• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭାବିଥିଲେ ଗୁଗୁଲ୍ ମ୍ୟାପ୍ ଦେଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ, ଆଉ ମନଭରି ପ୍ରାକୃତିକ ଦୃଶ୍ୟରାଜିର ଉପଭୋଗ କରି ଭଲରେ ଭଲରେ ସ୍ୱଦେଶ ଫେରିଯିବେ । ସେଥିପାଇଁ ଧାଇଁ ଆସିଥିଲେ ସୁଦୂର ଫ୍ରାନ୍ସର ଜଣେ ପର୍ଯ୍ୟଟକ । କିନ୍ତୁ ଦୁର୍ଭାଗ୍ୟ, ବାଟ ହୁଡ଼ାଇଦେଲା ଗୁଗୁଲ ମ୍ୟାପ୍ । ୱାଟର୍ ଫଲ୍ ବଦଳରେ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖାଇଦେଲା ଡ୍ୟାମ୍ । ଆଉ ତା’ପରେ ସଂପୃକ୍ତ ବିଦେଶୀ ପର୍ଯ୍ୟଟକଙ୍କ ସହ ଯାହା ଘଟିଗଲା, ଜାଣନ୍ତୁ..

ବିଦେଶୀ ପର୍ଯ୍ୟଟକଙ୍କୁ ବାଟ ହୁଡ଼ାଇ ଦେଲା ଗୁଗୁଲ୍ ମ୍ୟାପ୍ । କେଉଁଠୁ ଆଣି କେଉଁଠୁ ପହଞ୍ଚାଇଦେଇଥିଲା ଏହି ଯୁବକଙ୍କୁ ବିଶ୍ୱର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ମ୍ୟାପରୁ ଠିକଣା ପାଇ ଯୁବକଙ୍କ ମୁଣ୍ଡଗୋଲ୍ । ପହଞ୍ଚିଯାଇଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟତ ଗୁଠୁଣା ଗାଁ । ସେ ହେଉଛନ୍ତି ବିଲ୍ୟୁ ଓରଫ୍ ମାର୍ଶଲ ।

ଫ୍ରାନସ ଭଳି ରାଷ୍ଟ୍ରରୁ ଆସିଥିବାରୁ ବିଲ୍ୟୁଙ୍କୁ ଅତିଥି ଭଳି ସେବା ସତ୍କାର କରୁଛନ୍ତି ସ୍ଥାନୀୟ ଯୁବକ ମାନେ । ଆତିଥ୍ୟ ପାଇ ବିଲ୍ୟୁ ବି ଖୁସ୍ । ହସୁଛନ୍ତି, ବୁଲୁଛନ୍ତି, ଖାଉଛନ୍ତି, ସ୍ଥାନୀୟ ଯୁବକଙ୍କ ସହ ସେଲଫି ନେଇ ମଜା ଉଠାଉଛନ୍ତି । ଗୁଗୁଲ୍ ମ୍ୟାପ୍ ଦେଖି ବାଟ ଭୁଲି ଆସିଥାନ୍ତୁ ପଛକେ, ଏଇଠି ଯେଉଁ ସ୍ନେହ ଆଉ ସରାଗ ପାଉଛନ୍ତି ତାକୁ ନେଇ ଗଦଗଦ୍ ବିଲ୍ୟୁ । ଭାବ ବିହ୍ୱଳ ହୋଇଯାଇଛନ୍ତି ଗୋଟାପଣେ । ଏବେ ଗାଁରେ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ମଜା ନେଉଛନ୍ତି । ତେଣୁ ଟୁର୍ଣ୍ଣାମେଣ୍ଟ ସରିଲେ ସେ ଫେରିଯିବେ ବୋଲି କହିଛନ୍ତି ।

