• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା । ଦିଲ୍ଲୀ ଲୋଧି ରୋଡରେ ଥିବା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ଆଜି ସମ୍ପନ୍ନ ହୋଇଛି । ମୁଖାଗ୍ନି ଦେଇଛନ୍ତି ଗୀତାଙ୍କ ପୁଅ ଆଦିତ୍ୟ ସିଂ ମେହେଟ୍ଟା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଶ୍ମଶାନରେ ଉପସ୍ଥିତ ଥିଲେ ସାନଭାଇ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବଡ଼ ଭାଇ ପ୍ରେମ ପଟ୍ଟନାୟକ ଓ ଅନ୍ୟ ଆତ୍ମୀୟ ସ୍ୱଜନ।

ଏଥିସହ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେଡି ନେତା ଅନନ୍ତ ଉଦୟ ସିଂଦେଓ, ସାଂସଦ ପିନାକୀ ମିଶ୍ରଙ୍କ ସମେତ ବିଜେଡିର ଅନ୍ୟ ସାଂସଦ ଓ ନେତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଜି ସକାଳୁ ସକାଳୁ ଦିଲ୍ଲୀରେ ଅବଦୁଲ କଲାମ ରୋଡରେ ଥିବା ପୈତୃକ ବାସଭବନରୁ ଗୀତା ମେହେଟାଙ୍କ ପାର୍ଥିବ ଶରୀରକୁ ଲୋଧି ରୋଡ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଛି ।

ଗୀତା ମେହଟ୍ଟାଙ୍କ ସମ୍ପର୍କରେ...

ପ୍ରବାଦ ପୁରୁଷ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଗୀତା ମେହଟ୍ଟା । ୧୯୪୩ରେ ଜନ୍ମିତ ଗୀତା କେମ୍ବ୍ରିଜ୍ ଯାଇଥିଲେ ଉଚ୍ଚଶିକ୍ଷା ପାଇଁ । ୧୯୭୦ରେ ଆମେରିକୀୟ ଟେଲିଭିଜନ ଚ୍ୟାନେଲ NBC ପାଇଁ ଯୁଦ୍ଧ ରିପୋର୍ଟିଂ କରି ବେଶ ପ୍ରଶଂସା ସାଉଁଟିଥିଲେ । ଆମେରିକା, ୟୁରୋପ, ଇଂଲଣ୍ଡର ବିଭିନ୍ନ ଟେଲିଭିଜନ୍ ନେଟୱର୍କ ପାଇଁ ବି ନିର୍ମାଣ କରିଥିଲେ ୧୪ଟି ଟିଭି ଡକ୍ୟୁମେଣ୍ଟାରୀ ।

ବାଂଲାଦେଶ ବିପ୍ଲବକୁ ନେଇ ତାଙ୍କ ଦ୍ୱାରା ନିର୍ମିତ ଡକ୍ୟୁମେଣ୍ଟାରୀ ଡେଟଲାଇନ୍ ବାଂଲାଦେଶ ବେଶ ଚର୍ଚ୍ଚିତ ହୋଇଥିଲା ଦେଶ ବିଦେଶରେ । କେବଳ ଏତିକି ନୁହେଁ ତାଙ୍କ ଦ୍ୱାରା ଲିଖିତ କର୍ମକୋଲା: ମାର୍କେଟିଂ ଦ ମିଷ୍ଟିକ୍ ଇଷ୍ଟ, ଏ ରିଭର୍ ସୂତ୍ର, ମାଉଣ୍ଟେନ ସୂତ୍ର, ସ୍ନେକ୍ସ ଆଣ୍ଡ୍ ଲ୍ୟାଡର୍ସ, ଇଟର୍ନାଲ୍ ଗଣେଶ ଆଦି ବହୁ ପୁସ୍ତକ ବି ଆଦୃତ ଲାଭ କରିଛି ବିଶ୍ୱବ୍ୟାପୀ ।

ପ୍ରସିଦ୍ଧ ଭାରତୀୟ-ଆମେରିକୀୟ ଲେଖିକା ଗୀତା ୧୯୬୫ରେ ସୁପ୍ରତିଷ୍ଠିତ ସାମ୍ବାଦିକ ତଥା ପ୍ରକାଶକ ସୋନି ମେହଟ୍ଟାଙ୍କୁ ବିବାହ କରିଥିଲେ । ଯାହାଙ୍କ ଦେହାନ୍ତ ଘଠିଥିଲା ୨୦୧୯ରେ । ଆଦିତ୍ୟ ସିଂ ମେହଟା ତାଙ୍କର ଏକମାତ୍ର ପୁଅ, ଯିଏ ରୁହନ୍ତି ବିଦେଶରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବେଶ୍ ନିକଟତର ଥିଲେ ଗୀତା । କୁହାଯାଏ, ରାଜନୀତି ସହ ପ୍ରତ୍ୟକ୍ଷ ସଂପୃକ୍ତି ନଥିଲେ ବି ନବୀନଙ୍କ ରାଜନୈତିକ କ୍ଷେତ୍ରରେ ଓ ଦଳଗତ ନିଷ୍ପତ୍ତି ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ ଗୀତା । 

୨୦୧୯ରେ ପଦ୍ମ ପୁରସ୍କାରକୁ ବିନମ୍ରତାର ସହ ପ୍ରତ୍ୟଖାନ କରି ଗୀତା ଚର୍ଚ୍ଚାକୁ ଆସିଥିଲେ । ସେହି ସମୟରେ ନିର୍ବାଚନ ଥିବାରୁ ଭୁଲ ବାର୍ତ୍ତା ଯିବାର ଆଶଙ୍କା କରି ପଦ୍ମ ପୁରସ୍କାରକୁ ସେ ଗ୍ରହଣ କରିନଥିଲେ ।