• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନିଆରା ବିବାହର ଭିନ୍ନ ଏକ କାହାଣୀ । ଯେଉଁଠି ୬୩ ବର୍ଷର ବରକୁ ୬୫ ବର୍ଷିୟା କନିଆ । ବୟସର ଅପରାହ୍ନରେ ସାତ ଜନ୍ମର ସାଥୀ ସାଜିଛନ୍ତି ଉଭୟେ । ଦୂରାରୋଗ୍ୟର ଶୀକାର ହୋଇଥିଲେ ବୋଲି କିଏ ପରିବାର ଠାରୁ ତ ଆଉ କିଏ ପୁଅ, ବୋହୁ ଠାରୁ ହତାଦର ହୋଇ କୁଷ୍ଠାଶ୍ରମରେ ରହୁଥିଲେ । କିନ୍ତୁ ଆଜି ରୋଗମୁକ୍ତ ପରେ ପରିଣତ ବୟସରେ ନୂଆ ଜୀବନ ଆରମ୍ଭ କରିଛନ୍ତି ଉଭୟେ । 

ମଥାରେ ଟିପି ଟିପି ଚନ୍ଦନ, କୁଙ୍କୁମ ଆଉ ପାଦରେ ଅଳତା..ଝଟକୁଛନ୍ତି ନୂଆ କନିଆ..ନୂଆ ଧୋତି ଜାମା ସହ ମୁଣ୍ଡରେ ମୁକୁଟ ପିନ୍ଧି ବର ବି ହସ ହସ । ତାହାରି ଭିତରେ ବାଜୁଛି ଶଙ୍ଖ, ଶୁଭୁଛି ହୁଳହୁଳି । ବାସ୍ ତା’ପରେ ମହାପ୍ରଭୁ ଜଗନ୍ନାଥଙ୍କୁ ସାକ୍ଷୀ ରଖି କଳସକୁ ସାତ ଘେରା ବୁଲିଛନ୍ତି ବର କନିଆ । ନିମନ୍ତ୍ରିତ ଅତିଥିଙ୍କ ଗହଣରେ ଏବଂ ବ୍ରାହ୍ମଣଙ୍କ ମନ୍ତ୍ରପାଠ ଭିତରେ ବେକରେ ମାଳ ପକାଇ ପରସ୍ପରକୁ ବରଣ କରିଛନ୍ତି ଆଜୀବନ । ସଂକଳ୍ପ ନେଇଛନ୍ତି ସାତ ଜନ୍ମର ସାଥୀ ହେବା ପାଇଁ ।

ଅତୀତକୁ ଭୁଲି ନୂଆ ଜୀବନ ଆରମ୍ଭ କରିବା ପାଇଁ ବନିଛନ୍ତି ନୂଆ ବାଟର ବାଟୋଇ । ସିଏ ହେଉଛନ୍ତି ୬୩ ବର୍ଷିୟ ବର ଦାସ ମାରାଣ୍ଡି ଏବଂ ଏ ହେଲେ ୬୫ ବର୍ଷିୟା କନିଆ ପଦ୍ମାବତୀ ଦାସ । ଦୀର୍ଘଦିନ ଧରି ବାଲେଶ୍ୱରର କୁଷ୍ଠାଶ୍ରମରେ ରହିବା ସହ ରୋଗମୁକ୍ତ ହେବା ପରେ ଆଜି ଉଭୟେ ପତି, ପତ୍ନୀ ବନିଛନ୍ତି । ଜୀବନରେ ଯେଉଁ ଝଡ଼ଝଞ୍ଜା ବହି ଯାଇଛି, ତାକୁ ପାସୋରି ଉଭୟ ଏବେ ନିଷ୍ପତ୍ତି ନେଇଛନ୍ତି ବଳକା ଆୟୁଷ ଭିତରେ ପରସ୍ପରର ସୁଖଦୁଃଖର ସାଥୀ ହୋଇ ଚଳିବା ପାଇଁ ।

