• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଉନ୍ନତମାନର ଭିତ୍ତିଭୂମି ପାଇଁ ରାଜ୍ୟ ସରକାର ଚଳାଇଛନ୍ତି ମୋ ସ୍କୁଲ୍ ଅଭିଯାନ। ଶହ ଶହ ପୁରୁଣା ସ୍କୁଲକୁ ଫାଇଭ୍ ଟି’ରେ ରୂପାନ୍ତରିତ କରାଯାଉଛି। ସେହି କ୍ରମରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡ଼ା ହାଇସ୍କୁଲର ରୂପାନ୍ତରଣ ଗତ ମେ’ ମାସରେ ହୋଇଥିଲା। ଉଦଘାଟନ ହେବାର ତିନି ମାସ ଯାଇନି, ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସ୍କୁଲର ଅବସ୍ଥା ବେହାଲ୍।

ମାତ୍ର ୩ ମାସ ତଳେ ଉଦଘାଟିତ ହୋଇଥିବା ଫିରିଙ୍ଗିଆ ଡିମିରିଗୁଡ଼ା ହାଇସ୍କୁଲର ଅବସ୍ଥା ନକହିଲେ ଭଲ । ସ୍ମାର୍ଟ କ୍ଲାସରୁମ୍, କଂପ୍ୟୁଟର ରୁମ ସବୁ ପାଣିରେ ଭାସୁଛି । ଝରଣାରୁ ପାଣି ଝରିବା ଭଳି କାନ୍ଥରୁ ପୂରା ଝର ଫିଟିଯାଇଛି। ସବୁଆଡେ ପାଣି ଲିକେଜ୍ ହେଉଛି। ଯାହାଦ୍ୱାରା ପ୍ରଭାବିତ ହୋଇଛି ପାଠପଢା।

୪୦ ଲକ୍ଷ ୫୦ ହଜାର ଟଙ୍କାରେ ରୂପାନ୍ତରିତ ହୋଇଥିଲା ଡିମିରିଗୁଡ଼ା ହାଇସ୍କୁଲ। ଫିରିଙ୍ଗିଆ ବ୍ଲକ ପ୍ରଶାସନ ଏହି କାମ କରିଥିବା ବେଳେ ଗତ ମେ’ ମାସରେ ଉଦଘାଟନ ହୋଇଥିଲା। ଉପାନ୍ତ ଅଞ୍ଚଳବାସୀ ଭାବିଥିଲେ, ସ୍ମାର୍ଟ କ୍ଲାସରୁମରେ ପଢିଲେ ପିଲାମାନେ ବି ସ୍ମାର୍ଟ ହେବେ। ହେଲେ ୩ ମାସ ଭିତରେ ବର୍ଷାରେ ଚାରିଆଡେ ପାଣି ଲିକେଜ୍ ହେଉଥିବାରୁ ଏବେ ସ୍କୁଲ ବିଲଡିଙ୍ଗର ସ୍ଥାୟିତ୍ୱକୁ ନେଇ ଉଠିଛି ପ୍ରଶ୍ନ । ପିଲାମାନଙ୍କୁ ସ୍କୁଲ ଛାଡିବାକୁ ଡରୁଛନ୍ତି ଅଭିଭାବକ।

ଛାତ ଓ କାନ୍ଥରୁ ପାଣି ଝରି ଝରି ପୂରା ବିଲଡିଙ୍ଗ ବର୍ଷାରେ ଜକେଇ ଯାଇଛି। କ୍ଲାସ ରୁମ୍ ଗୁଡିକରେ ଠିକରେ ଫ୍ଲୋରିଂ କରାଯାଇନି। ନାଁକୁ ସିମେଣ୍ଟ ଦେଇ ବିନା ଗୋଡ଼ିରେ ଖାଲି ବାଲିରେ ଫ୍ଲୋରିଂ ହୋଇଛି। ପ୍ରଥମେ ବାଲି ଫିଲିଙ୍ଗ, ତା ଉପରେ ମେଟାଲିଙ୍ଗ ଏବଂ ତାପରେ କଂକ୍ରିଟ୍ କରି ଟାଇଲ୍ ବସଇେବା କଥା, ହେଲେ ସେଭଳି ହୋଇନି। ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଟାଇଲ୍ ଖୋଳିବା ପରେ ନିମ୍ନମାନର କାମ କଥା ଧରାପଡିଯାଇଛି। ସେହିଭଳି ବାହାରେ ପଡ଼ିଥିବା ପେଭର ବ୍ଲକ ଗୁଡିକ ମଧ୍ୟ ବର୍ଷାରେ ଦବିଗଲାଣି।

୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉପରକୁ ରଙ୍ଗ ମାରି ଚିକ୍କଣ କରାଯାଇଛି। ହେଲେ ଭିତର ଅବସ୍ଥା ସଙ୍ଗୀନ। ଫାଇଭ୍ ଟି’ ରୂପାନ୍ତରଣ ଅନୁସାରେ, ସାଇକେଲ୍ ଷ୍ଟାଣ୍ଡ, ଜିମ୍ ଓ ସ୍କୁଲ ସାମ୍ନାରେ ଗାର୍ଡେନ ହେବା କଥା, କିନ୍ତୁ ତାହା ବି କରାଯାଇନି। ତେଣୁ କୁଆଡେ ଗଲା ୪୦ ଲକ୍ଷ ଟଙ୍କା, ନା ଆତ୍ମସାତ୍ ହୋଇଗଲା ତାକୁ ନେଇ ପ୍ରଶ୍ନ ଉଠିଛି।

ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ଯାଇ ଫିରିଙ୍ଗିଆ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ, ଠିକାଦାର ଉପରେ ଦୋଷ ଲଦିଛନ୍ତି । ଠିକାଦାର ନିମ୍ନମାନର କାମ କରିଥିବା ମାନିଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ତେବେ ଏଠାରେ ପ୍ରଶ୍ନ, କେବଳ ଠିକାଦାର ନିମ୍ନମାନର କାମ କଲେ ନା ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ସବୁ ଭାଗ ବାଣ୍ଟି ଖାଇଛନ୍ତି ?

୩ ମାସ ଭିତରେ ଗୋଟିଏ ବଡ଼ ବର୍ଷାରେ ଯଦି ଝର ଫିଟିଯାଉଛି, ତେବେ କାହିଁକି ହେଉନି ତଦନ୍ତ ? ରାଜ୍ୟ ରାଜକୋଷରୁ ଖାଲି ହୋଇଥିବା ୪୦ ଲକ୍ଷ ଟଙ୍କାର ଅଡିଟ୍ ହେବ କି ?

  • Reported by:
  • Trinath Sahoo