• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଖରାରେ ସିଝୁଛି ପୂରା ଓଡ଼ିଶା। ଜନଜୀବନ ଅସ୍ତବ୍ୟସ୍ତ, ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ଏମିତି ସମୟରେ ପଶୁପକ୍ଷୀଙ୍କୁ ଗ୍ରୀଷ୍ମ ଦାଉରୁ ରକ୍ଷା କରିବା ଲାଗି ରାଜ୍ୟର ବିଭିନ୍ନ ଚିଡ଼ିଆଖାନାରେ ହୋଇଛି ବ୍ୟାପକ ବ୍ୟବସ୍ଥା ।

କଲବଲ କରୁଛି ଟାଇଁ ଟାଇଁ ଖରା । ଜନଜୀବନ ପୁରା ଅସ୍ତବ୍ୟସ୍ତ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ବାଦ୍ ପଡ଼ିନାହାନ୍ତି ଜୀବଜନ୍ତୁ । ଭୁବନେଶ୍ୱର ନନ୍ଦନକାନନ ଚିଡ଼ିଆଖାନାରେ ଖରା ଦାଉରୁ ଟିକେ ଆଶ୍ୱସ୍ତି ପାଇଁ ବରଫ ଖଣ୍ଡ ସହ ଖେଳୁଛନ୍ତି ଭାଲୁପଲ । ଦୀର୍ଘ ସମୟ ଧରି ପାଣି ଭିତରେ ପଶି ରହିଛି ଭାଲୁ ଛୁଆ । ଏମିତିକି ଗୁମ୍ଫା ଭିତରେ ଥିବା ଭାଲୁଗୁଡ଼ିକ ଉପରକୁ ସିଞ୍ଚାଯାଉଛି ପାଣି ।

ଖାଲି ଭାଲୁ ନୁହନ୍ତି, ଖରାରେ ସନ୍ତୁଳି ହେଉଥିବା ମହାବଳ ବାଘ ବି ପାଣି କୁଣ୍ଡରେ ନିଜ ଶରୀରକୁ ବୁଡ଼ାଇ ରଖିଛି । ପକ୍ଷୀଙ୍କୁ ଗରମ ଦାଉରୁ ରକ୍ଷା କରିବା ଲାଗି ପୂରା ଏନ୍‌କ୍ଲୋଜରରେ ଅନବରତ ପାଣି ସିଞ୍ଚନ ହେଉଛି, ଯାହାକି ବର୍ଷାର ଭ୍ରମ ସୃଷ୍ଟି କରୁଛି । ତିଆରି ହୋଇଥିବା କୃତ୍ରିମ ଝରଣାରେ ବହିଚାଲିଛି ଅନବରତ ଜଳଧାରା, ଯେଉଁଥିରୁ ପାଣି ପିଇବା ସହ ଗାଧୋଇବା ଲାଗି ବ୍ୟବହାର କରୁଛନ୍ତି ପକ୍ଷୀମାନେ ।

ଡହ ଡହ ଖରାରେ ଭାଜି ହେଉଥିବା ସମ୍ବଲପୁର ମୋତିଝରଣ ଚିଡ଼ିଆଖାନାରେ ବି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଭାଲୁକୁ ଗାଧୋଇ ଦେବା ପରେ ପରଷା ଯାଉଛି ସୁସ୍ୱାଦୁ ଖାଦ୍ୟ । କଲରାପତରିଆ ଖୁଆଡ଼ରେ ଲାଗିଛି କୁଲର । ଖରାରୁ ରକ୍ଷା ପାଇବା ପାଇଁ ବୁଢ଼ା ଅଜଗର ପାଇଁ ରଖାଯାଇଛି ପାଣି କୁଣ୍ଡ । ଖାଲି ସେତିକି ନୁହେଁ, ପଶୁପକ୍ଷୀଙ୍କୁ ରୌଦ୍ର ତାପରୁ ଆଶ୍ୱସ୍ତ କରିବାକୁ ଏନ୍‌କ୍ଲୋଜର୍‌ ଉପରେ ନଡ଼ା କିମ୍ବା ବାଉଁଶ ପଟି ଛାଉଣୀ କରାଯାଇ ତାହା ଉପରେ ପାଣି ସିଞ୍ଚାଯାଉଛି ।

ଖରାକୁ ଦେଖି ଜୀବଜନ୍ତୁଙ୍କ ଖାଦ୍ୟ ମେନୁରେ ଯୋଡ଼ି ହୋଇଛି ତରଭୂଜ, ଆଖୁରସ, ଗ୍ଲୁକୋଜ ପାଣି, ମହୁ ଭଳି ବହୁ ଗ୍ରୀଷ୍ମକାଳୀନ ଖାଦ୍ୟ । ସେପଟେ  ରାଉରକେଲାର ଆଇଜି ପାର୍କ ଚିଡ଼ିଆଖାନାରେ ବି ପଶୁପକ୍ଷୀଙ୍କୁ ଖରାରୁ ରକ୍ଷା କରିବା ଲାଗି ହୋଇଛି ଅନୁରୂପ ବ୍ୟବସ୍ଥା । ଏଠି ମୟୂର ପାଇଁ ଅସ୍ଥାୟୀ ନଡ଼ା ଛପର ଘର ତିଆରି କରାଯାଇଥିବା ବେଳେ ପକ୍ଷୀଙ୍କ ପାଇଁ ହୋଇଛି କୁଲର୍ ବ୍ୟବସ୍ଥା। ସେହିପରି ଏମୁଙ୍କୁ ଥଣ୍ଡା ରଖିବା ପାଇଁ ପାଇପ୍ ସାହାଯ୍ୟରେ ସେମାନଙ୍କ ଉପରେ ପାଣି ପକାଯାଉଛି ।

  • Reported by:
  • SANJAY JENA , PAWAN TIWARI , KAPILENDRA PRADHAN