• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗୁଗୁଲ୍ ସିନା ଦେଲା ତିକ୍ତ ଅନୁଭୁତି, ଗାଁ ପିଲାଙ୍କ ପାଖରୁ କିନ୍ତୁ ପାଇଗଲେ ମଧୁର ସ୍ମୃତି । ଗୁଗୁଲ୍ ମ୍ୟାପ୍ ଦେଖି ବାଟହୁଡ଼ି ଯାଇଥିବା ବିଦେଶୀ ପର୍ଯ୍ୟଟକ ବିଲ୍ୟୁ ଓରଫ୍ ମାର୍ସଲ୍ କେବେ ବି ଭୁଲିପାରିବେନି ଓଡ଼ିଶାକୁ, ଓଡ଼ିଆଙ୍କୁ ଏବଂ ଓଡ଼ିଆଙ୍କ ଖାଦ୍ୟ ପରମ୍ପରାକୁ । ବାଲେଶ୍ୱର ସୋର ଅଞ୍ଚଳରେ ୨ ଦିନର ରହଣୀ ଭିତରେ ଭିନ୍ନ ଅନୁଭୂତି ସାଉଁଟି ଆଜି ବାହୁଡ଼ିଯାଇଛନ୍ତି ବିଲ୍ୟୁ । ଆଜି ବିଲ୍ୟୁଙ୍କୁ ଝୁରୁଛନ୍ତି ଗ୍ରାମବାସୀ ।

ଭିନ୍ନ ଦେଶ, ଭିନ୍ନ ଭାଷା, ଭିନ୍ନ ଧର୍ମ ଆଉ ଭିନ୍ନ ଚାଲିଚଳଣି । ତଥାପି ଏମିତି କାହିଁକି ହୁଏ କେଜାଣି, ଥରୁଟିଏ ମନ ମିଶିଗଲେ ସବୁକିଛି ତୁଚ୍ଛ ହୋଇଯାଏ । ପର ବି ଆପଣାର ହୋଇଯାଏ । ପରଦେଶକୁ ଆସି ବିଦେଶୀ ବି ବନ୍ଧୁ ବନିଯାଏ । ଏଇ ଯେମିତି ଫ୍ରାନ୍ସ ପର୍ଯ୍ୟଟକ ମାର୍ସଲ୍ ଓରଫ୍ ବିଲ୍ୟୁ। ଗୁଗୁଲ୍ ମ୍ୟାପ୍ ଦେଖି ବାଟ ବଣା ହୋଇ କୋଲକାତା ବଦଳରେ ବାଲେଶ୍ୱର ଜିଲ୍ଲା ମହୁମୁହାଣ ପଞ୍ଚାୟତ ଗୁଠୁଣା ଗାଁରେ ଆସି ପହଞ୍ଚିଯାଇଥିଲେ ବିଲ୍ୟୁ । ହେଲେ ବିଲ୍ୟୁଙ୍କ ପାଖରେ ଯେ ଏତେ ପ୍ରତିଭା ଅଛି, ଆମେ ବି ଜାଣିନଥିଲୁ । ଏଇ ଯେମିତି ପାଟିରେ ପାଟିରେ ମ୍ୟୁଜିକ ପରିବେଷଣ ସହ ରାପ୍ ସଂଗ୍ ତ ମନ କିଣିନେଇଛି ଅଞ୍ଚଳବାସୀଙ୍କର ।

ବିଲ୍ୟୁ ବାଟବଣା ହୋଇ ଆସିଥାନ୍ତୁ ପଛକେ, ୨ ଦିନର ରହଣୀ ଭିତରେ ବିଦେଶୀ ଅନ୍ଦାଜରେ ଗୀତ ସଂଗୀତ ଗାନ କରି, କୋଟି ଓଡ଼ିଆଙ୍କ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜୟ ଜୟକାର କରି ଏବଂ ଓଡ଼ିଆ ଖାଦ୍ୟର ପ୍ରେମରେ ପଡ଼ି ଆପଣାର କରିନେଇଛନ୍ତି ଓଡ଼ିଆଙ୍କୁ । ଆଜି ବିଲ୍ୟୁ ଫେରିଯାଇଛନ୍ତି କୋଲକାତା । ଯିବାବେଳେ ଭାବବିହ୍ୱଳ ହୋଇ ବିଦାୟ ଦେଇଛନ୍ତି ମହୁମୁହାଣ ପଞ୍ଚାୟତର ଯୁବକ । ନିଜ ଆଡ଼ୁ ଟିକଟ୍ କାଟି ସୋର ଷ୍ଟେସନରେ ଟ୍ରେନରେ ବସାଇ ବିଦାୟ ଜଣାଇଛନ୍ତି ସମସ୍ତେ । ଆଉ ଯିବାବେଳେ ଅଞ୍ଚଳବାସୀଙ୍କ ଆତିଥ୍ୟ ଓ ଶ୍ରଦ୍ଧାକୁ ଭୁରି ଭୁରି ପ୍ରଶଂସା କରିବା ସହ ଏଣିକି ସପରିବାର ଆସିବେ ବୋଲି କହିଛନ୍ତି ।

ଗତ ନଭେମ୍ବରରେ ଭାରତ ଆସିଥିବା ବିଲ୍ୟୁ, ଦିଲ୍ଲୀ, ବାରାଣସୀ, ଖଡ଼ଗପୁର ଦେଇ ଓଡ଼ିଶା ପହଞ୍ଚିଥିଲେ । ଭୁବନେଶ୍ୱର ଓ ପୁରୀ ବୁଲିବା ପରେ ଭଦ୍ରକରୁ କୋଲକାତା ଯାଉଥିଲେ ଟ୍ରେନରେ । ଏହି ସମୟରେ ବାଲେଶ୍ବର ସୋର ଷ୍ଟେସନରେ ପହଞ୍ଚି ଗୁଗୁଲ୍ ମ୍ୟାପରେ ଗୋପାଳପୁର ୱାଟର୍ ଫଲ୍ ସର୍ଚ୍ଚ କରିଥିଲେ । କିନ୍ତୁ ସୋର ନିକଟ ସିନ୍ଧୁଆ ଡ୍ୟାମ୍ ଆଡ଼କୁ ଇସାରା କରୁଥିବା ଗୁଗୁଲ୍ ମ୍ୟାପର ନିର୍ଦ୍ଦେଶ ମାନି ଷ୍ଟେସନରୁ ଚାଲି ଚାଲି ଯାଉଥିଲେ । କିଛି ଦୂରରେ ମହୁମୁହାଁଣରେ କିଛି ଦୁର୍ବୃତ୍ତ ଦୁର୍ବ୍ୟବହାର କରୁଥିବା ଦେଖି ଗାଁର ଏହି ଯୁବକ ମାନେ ପହଞ୍ଚି ବିଲ୍ୟୁଙ୍କୁ ଉଦ୍ଧାର କରିଥିଲେ ଓ ଗୁଠୁଣା ପଡିଆର ଗାଁ କ୍ଲବରେ ରଖି ଆତିଥ୍ୟ ପ୍ରଦାନ କରିଥିଲେ । କେତେବେଳେ ସିଙ୍ଗଡ଼ା, ବରା ଦେଉଥିଲେ ତ ଆଉ କେତେବେଳେ ଦେଉଥିଲେ ଓଡ଼ିଆ ଖାଦ୍ୟ କ୍ଷୀରି ସହ ମଣ୍ଡା ।

ଏପରିକି ବିଲ୍ୟୁଙ୍କ ପସନ୍ଦର ନନଭେଜ୍ ଫ୍ରାଏଡ୍ ରାଇସ୍ ବି ଖାଇବାକୁ ଦେଉଥିଲେ । ଆଉ ଆଜି ଗଲାବେଳେ ନୂଆ ଡ୍ରେସ୍ ପିନ୍ଧାଇ କାରରେ ଆଣି ସୋର ଷ୍ଟେସନରୁ ଏଭଳି ବିଦାୟ ଜଣାଇଥିଲେ ସ୍ଥାନୀୟ ଯୁବକ । ଟ୍ରେନରେ ଥିବା TTE ବି ଅତିଥି ଦେବୋଭବଃ କହି ଜେନେରାଲ୍ ବଦଳରେ AC କୋଚରେ ଆଣି ବସାଇଥିଲେ । ବିଦେଶୀ ପର୍ଯ୍ୟଟକ ବିଲ୍ୟୁଙ୍କୁ ଗୁଗୁଲ୍ ମ୍ୟାପ୍ ସିନା ଆଜି ବାଟବଣା କରିଦେଇଥିଲା, ହେଲେ ସ୍ନେହ ଆଉ ଶ୍ରଦ୍ଧାର ବାର୍ତ୍ତା ଦେଇ ଯେଉଁ ନୂଆ ଦିଶା ଦେଖାଇଲେ ଓଡ଼ିଆ, ବିଲ୍ୟୁଙ୍କ ପାଇଁ ତାହା ସ୍ମରଣୀୟ ହୋଇରହିଗଲା ।

  • Reported by:
  • Niranjan Behera