ବାଲେଶ୍ୱର ସଦର ବ୍ଲକ ସାର୍ଥା ଅଞ୍ଚଳର ଦାସ ମାରାଣ୍ଡି ଏବଂ ବାଲେଶ୍ୱର ଔପଦା ବ୍ଲକ ଯୋଡ଼ା ଗଡ଼ିଆ ଗାଁର ପଦ୍ମାବତୀ । ଆଜିକୁ ୧୦ ବର୍ଷ ହେଲା ବାମାପଦା କୁଷ୍ଠାଶ୍ରମରେ ପଦ୍ମାବତୀ ରହୁଥିବାବେଳେ ୩ ବର୍ଷ ହେଲା ଦାସ ମାରାଣ୍ଡି ବି ଚିକିତ୍ସିତ ହେଉଥିଲେ । ଏମାନଙ୍କର ଯେ କେହି ଲୋକବାକ ନାହାଁନ୍ତି ତା’ ନୁହଁ । ପଦ୍ମାବତୀ ବିବାହିତା ଏବଂ ସେ ୨ ପୁଅ ଏବଂ ଗୋଟିଏ ଝିଅର ମାଆ । ସ୍ୱାମୀ ଚାଲିଗଲା ପରେ ଏବଂ ନିଜେ ରୋଗାଗ୍ରସ୍ତ ହେବା ପରେ ନାନା ହତାଦର ହେବାକୁ ପଡ଼ିଥିଲା ବୋଲି କହିଛନ୍ତି ପଦ୍ମାବତୀ ।

ଶେଷରେ ତାଡ଼ନା ସହିନପାରି ଚାଲିଆସିଲେ ଏହି କୁଷ୍ଠାଶ୍ରମକୁ । ଦାସ ମାରାଣ୍ଡି ଅବିବାହିତ ଥିଲେ ହେଁ ତାଙ୍କର ବି ସମ୍ପର୍କିୟ ଅଛନ୍ତି । କିନ୍ତୁ ରୋଗ ପାଇଁ ଏବଂ ରୋଗରୁ ମୁକ୍ତ ହେବା ପରେ ବି ନାନା ଛି ଛାକର ହେବାକୁ ପଡ଼ିଲା ବୋଲି ମାରାଣ୍ଡି ଚାଲିଆସିଥିଲେ ଆଶ୍ରମକୁ । ଆଉ କୁଷ୍ଠାଶ୍ରମର ରହଣୀ ଭିତରେ ପଦ୍ମାବତୀ ଓ ଦାସ ମାରାଣ୍ଡିଙ୍କ ମଧ୍ୟରେ ଯୋଡ଼ିହେଲା ନିବିଡ଼ ସଂପର୍କ । ଶେଷରେ ନିଷ୍ପତ୍ତି ନେଇଥିଲେ ବିବାହ କରି ବଳକା ଜୀବନ କାଟିନେବେ । ଶେଷରେ ଉଭୟଙ୍କ ନିଷ୍ପତ୍ତିରେ ସହମତି ପ୍ରକାଶ କରି ସ୍ୱାସ୍ଥ୍ୟ ବିଭାଗର ମଧ୍ୟସ୍ଥତାରେ ଅନୁଷ୍ଠାନ ପକ୍ଷରୁ ବୈଦିକ ରୀତିନୀତି କ୍ରମେ ବିବାହ କରିଦିଆଯାଇଛି ।

ଆଜି ରୋଗମୁକ୍ତ, ଚିନ୍ତାମୁକ୍ତ ପଦ୍ମାବତୀ ଓ ଦାସ ମାରାଣ୍ଡି । ଏବେ ନା ପଛକୁ ଚାହିଁବାକୁ ପଡ଼ିବ, ନା ଧନ୍ଧି ହେବାକୁ ପଡ଼ିବ ଯନ୍ତ୍ରଣାଦାୟକ ଅତୀତକୁ । ଆଜି କୁଷ୍ଠାଶ୍ରମ କେବଳ ନୂଆ ଜୀବନସାଥୀଟିଏ ଜୁଟେଇଦେଲାନି, ବରଂ ବଳକା ଜୀବନ ଜୀଇଁବା ପାଇଁ ନୂଆ ଦିଶାଟିଏ ବି ଦେଖାଇଦେଲା ।

  • Reported by:
  • RASHMIRANJAN DAS