ଗତ ନଭେମ୍ବରରୁ ଭାରତ ଭ୍ରମଣରେ ଆସିଥିବା ବିଲ୍ୟୁ ପ୍ରଥମେ ଦିଲ୍ଲୀ, ବାରାଣସୀ ବୁଲି ଟ୍ରେନରେ ଯାଇଥିଲେ ଖଡ଼ଗପୁର । ସେଠାରୁ ଭୁବନେଶ୍ୱର ଓ ପୁରୀ ଆସି ପୁଣି ଟ୍ରେନରେ ଯାଇଥିଲେ ଭଦ୍ରକ । ବିଲ୍ୟୁଙ୍କ କହିବା କଥା, ଭଦ୍ରକରୁ କୋଲାକାତା ଯାଇ ଗୋପାଳପୁର ୱାଟରଫଲ୍ ଯାଇଥାନ୍ତେ । ତେଣୁ ଟ୍ରେନରେ ଯିବାବେଳେ ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଦେଲେ ଗୋପାଳପୁର ୱାଟରଫଲ୍ । କିନ୍ତୁ ସୋର ଅଞ୍ଚଳରେ ଥିବା ସିନ୍ଧୁଆ ଡ୍ୟାମକୁ ଗୁଗୁଲ୍ ମ୍ୟାପ୍ ଗୋପାଳପୁର ୱାଟରଫଲ୍ ଦର୍ଶାଇଥିଲା ।

ଶେଷରେ ସୋର ଷ୍ଟେସନରେ ଓହ୍ଲାଇ ଚାଲି ଚାଲି ସିନ୍ଧୁଆ ଡ୍ୟାମ୍ ଯାଉଥିଲେ ବିଲ୍ୟୁ । ଏହି ସମୟରେ ରାସ୍ତାରେ କିଛି ଲୋକ ହଇରାଣ ହରକତ କରୁଥିବାବେଳେ ଗୁଠୁଣାର କିଛି ଯୁବକ ତାଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ପାସପୋର୍ଟ, ଭିସା ଆଦି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିବା ସହ ଖୋଳତାଡ଼ ପରେ ଜଣାପଡ଼ିଲା, ବିଲ୍ୟୁଙ୍କୁ ବାଟବଣା କରିଛି ଗୁଗୁଲ୍ ମ୍ୟାପ୍ ।

କେବଳ ବିଲ୍ୟୁ ନୁହଁନ୍ତି, ଗୁଗୁଲ୍ ମ୍ୟାପ୍ ପୂର୍ବରୁ ଅନେକଙ୍କୁ ବାଟବଣା କରିଥିବା ଅଭିଯୋଗ ହୋଇଛି । ତେଣୁ ଆଇଟି ବିଶେଷଜ୍ଞଙ୍କ କହିବା କଥା, ଗୁଗୁଲ୍ ମ୍ୟାପ୍ ହେଉଛି ଏକ ସଫ୍ଟୱେୟାର । ପୂର୍ବରୁ ଲୋକେ ଯାହା ଫିଡବ୍ୟାକ୍ ଦେଇଥିବେ ସେହି ଅନୁଯାୟୀ ମ୍ୟାପରେ ତଥ୍ୟ ଦର୍ଶାଇବ । ତେଣୁ ଅଜଣା ଜାଗାକୁ ଯାଉଥିଲେ ଗୁଗୁଲ୍ ମ୍ୟାପ୍ ଉପରେ ସମ୍ପୂର୍ଣ୍ଣ ଭରସା ନକରି ସ୍ଥାନୀୟ ଲୋକଙ୍କୁ ବି ଠିକଣା ପଚାରିଦେବା ଉଚିତ୍ ।

ଆଧୁନିକ ଯାନ୍ତ୍ରିକ ଯୁଗରେ ସବୁ କାର୍ଯ୍ୟକୁ ଅତି ସହଜ କରିବା ପାଇଁ ବିଶ୍ୱର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ଅନେକ ପ୍ରଶଂସନୀୟ ପଦକ୍ଷେପ ହାତକୁ ନେଇଥିବାବେଳେ ୟୁଜର୍ସଜ୍ଞ ସ୍ୱଳ୍ପ ଜ୍ଞାନ, ଦକ୍ଷତା ଓ ବ୍ୟାବହାରିକ କୌଶଳ ବେଳେବେଳେ ଅକଳରେ ପକାଇଥାଏ ।

  • Reported by:
  • BIBARTAN PANDA , Niranjan Behera