁସାଗରରୁ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଚାଲିଚାଲି ଯିବା ବେଳେ ରାଷ୍ଟ୍ରପତି ଆଉ କିଛି କୁନି କୁନି ପିଲାଙ୍କ ସହ କଥା ହୋଇଥିଲେ । ସେମାନଙ୍କ ନାଁ ପଚାରିବା ସହ କେଉଁ ଶ୍ରେଣୀରେ ପଢୁଛନ୍ତି ପଚାରିଥିଲେ।

ଅନ୍ୟପଟେ ଲିଙ୍ଗରାଜ ମନ୍ଦିରରୁ ଦର୍ଶନ ସାରି ଫେରିବା ବେଳେ ବଡ଼ୁ ନିଯୋଗ ଖାତାରେ ନିଜର ଅନୁଭୂତି ବଖାଣିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶାନ୍ତ ଓ ସ୍ନିଗ୍ଧ ପରିବେଶ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରି ଦିବ୍ୟ ଆନନ୍ଦ ଲାଭ କରିଛି । ଦେଶବାସୀଙ୍କ ସୁଖ ସମୃଦ୍ଧି ତଥା ବିଶ୍ୱ କଲ୍ୟାଣ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ବଡୁ ନିଯୋଗ ଖାତାରେ ଲେଖିଛନ୍ତି ରାଷ୍ଟ୍ରପତି । 

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦ୍ୱିତୀୟ ଦିନରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ରାଜଭବନରୁ କଡ଼ା ସୁରକ୍ଷା ଭିତରେ ସ୍ୱତନ୍ତ୍ର କାର୍ କେଡ୍ ଯୋଗେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ପହଞ୍ଚିଥିଲେ । ପ୍ରଥମେ ବିନ୍ଦୁ ସାଗର ପୁଷ୍କରିଣୀ ଯିବା ପରେ ଲିଙ୍ଗରାଜ ମନ୍ଦିର ଭିତରେ ପ୍ରବେଶ କରିଥିଲେ । ମନ୍ଦିର ଭିତରେ କଡ଼ା ସୁରକ୍ଷା ଭିତରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି ।

 

ଅନ୍ୟପଟେ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ ବେଳେ ମନ୍ଦିର ପରିସରରେ ସେବାୟତଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ହାତରେ ରାଷ୍ଟ୍ରପତି ସେବାୟତମାନଙ୍କ କାନ୍ଧରେ ଉତ୍ତରୀୟ ପକାଇଥିଲେ । ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ପରେ ଖୋର୍ଦ୍ଧା ଜିଲ୍ଲାପାଳ ରାଷ୍ଟ୍ରପତିଙ୍କୁ ଶ୍ରୀ ଲିଙ୍ଗରାଜଙ୍କ ଏକ ଫଟୋ ସହ କୋରାଖଇ ପ୍ରଦାନ କରିଥିଲେ । ଏହା ପରେ ରାଷ୍ଟ୍ରପତି ସେବାୟତମାନଙ୍କୁ ଉତ୍ତରୀୟ ପ୍ରଦାନ କରିଥିଲେ । ମହାପ୍ରଭୁଙ୍କର ପ୍ରଥମ ବଲ୍ଲଭ ଭୋଗ କୋରାଖଇ । ଏହାକୁ ମହାପ୍ରଭୁଙ୍କ ନିକଟରେ ପ୍ରତିଦିନ ଲାଗି କରାଯାଇଥାଏ । ବିଷୋୟୀ ସେବାୟତ ନିଜ ହାତରେ ଏହି କୋରାଖଇ ପ୍ରସ୍ତୁତ କରିଥାନ୍ତି ।