• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲର ବିସ୍ଫୋରଣକୁ ଯିଏ ଦେଖିଛି, ସିଏ ଜାଣିଛି ତାର ଭୟାବହତାକୁ । ହେଲେ ଏହି ଟ୍ରାଜେଡି ଭିତରେ ଆଜି ଯେଉଁ ଖବର ସାମ୍ନାକୁ ଆସିଛି, ଯିଏ ଶୁଣୁଛି ତା ଛାତି କୋରି ହୋଇଯାଉଛି । କାରଣ ବିସ୍ଫୋରଣରେ ସ୍ୱାମୀଙ୍କ ଜୀବନ ଯିବାର ୨୪ ଘଣ୍ଟା ଭିତରେ ତାଙ୍କୁ ଝୁରି ଝୁରି ଜୀବନ ହାରିଦେଇଛନ୍ତି ପତ୍ନୀ । ୨ ବର୍ଷ ତଳେ ପ୍ରେମ ବିବାହ କରିଥିବା ଯୁବ ଦମ୍ପତିଙ୍କ ଏଭଳି ଅଭାବନୀୟ ମୃତ୍ୟୁ, ସମସ୍ତଙ୍କୁ ଶୋକାଭିଭୂତ କରିଛି ।

କାନ୍ଥରୁ ଲିଭିନି ଶୁଭ ବିବାହର ରଙ୍ଗ । ସାଇତା ହୋଇ ରହିଛି ଅଭୂଲା ସ୍ମୃତିର ଫଟୋ ଚିତ୍ର । ୨ ବର୍ଷ ତଳେ ସଂକଳ୍ପ କରି ସାତ ଜନ୍ମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖି ଯେଉଁ ପ୍ରେମ ପକ୍ଷୀ ସୁଖର ନିଡ଼ଟିଏ ତିଆରି କରିଥିଲେ । ଆଜି ଭାଙ୍ଗିଯାଇଛି ସେହି ନିଡ଼ । ଉଜୁଡ଼ିଯାଇଛି ସୁଖର ସଂସାର । ମରଣର କୋରଡ଼କୁ ଭିଡ଼ି ହୋଇଯାଇଛି ଦୁଇ ନିଷ୍ପାପ ପ୍ରେମୀଙ୍କ ଜୀବନ ।

ପୁଅ ବୋହୂଙ୍କ ସଂସାରକୁ ଦେଖି ପରିଣତ ବୟସରେ ଖୁସି ଅନୁଭବ କରୁ କରୁ ଆଜି ଖାଲି ହୋଇଯାଇଛି ବୁଢ଼ୀ ମାର କୋଳ । ଆଉ ବା କିଏ ତାଙ୍କୁ ସମ୍ଭାଳିପାରିବ । କିଏ ପୋଛିଦେବ ସନ୍ତାନହରା ମାର ଲୁହକୁ । ୨ ଦିନ ତଳେ ଭେଣ୍ଡିଆ ପୁଅକୁ ହରାଇଥିଲେ । ଆଉ ଆଜି ସେହି ପୁଅ ପାଇଁ ୨ ବର୍ଷ ତଳେ ବୋହୂ କରି ଆଣିଥିବା ଝିଅକୁ ହରାଇଲେ । ଭୁବନେଶ୍ୱର ହାଇଟେକ ମେଡ଼ିକାଲ କଲେଜ ହସ୍ପିଟାଲରେ ବିସ୍ଫୋରଣରେ ପ୍ରାଣ ହରାଇଥିବା ଜଟଣୀ ବଅଁଙ୍ଗ ଗାଁର ଦିଲୀପ ସାମନ୍ତରାୟଙ୍କ ଘରେ ଆଜି ଏଭଳି ଶୋକାକୂଳ ପରିବେଶ । କୁହାଯାଉଛି, ଦିଲୀପଙ୍କ ବିୟୋଗ ପରେ ତାଙ୍କୁ ଝୁରି ଝୁରି ଜୀବନ ହାରିଦେଇଛନ୍ତି ୩୦ ବର୍ଷିୟା ପତ୍ନୀ ସୋନା ସାମନ୍ତରାୟ। ।

ବଅଙ୍ଗ ଗାଁର ୩୪ ବର୍ଷିୟ ଦିଲୀପ କୁମାର ସାମନ୍ତରାୟ । ପେଶାରେ ଜଣେ AC ମେକାନିକ୍ ଥିଲେ । ଗତ ୨୯ ତାରିଖ ସଂଧ୍ୟାରେ କଲ୍ ପାଇ ୪ ଜଣ ସହକର୍ମୀଙ୍କ ସହ ଯାଇଥିଲେ ହାଇଟେକ୍ ମେଡ଼ିକାଲକୁ । ସେଠାରେ ACର ଗ୍ୟାସ ଫିଲିଂ କରିବା ସମୟରେ ହଠାତ ସର୍ଟସର୍କିଟ୍ ହୋଇ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଶୂନ୍ୟରେ ଛାଇଯାଇଥିବା ଏହି କଳାଧୂଆଁ ହିଁ ବୟାନ କରୁଥିଲା ବିସ୍ଫୋରଣର ତୀବ୍ରତାକୁ । ଏହି ଦୁର୍ଘଟଣାରେ ଦିଲୀପଙ୍କ ସମେତ ୪ଜଣ ଆହତ ହୋଇଥିଲେ ।

ଆଉ ଗତକାଲି ପ୍ରାଣ ହରାଇଥିଲେ ଦିଲୀପ । ତାଙ୍କ ବିୟୋଗ ପରେ ଭାଙ୍ଗିପଡ଼ିଥିବା ପତ୍ନୀ ସୋନାଙ୍କୁ ଜଟଣୀ ଥାନା ନୂଆଗାଁ ବାପ ଘରକୁ ନେଇ ରଖିଥିଲେ ସଂପର୍କୀୟ । କିନ୍ତୁ ଦୁର୍ଭାଗ୍ୟ, ଦିଲୀପଙ୍କ ମୃତ୍ୟୁର ୨୪ ଘଣ୍ଟା ଭିତରେ ବାପ ଘରେ ହିଁ ସେ ଆତ୍ମହତ୍ୟା କରିଦେଇଥିବା କୁହାଯାଉଛି । ଜଟଣୀ ପୋଲିସ ଘଟଣାର ତଦନ୍ତ କରୁଛି ।

୨ ବର୍ଷ ତଳେ ଘର ସଂସାର କରିଥିବା ପୁଅ ବୋହୂ ଆରପାରିକୁ ଚାଲିଗଲେ ହାତ ଧରାଧରି ହୋଇ । ଏବେ ଏହି ବୟସରେ ବେସାହାରା ବିଧବା ମାଆ କାହା ଆଶ୍ରାରେ ଜୀଇଁବେ ବଳକା ଜୀବନ ? ସମସ୍ତଙ୍କ ଭିତରେ ତାକୁ ନେଇ ଏବେ ଭାଳେଣି ।

  • Reported by:
  • Niranjan Behera