• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜୟପୁର ରାଜ ପରିବାରର ଶେଷ ରାଣୀ ରାଜମାତା ରମା କୁମାରୀ ଦେବୀ । ୯୦ବର୍ଷ ବୟସରେ ଜୟପୁରସ୍ଥିତ ମୋତି ପ୍ୟାଲେସରେ ରାଣୀଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ବାର୍ଦ୍ଧକ୍ୟଜନିତ କାରଣରୁ ମହଲରେ ହିଁ ତାଙ୍କ ଚିକିତ୍ସା କରାଯାଉଥିଲା । ହେଲେ ଗତକାଲି ରାତିରେ ପରଲୋକ ଘଟିଥିଲା । ରାଜାମାତାଙ୍କର ସକାଳୁ ରାଣୀ ମାଆଙ୍କ ମୃତ୍ୟୁ ଖବର ପାଇ ରାଜ ପ୍ରାସାଦରେ ପହଁଚିଥିଲେ ଶତାଧିକ ଲୋକ । ଦୁଇ ବୋହୂ, ନାତି, ନାତୁଣୀ ଆସିବା ପରେ ମୋତି ମହଲରୁ ଉଠିଥିଲା କୋକେଇ ।

ରାଣୀଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ ଆଖ ପାଖ ଗାଁର ଶତାଧିକ ପ୍ରଜାତୁଲ୍ୟ ଜନତା । ପରେ ସହରର ଚନ୍ଦନବାଡ ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରାରେ ହୋଇଛି ଶେଷକୃତ୍ୟ । ରାଜା ରାମକୃଷ୍ଣ ଦେଓଙ୍କ ଉତ୍ତରାଧିକାରୀ ଥିଲେ ବି ଏକପ୍ରକାର ଲୋପ ପାଇଛି ରାଜ ପରଂପରା ।

୨୨ ଡିସେମ୍ବର ୧୯୩୩ । ମଧ୍ୟପ୍ରଦେଶର ଏକ ରାଜ ପରିବାରରେ ଜନ୍ମ ହୋଇଥିଲେ ରମା କୁମାରୀ ଦେବୀ । ୧୯୫୮ ଫେବ୍ରୁଆରୀରେ ରାଜା ରାମକୃଷ୍ଣ ଦେବଙ୍କୁ ବିବାହ କରି ଆସିଥିଲେ ଜୟପୁରର ମୋତି ପ୍ୟାଲେସକୁ । ଦେଖିବାକୁ ଯେତିକି ସୁନ୍ଦର ସେତିକି ଚତୁର ଆଉ ଚଂଚଳ । ଚାରି ପାଂଚଟି ଭାଷା କହିପାରିବା ସହ ଲେଖି ପାରୁଥିଲେ । ୧୯୬୭ରୁ ୭୨ ଯାଏଁ ସେ ଥିଲେ ତତ୍କାଳୀନ ଆନ୍ଧ୍ରପ୍ରଦେଶ ମଡଗୁଲର ବିଧାୟିକା । ୧୯୫୬ରେ ଜୟପୁର ରାଜା ବିକ୍ରମ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପୌଷ୍ୟ ପୁତ୍ର ରାମକୃଷ୍ଣ ଦେବ ସମ୍ଭାଳିଥିଲେ ରାଜଗାଦି । ରାଜା ରାମକୃଷ୍ଣ ଦେବ ଓ ରାଣୀ ରମା କୁମାରୀଙ୍କ ଦୁଇ ପୁଅ । ବଡ ପୁଅ ଶକ୍ତି ବିକ୍ରମ ଦେବ ବିବାହ କରିଛନ୍ତି ମୟଙ୍କା ଦେବୀଙ୍କୁ । ସାନପୁଅ ବିଭୂତି ଭୂଷଣ ସିଂଦେବ ବାହା ହୋଇଛନ୍ତି ସାରିକା ଦେବୀଙ୍କୁ । ୧୦ ମାର୍ଚ୍ଚ ୨୦୦୬ରେ ରାଜା ରାମକୃଷ୍ଣ ଦେବଙ୍କ ମୃତ୍ୟୁ ପରେ ଦୁଇ ପୁଅ ବି ଆରପାରିରେ । ଏବେ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ରାଜମାତା ।

ଏବେ ଜୟପୁରରେ ରାଜତନ୍ତ୍ର ସିନା ନାହିଁ ହେଲେ ରହିଛି ରାଜା ଓ ପ୍ରଜାଙ୍କ ମଧ୍ୟରେ ଭାବଗତ ସମ୍ପର୍କ । ଦୁଇ ଦିନ ତଳେ ଜୟପୁରର ସଲପା ଗାଁରେ ଦେଖିବାକୁ ମିଳିଥିଲା ଏହାର ଏକ ଝଲକ । ରାଜକୀୟ ପରମ୍ପରାରେ ଯୁବରାଜ ବିଶ୍ୱେଶ୍ୱର ଚନ୍ଦ୍ରଚୂଡ ଦେବଙ୍କୁ ସ୍ୱାଗତ କରିଥିଲେ ଜୟପୁର ଜନତା । ବିଛାଇ ହୋଇଥିଲା ଶାଢିର ରାସ୍ତା, ସଜାଇ ହୋଇଥିଲା କୁମ୍ଭ କଳସ ଶଙ୍ଖ-ମହୁରୀ ସାଙ୍ଗକୁ ବାଜା ଓ ଆଦିବାସୀ ଢେମସାରେ କମ୍ପିଥିଲା ସଲପା ଗାଁ । ରାଜକୀୟ ଠାଣି ଓ ପଟୁଆରରେ ଛତ୍ର ଓ ମହୁରୀ ସହ ଇଷ୍ଟଦେବୀଙ୍କ ମନ୍ଦିରକୁ ଯାଇଥିଲେ ଯୁବରାଜ ।