• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପତ୍ନୀଙ୍କୁ ଛାଡ଼ିବାକୁ ଯାଇଥିଲେ । କିନ୍ତୁ ନିଜେ ରହିଗଲେ । ପତ୍ନୀଙ୍କର ଲଗେଜ ଲୋଡ୍ କରୁ କରୁ ଅଟୋମେଟିକ୍ ଡୋର୍ ବନ୍ଦ ହୋଇଗଲା । ଫଳରେ ପତ୍ନୀଙ୍କ ସ୍ୱାମୀ ମଧ୍ୟ ଟ୍ରେନ ମଧ୍ୟରେ ରହିଗଲେ । ଏପରି ଘଟଣା ଘଟିଛି ଗୁଜରାଟରେ । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ବନ୍ଦେ ଭାରତ ଏକ୍ସପ୍ରେସରେ ଛାଡ଼ିବାକୁ ରେଳ ଷ୍ଟେସନ ଯାଇଥିଲେ ।

ପତ୍ନୀଙ୍କର ଲଗେଜ ଲୋଡ କରୁ କରୁ ଟ୍ରେନରେ ଲାଗିଥିବା ଅଟୋମେଟିକ ଡୋରଟି ହଠାତ ବନ୍ଦ ହୋଇଯାଇଥିଲା । ଫଳରେ ବ୍ୟକ୍ତିଜଣକ ନିଜ ପତ୍ନୀଙ୍କ ସହ ଟ୍ରେନରେ ହିଁ ରହିଯାଇଥିଲେ । ଏନେଇ ଦମ୍ପତିଙ୍କ ଝିଅ କୋଶା ଗତ ଏପ୍ରିଲ ୨ରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ X ରେ ଏକ ପୋଷ୍ଟ କରିଛନ୍ତି । ନିଜ ପିତାମାତାଙ୍କର ପ୍ରିମିୟମ ଯାତ୍ରା ବିଷୟରେ ସେ ଉଲ୍ଲେଖ କରିଛନ୍ତି ।

ନିଜ ପୋଷ୍ଟରେ କୋଶା ହ୍ୱାଟସ୍ଆପରେ ତାଙ୍କ ପିତାଙ୍କ ସହ ଚାଟ୍ ର ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ସହ ସେଲଫି ମଧ୍ୟ ପଠାଇଛନ୍ତି । କୋଶା ଲେଖିଛନ୍ତି ଯେ, ତାଙ୍କ ମା ଗତ ମଙ୍ଗଳବାର ଭଦୋଦରାରୁ ମୁମ୍ବାଇକୁ ଆସୁଥିଲେ । ପ୍ରଥମ ଥର ପାଇଁ ସେ ବନ୍ଦେ ଭାରତ ଏକ୍ସପ୍ରେସରେ ବସିଥିଲେ । କୋଶାଙ୍କ ବାପା, ତାଙ୍କୁ ଛାଡ଼ିବା ନିମନ୍ତେ ଷ୍ଟେସନକୁ ଆସିଥିଲେ । ଲଗେଜଗୁଡ଼ିକ ବଡ଼ ଥିବାରୁ ତାଙ୍କ ବାପା ରଖିବାରେ ସାହାଯ୍ୟ କରୁଥିଲେ ।

ଠିକ୍ ଏହି ସମୟରେ ହିଁ ଟ୍ରେନ ଛାଡ଼ି ଦେଲା । ସେତେବେଳେ କୋଶାଙ୍କ ପିତାମାତା ଟ୍ରେନ ଭିତରେ ହିଁ ଥିଲେ । ଟ୍ରେନ କବାଟଟି ବନ୍ଦ ହୋଇଯିବାରୁ ତାଙ୍କ ବାପା ଆଉ ବାହାରକୁ ବାହାରି ପାରିଲେନାହିଁ । ପରେ ତାଙ୍କ ବାପା ଟ୍ରେନ୍ ଅଟକାଇବା ପାଇଁ ଟିଟି ପାଖକୁ ଗଲେ, କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ଫଳରେ ପରବର୍ତ୍ତୀ ଷ୍ଟେସନ ଆସିବା ପର୍ଯ୍ୟନ୍ତ ବ୍ୟକ୍ତିଜଣକ ଟ୍ରେନରେ ନିଜ ପତ୍ନୀଙ୍କ ସହ ଯାତ୍ରା କରିଥିଲେ ।

ଏହାକୁ ପ୍ରିମିୟମ ଯାତ୍ରା ଭାବେ କୋଶା ଉଲ୍ଲେଖ କରି ଲେଖିଛନ୍ତି, ମାଆ ମୁମ୍ବାଇ ପର୍ଯ୍ୟନ୍ତ ଆସିବା ବେଳେ ତାଙ୍କ ପିତା ସୁରଟରେ ରହିଥିଲେ । ସେତେବେଳେ ସେମାନଙ୍କର କାର୍ ଭଦୋଦରାରେ ପାର୍କିଂ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ।