Runway
ବିଶ୍ୱରେ ଏପରି ଅନେକ ରହସ୍ୟମୟ ଓ ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି, ଯାହା ବିଷୟରେ ବହୁତ କମ ଲୋକ ଜାଣିଥାନ୍ତି। କେଉଁଠି ରାସ୍ତାରେ ଗାଡ଼ି ଆପେ ଆପେ ନିୟନ୍ତ୍ରଣ ବାହାରକୁ ଚାଲିଯାଏ ତ କେଉଁଠି ଏଲିଅନ ଦେଖାଯାଇଥିବା ଦାବି କରାଯାଏ। କେଉଁଠି ବିଶ୍ୱର ସବୁଠୁ ବିପଜ୍ଜନକ ବିମାନବନ୍ଦର ରହିଛି, ଯେଉଁଠି ଲ୍ୟାଣ୍ଡିଂ କରିବା ସମୟରେ ପାଇଲଟଙ୍କ ଝାଳ ବୋହିଯାଏ, ଆଉ କେଉଁଠି ସମୁଦ୍ରର କିଛି ଅଂଶରେ ଜାହାଜ ଯାଏ ନାହିଁ।
ଆପଣ ଜାଣନ୍ତି କି ପୃଥିବୀରେ ଏଭଳି ଏକ ବିମାନ ବନ୍ଦର ରହିଛି ଯାହାର ରନୱେ ମଝିରେ ଟ୍ରେନ୍ ଚାଲେ। ଯଦି ଟ୍ରେନ୍ ଯାଉଛି ତେବେ ବିମାନକୁ ବି ଅପେକ୍ଷା କରିବାକୁ ପଡ଼େ ।
ବିମାନବନ୍ଦରଟିର ନାଁ ହେଉଛି ଗିସ୍ବର୍ନ ଏୟାରପୋର୍ଟ, ଯାହା ନ୍ୟୁଜିଲ୍ୟାଣ୍ଡରେ ଅଛି। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହା ସତ୍ୟ। ନ୍ୟୁଜିଲ୍ୟାଣ୍ଡର ଗିସ୍ବର୍ନ ଏୟାରପୋର୍ଟ ନିଜର ଏହି ରନୱେ ପାଇଁ ପ୍ରସିଦ୍ଧ । ଯେଉଁଠି ରନୱେକୁ ମଝିରେ ଯାଇଛି ଏକ ରେଳଲାଇନ।
ଗିସ୍ବର୍ନ ହେଉଛି ନ୍ୟୁଜିଲ୍ୟାଣ୍ଡର ଉତ୍ତରୀୟ ଦ୍ୱୀପର ପୂର୍ବ ଉପକୂଳରେ ଅବସ୍ଥିତ ଏକ ଛୋଟ ସହର। ଏଠାରେ ଥିବା ବିମାନବନ୍ଦର ୧୬୦ ହେକ୍ଟର ଜାଗାରେ ବିସ୍ତୃତ । ଏହି ବିମାନବନ୍ଦରର ମୁଖ୍ୟ ରନୱେ ପାଲ୍ମର୍ଷ୍ଟନ ଉପର ଦେଇ ଯାଇଛି ନର୍ଥ-ଗିସ୍ବର୍ନ ରେଳଲାଇନ । ଏହି ରେଳଲାଇନ ରନୱେକୁ ପ୍ରାୟ ମଝରୁ ଦୁଇ ଭାଗରେ ବିଭକ୍ତ କରିଛି ।
ଅଧିକ ପଢନ୍ତୁ: ଚର୍ଚ୍ଚାରେ ଦୁନିଆର ସବୁଠୁ ଛୋଟ ଦେଶ, ଯେଉଁଠି ରହନ୍ତି ମାତ୍ର ୩୩ ଲୋକ...
ସକାଳ ୬:୩୦ରୁ ରାତି ୮:୩୦ ପର୍ଯ୍ୟନ୍ତ ବିମାନବନ୍ଦର ଓ ରେଳଲାଇନରେ ବିମାନ ଓ ଟ୍ରେନ ଚଳାଚଳ କରେ । ଏହା ପରେ ରନୱେକୁ ବନ୍ଦ କରିଦିଆଯାଏ । ଏହି ବ୍ୟବସ୍ଥା ଯୋଗୁଁ କେତେବେଳେ ଟ୍ରେନ୍ ଓ କେତେବେଳେ ବିମାନକୁ ଅପେକ୍ଷା କରିବାକୁ ପଡ଼େ । ଏହି ଟ୍ରେନ୍ ଗିସ୍ବର୍ନରୁ ମୁରିୱାଇ ପର୍ଯ୍ୟନ୍ତ ଚାଲେ। ବିମାନବନ୍ଦର ନିକଟରେ ଏକ ସିଗ୍ନାଲ ରହିଛି, ଯାହା ବିମାନ ଆସିବା ସମୟରେ ଟ୍ରେନ୍କୁ ଅଟକାଇବା ପାଇଁ ନିର୍ଦେଶ ଦେଇଥାଏ।
ଏଠାରେ କାମ କରିବା ବିମାନ ବନ୍ଦର କର୍ମଚାରୀଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ । କାରଣ ପ୍ରତ୍ୟେକ ଦିନ ଟ୍ରେନ୍ ଓ ବିମାନର ଯିବା ଆସିବାର ସମୟ ଠିକ କରିବା ଓ ପରିଚାଳନା କରିବା କାଠିକର ପାଠ ।
ଟ୍ରେନ ପାଇଁ ବିମାନ ଅପେକ୍ଷା କରିବା ଓ ବିମାନ ପାଇଁ ଟ୍ରେନ ଅଟକିବା ଦୃଶ୍ୟ ବିଶ୍ୱରେ ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ। ଅଷ୍ଟ୍ରେଲିଆର ତାସମାନିଆରେ ଥିବା ୱିନୟାର୍ଡ ଏୟାରପୋର୍ଟରେ ମଧ୍ୟ ଏପରି ଏକ ରନୱେ ଥିଲା, କିନ୍ତୁ ୨୦୦୫ରେ ରେଳ ଟ୍ରାଫିକ ବନ୍ଦ ହେବା ପରେ ତାହା ଏବେ କାମ କରୁନାହିଁ।
ତେଣୁ ରନୱେ ମଝିରେ ରେଳଲାଇନ ଥିବା ଏହା ବର୍ତ୍ତମାନ ବିଶ୍ୱର ଏକମାତ୍ର ବିମାନବନ୍ଦର। ଗିସ୍ବର୍ନ ଏୟାରପୋର୍ଟ ଏହି ଛୋଟ ଅଞ୍ଚଳକୁ ବାକି ବିଶ୍ୱ ସହ ଯୋଡ଼ିଥାଏ। ଏଠାରେ ପ୍ରତି ସପ୍ତାହରେ ୬୦ରୁ ଅଧିକ ଘରୋଇ ବିମାନ ଆସେ ଓ ଯାଏ ଏବଂ ପ୍ରତିବର୍ଷ ୧.୫ ଲକ୍ଷରୁ ଅଧିକ ଯାତ୍ରୀ ଏଠାରୁ ଯାତ୍ରା କରନ୍ତି।
ବିମାନବନ୍ଦରରେ ତିନୋଟି ସାଧାରଣ ରନୱେ ଓ ଗୋଟିଏ ମୁଖ୍ୟ ରନୱେ ରହିଛି, ଯାହା ଏହାର ବିଶେଷତ୍ବ । କେବଳ ରେଳଲାଇନ କ୍ରସିଂ ପାଇଁ ନୁହେଁ ବରଂ ଗିସ୍ବର୍ନ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ।
ଏଠାର ସବୁଜ ଜଙ୍ଗଲ, ସମୁଦ୍ର ତଟ ଓ ଶାନ୍ତ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। କିନ୍ତୁ ରନୱେ ଉପରେ ଟ୍ରେନ୍ ଓ ବିମାନର ଯାତ୍ରାକୁ ଦେଖିବା ପାଇଁ ଲୋକମାନେ ଆଗ୍ରହ ଦେଖାଇ ଥାଆନ୍ତି । ସୋସିଆଲ ମିଡିଆରେ ଲୋକେ ଏହି ବିମାନବନ୍ଦରର ଫଟୋ ଓ ଭିଡିଓ ସେୟାର କରୁଛନ୍ତି ଫଳରେ ଏହାର ଲୋକପ୍ରିୟତା ବଢ଼ିଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Runway_1754038908.jpg)