• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆମେ ସମସ୍ତେ ପ୍ରାୟତଃ ଦେଖିଥିବା ମଣିଷ ପଶୁପକ୍ଷୀମାନଙ୍କୁ ବିପଦରୁ ଉଦ୍ଧାର କରି ନୂଆ ଜୀବନ ଦେଇଥାନ୍ତି । ଏହାର ଅନେକ ଭିଡିଓ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥାଏ । ହେଲେ ଆପଣ ବହୁତ କମ୍‌ କାହାଣୀ ଶୁଣିଥିବେ ଯେ, ଯେଉଁଥିରେ ପଶୁଟିଏ ନିଜ ମାଲିକକୁ ବିପଦରୁ ରକ୍ଷା କରିଥାଏ । ବର୍ତ୍ତମାନ ସମସ୍ତେ ଘରେ ଗୃହପାଳିତ ପଶୁଟିଏ ପାଳିବା ପାଇଁ ଇଚ୍ଛା କରୁଛନ୍ତି । ବିଶ୍ୱସ୍ତ ଗୃହପାଳିତ ପଶୁ କଥା କହିଲେ କୁକୁର ସର୍ବପ୍ରଥମେ ଆସିଥାଏ । କୁକୁର କଦାପି ବେଇମାନି କରେ ନାହିଁ, ବରଂ ଜୀବନସାରା ମାଲିକର ସାଥ୍‌ ଦିଏ ।

ମାଲିକ ପ୍ରତି ନିଜ ବିଶ୍ୱସ୍ତତା ଓ ଭଲ ପାଇବା ଦେଖାଇଛି କର୍ଣ୍ଣାଟକର ଏକ କୁକୁର ‘ଟମି’ । ଯେଉଁଠି ମଣିଷ ହାର ମାନିଯାଇଛି, ସେଠି କୁକୁରଟିଏ ଗଭୀର ଜଙ୍ଗଲରୁ ଭିତରୁ ନିଜ ମାଲିକକୁ ଖୋଜି ଆଣିଛି । କର୍ଣ୍ଣାଟକର ଜଣେ ୫୫ ବର୍ଷୀୟ ଲୋକ ଶେଖରପ୍ପା ଶିଭାମୋଗା ଜଙ୍ଗଲରେ କାଠ ଆଣିବାକୁ ଯାଇ ଆଉ ଫେରିନଥିଲେ । ଗାଁର ୫୦ ଜଣ ଲୋକେ ସପ୍ତାହେ ଧରି ତାଙ୍କୁ ଖୋଜିବାରେ ବିଫଳ ହୋଇଥିଲେ । କିନ୍ତୁ ହଜିଯାଇଥିବା ମଣିଷକୁ ଖୋଜି ପାଇବାରେ ଲୋକଙ୍କୁ ସାହାଯ୍ୟ କରିଛି କୁକୁର ‘ଟମି’ ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶେଖରପ୍ପା ୧୦ ବର୍ଷ ହେବ ପ୍ରତିଦିନ ସକାଳ ୬ଟା ବେଳକୁ ଜଙ୍ଗଲକୁ କାଠ ଆଣିବାକୁ ଯାଆନ୍ତି ଏବଂ ୧୦ ଟା ସୁଦ୍ଧା ଫେରିଆସନ୍ତି । ହେଲେ ଶନିବାର କାଠ ଆଣିବାକୁ ଯାଇ ଫେରିନଥିଲେ ସିଏ । ଘରକୁ ନ ଫେରିବାରୁ ସାଙ୍ଗସାଥୀ ଓ ଗାଁଲୋକେ ତାଙ୍କୁ ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ । କିନ୍ତୁ କେହି ବି ତାଙ୍କୁ ପାଇନଥିଲେ ।

ସତଚେଷ୍ଟା ପରେ ବି ସମସ୍ତେ ଶେଖରପ୍ପାଙ୍କୁ ନପାଇବାରୁ କୁକୁର ଟମିକୁ ନେଇ ଲୋକେ ଜଙ୍ଗଲ ଭିତରକୁ ଯାଇଥିଲେ । କାହିଁକି ନା ଟମି ପ୍ରତିଦିନ ଶେଖରପ୍ପାଙ୍କ ସହ ଜଙ୍ଗଲକୁ ଯାଏ ଏବଂ ଟମିର ମାଲିକ ପ୍ରତି ଥିବା ବିଶ୍ୱସ୍ତତା ବିଷୟରେ ଗାଁଲୋକ ସମସ୍ତେ ଜାଣିଥିଲେ । ଶେଷରେ ଟମି ଜଙ୍ଗଲ ଭିତରୁ ମାଲିକକୁ ଖୋଜି ପାଇଥିଲା । ଶେଖରପ୍ପା ଗୋଟିଏ ଗଛତଳେ ଚେତାଶୂନ୍ୟ ହୋଇ ପଡ଼ିଥିବା ଦେଖି ଟମି ଭୁକିବା ଆରମ୍ଭ କରିଥିଲା । ତାପରେ ଗାଁ ଲୋକେ ତାଙ୍କୁ ଅଚେତ୍‌ ଅବସ୍ଥାରେ ଦେଖି ତୁରନ୍ତ ମେଡିକାଲ୍‌କୁ ନେଇଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟର ଏହା କଥା ଯେ, ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ ।