ପୁଣି ଧୋକାଦେଲା ଗୁଗୁଲ୍ ମ୍ୟାପ୍ । ପୁଣି ଗୁଗୁଲ୍ ମ୍ୟାପ୍ ଉପରେ ଭରସା କରି ଫସିଲେ ଦୁଇ ବିଦେଶୀ ସାଇକେଲ ଚାଳକ । ତେବେ ଏହି ଘଟଣା ନୂଆ ନୁହେଁ ପୂର୍ବରୁ ଗୁଗୁଲ୍ ମ୍ୟାପ୍ ଫଲୋକରି ଅନେକ ଫସିଥିବା ଘଟଣା ସାମ୍ନାକୁ ଆସିଛି । ଏମିତିକି ଉତ୍ତର ପ୍ରଦେଶରେ ଗୁଗୁଲ୍ ମ୍ୟାପ୍ ପାଇଁ ଅଧା ଗଢ଼ା ପୋଲରୁ କାର୍ ଖସି ପଡ଼ି ୩ ଜଣଙ୍କ ମୃତ୍ୟୁହେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ।
ଟେକ୍ନୋଲୋଜି ଆଗେଇବା ଫଳରେ ଆମେ ସହଜରେ ଅନେକ କାମ କରିବା ପାଇଁ ସକ୍ଷମ ହେଉଛନ୍ତି । ଲୋକେ ପୂର୍ବରୁ ଅଜଣା ସ୍ଥାନକୁ ଯିବା ସମୟରେ ଲୋକଙ୍କୁ ରାସ୍ତା ପଚାରିବା ସହ ଅଯଥା ସମୟ ନଷ୍ଟ କରୁଥିଲେ । ମାତ୍ର ବର୍ତ୍ତମାନ ଗୁଗୁଲ୍ ମ୍ୟାପ୍ର ବ୍ୟବହାରକରି କାହାକୁ କିଛି ନପଚାରି ସିଧା ଯାଇ ଠିକଣା ସ୍ଥାନରେ ପହଞ୍ଚିପାରୁଛନ୍ତି ଲୋକେ । ଫଳରେ ଗୁଗୁଲ୍ ମ୍ୟାପ୍ର ଚାହିଦା ଦିନକୁ ବଢ଼ିବାରେ ଲାଗିଛି । କିନ୍ତୁ ଏହାକୁ ବ୍ୟବହାର କରି ଫସିଯାଇଛନ୍ତି ଦୁଇ ଜଣ ବିଦେଶି ସାଇକେଲ ଚାଳକ । ଗୁଗୁଲ୍ ମ୍ୟାପ୍ର ବ୍ୟବହାରକରି ଦୁଇ ଜଣ ଫରାସୀ ପର୍ଯ୍ୟଟକ ସାଇକେଲରେ ଦିଲ୍ଲୀରୁ କାଠମାଣ୍ଡୁ ଯାତ୍ରାକରୁଥିଲେ । କିନ୍ତୁ ,ସେମାନଙ୍କୁ ଗୁଗୁଲ୍ ମ୍ୟାପ୍ କାଠମାଣ୍ଡୁ ବଦଳରେ ଚୁରାଇଲି ଡ୍ୟାମ୍ ନିକଟରେ ପହଞ୍ଚାଇଥିଲା । କିଛି ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ସାଇକେଲ ଚଳାଉଥିବା ଦେଖିଥିଲେ ।
Also Read
ଅଧିକ ପଢ଼ନ୍ତୁ: ଉଇ ଖାଇଗଲା ବ୍ୟାଙ୍କ ଲକର୍ରେ ଥିବା ୧୮ ଲକ୍ଷ ଟଙ୍କା; ଟଙ୍କାଟେ ବି ପାଇଲେନି କ୍ଷତିପୂରଣ
ଏହାପରେ ଗ୍ରାମବାସୀ ସେମାନଙ୍କୁ ଚୁରାଇଲି ପୋଲିସ ଆଉଟପୋଷ୍ଟକୁ ନେଇଯାଇଥିଲେ । ପୋଲିସ ରାତ୍ରିଯାପନ ପାଇଁ ଦୁଇ ପର୍ଯ୍ୟଟକଙ୍କୁ ଗ୍ରାମର ମୁଖିଆଙ୍କ ଘରେ ରଖିଥିଲା । ଏହାପରେ ଶୁକ୍ରବାର ଦିନ ପୋଲିସ ସେମାନଙ୍କୁ କାଠମାଣ୍ଡୁ ରାସ୍ତା ସମ୍ପର୍କରେ ସୂଚନା ପ୍ରଦାନକରି ଛାଡିଦେଇଥିଲା । ଜାନୁଆରୀ ୭ ତାରିଖରେ ଫରାସୀ ନାଗରିକ ବ୍ରାଏନ୍ ଜ୍ୟାକ୍ସ ଗିଲବର୍ଟ ଏବଂ ସେବାଷ୍ଟିଆନ୍ ଫ୍ରାଙ୍କୋଇସ୍ ଗାବ୍ରିଏଲ୍ ଜାନୁଆରୀ ବିମାନରେ ଫ୍ରାନ୍ସରୁ ଦିଲ୍ଲୀ ଆସିଥିଲେ । ସେମାନେ କିଛି ଦିନ ପୂର୍ବରୁ ଦିଲ୍ଲୀରୁ କାଠମାଣ୍ଡୁ ଯିବାପାଇଁ ସ୍ଥିର କରିଥିଲେ । ତନକପୁରର ପିଲିଭିଟ ଦେଇ ନେପାଳର କାଠମାଣ୍ଡୁ ଯିବାପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।
କିନ୍ତୁ ରାତିରେ ଗୁଗୁଲ୍ ମ୍ୟାପ୍ ସେମାନଙ୍କୁ ଭୁଆଁ ବୁଲାଇବା ଫଳରେ ସେମାନେ ଗୁରୁବାର ରାତିରେ ଚୁରାଇଲି ଡ୍ୟାମ୍ ନିକଟରେ ପହଞ୍ଚିଥିଲେ । ସ୍ଥାନୀୟ ଗ୍ରାମବାସୀ ରାତିରେ ସେମାନଙ୍କୁ ଦେଖିଥିଲେ । ଗାଁ ଲୋକ ସେମାନଙ୍କ ସହିତ କଥା ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ଭାଷା ବୁଝିପାରି ନଥିଲେ । ଯାହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ ।
ବହେରୀ ସର୍କଲ ଅଫିସର ଅରୁଣ କୁମାର ସିଂଙ୍କ କହିବା ଅନୁସାରେ ଅନ୍ଧାରରେ ଗୁଗୁଲ୍ ମ୍ୟାପ୍ ଉଭୟ ବିଦେଶୀଙ୍କୁ ବାଟବଣା କରିଦେଇଥିଲା । ଏହି ଆପ୍ ସେମାନଙ୍କୁ ବରେଲିର ବହେରୀ ଦେଇ ଏକ ସର୍ଟକର୍ଟ ରାସ୍ତା ଦେଖାଇବା ଫଳରେ ସେମାନେ କାଠମାଣ୍ଡୁ ବଦଳରେ ଚୁରାଇଲି ଡ୍ୟାମରେ ପହଞ୍ଚିଥିଲେ । ଶୁକ୍ରବାର ଦିନ, ଉତ୍ତର ପ୍ରଦେଶ ପୋଲିସ ଏ ସମ୍ପର୍କରେ X ରେ ଏକ ପୋଷ୍ଟ ସେୟାର କରିଥିଲା ।