• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବାହାରୁ ଦେଖିଲେ ସାଧାରଣ ଆହାର କେନ୍ଦ୍ର । କିନ୍ତୁ ଭିତରକୁ ଗଲେ ଲାଗିବ ଆପଣ କାଳେ ଭୁଲରେ କେଉଁ ପଞ୍ଚତାରକା ହୋଟେଲରେ ପ୍ରବେଶ କରିଛନ୍ତି । କଟକ ଖାନନଗର ସ୍ଥିତ ନେତାଜୀ ବସ ଟର୍ମିନାଲରେ ଲୋକାର୍ପଣ ଅପେକ୍ଷାରେ ଥିବା ସିଏମସିର ନୂଆ ଆହାର କେନ୍ଦ୍ରର ପରିବେଶ କିଛି ଏମିତି ।

ଚକାଚକ୍ ପରିବେଶ, ସୁନ୍ଦର ସାଜସଜା । ବାହାରୁ ଦେଖିଲେ ଯେତିକ ମନୋରମ, ଭିତରେ ପ୍ରବେଶ ପରେ ଦୃଶ୍ୟ ଆଶାଠୁ ବି ଅଧିକ ଆକର୍ଷଣୀୟ । ଆମେ କହୁଛୁ, ନବ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲ CNBTରେ ଲୋକାର୍ପଣ ଅପେକ୍ଷାରେ ଥିବା ଆହାର କେନ୍ଦ୍ର କଥା । ରାଜ୍ୟର ଅନ୍ୟତମ ବୃହତମ ବସଷ୍ଟାଣ୍ଡ ଖାନନଗରରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କୁ ଉତ୍ତମମାନର ସେବା ଉଦ୍ଦେଶ୍ୟରେ ତିଆରି ହୋଇଛି ଏହି ଅତ୍ୟାଧୁନିକ ଆହାର କେନ୍ଦ୍ର । ଯାହାର ସାଜସଜା ଓ ପରିପାଟି କୌଣସି ପଞ୍ଚତାରକା ହୋଟେଲଠୁ ବି କମ୍ ନୁହେଁ।

ଆହାର କେନ୍ଦ୍ରରେ ଗ୍ରାହକଙ୍କ ଲାଗି ଆରାମଦାୟ ଚେୟାର ସାଙ୍ଗକୁ ପଡ଼ିଛି ବଡ଼ ବଡ଼ ଟେବୁଲ । ମୁଣ୍ଡ ଉପରେ ରଙ୍ଗୀନ ଆଲୋକ ଆଉ ପାଦ ତଳେ ଚିକଚିକିଆ ଚଟାଣ । ଏପଟେ କାନ୍ଥରେ ବି ଅତ୍ୟାଧୁନିକ ଦାମୀ ରଙ୍ଗର ପ୍ରଲେପ ସାଙ୍ଗକୁ ପାରମ୍ପରିକ ଭଙ୍ଗୀରେ ଉନ୍ନତ ଧରଣର ସାଜସଜା । କେବଳ ଏତିକି ନୁହେଁ, ଶୀତତାପ ନିୟନ୍ତ୍ରିତ କୋଠରୀରେ ଆରାମ ଦାୟକ ଭୋଜନ ପରେ ହାତ ଧୋଇବାକୁ ଲାଗିଥିବା ୱାସ୍ ବେସିନ୍ ବି ବଡ଼ ବଡ଼ ହୋଟେଲର ଭ୍ରମ ସୃଷ୍ଟି କରିବ । ତା’ସହ ଆକ୍ବା ଫିଲଟରରୁ ଶୀତଳ ପାଣି ଓ ହାତ ପୋଛିବା ଓ ଶୁଖାଇବା ପାଇଁ ବି ସ୍ୱୟକ୍ରିଂୟ ମେସିନର ବ୍ୟବସ୍ଥା । ଯାହାକି ଖାଦ୍ୟ ସନ୍ଧାନରେ ଏଠାକୁ ଆସୁଥିବା ଗ୍ରାହକଙ୍କୁ ଦେବ ସମ୍ପୂର୍ଣ୍ଣ ନୂଆ, ନିଆରା ଆଉ ନିଶ୍ଚିତ ଆରାମଦାୟକ ଅନୁଭୂତି ।

କଟକ ମହାନଗର ନିଗମ ପକ୍ଷରୁ ୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏଭଳି ଅତ୍ୟାଧୁନିକ ଆହାର କେନ୍ଦ୍ର ବୋଧହୁଏ ଓଡ଼ିଶାରେ ପ୍ରଥମ । ଏଠାରେ ଏକକାଳୀନ ୨ ଶହ ଲୋକ ବସି ଖାଇବା ଭଳି ସୁବିଧା ରହିଛି । ଭୋଜନ ଭିତରେ ମନୋରଞ୍ଜନ ପାଇଁ କାନ୍ଥରେ ଦୁଇଟି ବଡ଼ ଟେଲିଭିଜନ୍ ସ୍କ୍ରିନ୍ ସାଙ୍ଗକୁ ଭୋଜନ ପୂର୍ବରୁ ପ୍ରତୀକ୍ଷା ଓ ପରେ ବିଶ୍ରାମ ବେଳେ ଖବରକାଗଜ, ପତ୍ରିକାର ସୁବିଧା ମିଳୁଛି । କୌଣସି ଯାତ୍ରୀ ଯଦି ଛୋଟ ଛୁଆଙ୍କୁ ଆଣି ଆହାର କେନ୍ଦ୍ରକୁ ଆସିଥାନ୍ତି, ସେମାନଙ୍କ ପିଲାଙ୍କ ପାଇଁ ବି ବସିବା ଓ ବିଶ୍ରାମ ନେବାକୁ ରହିଛି ସ୍ୱତନ୍ତ୍ର ଚେୟାର ।

ତା’ସହ ଆହାର କେନ୍ଦ୍ର ଭିତରେ ମାଗଣା ୱାଇ ଫାଇ ସେବା ବି ଉପଲବ୍ଧ । ସିଏମସି କର୍ତ୍ତୃପକ୍ଷ ଏହି ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ୱ କଟକର ମାଆ ତାରିଣୀ SHGକୁ ଦେଇଛନ୍ତି । ଏହି ଗ୍ରୁପ୍ ଆହାର କେନ୍ଦ୍ରରେ ୫ ଟଙ୍କିଆ ଭାତ ଡାଲମା ଓ ଆଚାର ସାଙ୍ଗକୁ ଯାତ୍ରୀଙ୍କୁ ଅତିରିକ୍ତ କାଫେ ସୁବିଧା ବି ଯୋଗାଇ ଦେବ । ଏହି କାଫେରୁ ଯାତ୍ରୀଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ, ଚା, ବିସ୍କୁଟ, କେକ୍ ଓ ଆଇସକ୍ରିମ୍ ଭଳି ସାମଗ୍ରୀ ବି ମିଳିପାରିବ । ମାତ୍ର ମାସଟିଏ ଭିତରେ ନିର୍ମାଣ ସରିଥିବା କଟକ CNBTର ଏ ଅତ୍ୟାଧୁନିକ ଆହାର କେନ୍ଦ୍ରକୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

  • Reported by:
  • Biswajit Acharya