Advertisment

ବାପା ଥିଲେ ବିଧାୟକ; ଏବେ ପୁଅ ବିକୁଛନ୍ତି ଅଣ୍ତା

ଅଣ୍ଡା ବିକୁଛନ୍ତି ପୂର୍ବତନ ବିଧାୟକଙ୍କ ପୁଅ । ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଜଣେ ଲୋକପ୍ରିୟ ନେତାଙ୍କ ପରିବାର ।

author-image
Manoranjan Behera
Former Odisha MLA's son sells eggs

Former Odisha MLA's son sells eggs

ଏବେକା ସମୟରେ ଜଣେ ଏମଏଲଏ କି ମନ୍ତ୍ରୀ ହୋଇଗଲେ ସାତ ପୁରୁଷ ପାଇଁ ଧନ ସଂଚୟ କରୁଛନ୍ତି। ହେଲେ ଆଗେ ବିଧାୟକମାନେ ଜନସେବାକୁ ମନ୍ତ୍ର କରି ପରିବାର କଥା ଭୁଲି ଯାଉଥିଲେ। ଯାହାର ପ୍ରମାଣ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀରୁ। ୬୦ ଦଶକରେ ସୁକିନ୍ଦାର ବିଧାୟକ ଥିବା ସ୍ୱର୍ଗତ ବାଇଧର ସିଂଙ୍କ ପରିବାରର ଦୁଃସ୍ଥିତି ଆଖିରେ ନଦେଖିଲେ ବିଶ୍ୱାସ ହେବନି। ଅଟୋରେ ଅଣ୍ଡା ବିକି ଚଳୁଛନ୍ତି ତାଙ୍କ ପରିବାର।

Advertisment

ଅଣ୍ଡା ବିକୁଛନ୍ତି ପୂର୍ବତନ ବିଧାୟକଙ୍କ ପୁଅ । ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଜଣେ ଲୋକପ୍ରିୟ ନେତାଙ୍କ ପରିବାର । କଥାଟା ଅଡୁଆ ଲାଗୁଥିବ । ବିଶ୍ୱାସ ଲାଗୁନଥିଲେ ବି ସତ । ଜଣେ ଏକ୍ସ ଏଏମଏଲଏଙ୍କ ଘର ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଷାଠିଏ ଦଶକରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ନେତା ବାଇଧର ସିଂଙ୍କ ବାସସ୍ଥାନ। ଆଦୌ ବଖାଣିବାର ଆବଶ୍ୟକତା ନାହିଁ ତାଙ୍କ ଉତ୍ତର ପୀଢ଼ିଙ୍କ ଘୋର ଆର୍ଥିକ ଦୁଃସ୍ଥିତିର ଅଦେଖା ଚିତ୍ର । ଜରି ପାଲ ଟଣା ଭଙ୍ଗା ଦଦରା ମାଟି ଘରେ ବିତୁଛି ବାଇଧରଙ୍କ ପୁଅ, ବୋହୂ ଓ ନାତୁଣୀଙ୍କ ଜୀବନ।

ସେ ଘରେ ଥିବା ଲୋକଙ୍କୁ ଦେଖିଲେ ଲାଗୁଛି ସରକାରଙ୍କ ମାଳ ମାଳ ଯୋଜନା ତା’ହେଲେ କାହା ପାଇଁ । ରାସନ କାର୍ଡ ଖଣ୍ଡେ ପାଇବାକୁ ଗୁହାରି କରି କରି ଥକି ଯାଇଛନ୍ତି। ମୋ କୁଡ଼ିଆ, ଆବାସ ଘର ଏମାନଙ୍କ ପାଇଁ ସାତ ସପ୍ନ, ମାଗଣା ଗ୍ୟାସ୍ ପାଖ ଛୁଇଁନି । ତେଣୁ କାଠ ଚୂଲି ଚିର ସହଚର । ନାତୁଣୀଟି ପଢ଼ିବାକୁ ଚାହୁଁଥିଲେ ବି ବାଧକ ସାଜିଛି ଅନଟନ।

Advertisment

ଯାଜପୁର ରାମ୍ପିଲୋ ଗାଁରେ ଥିବା ଏ ପ୍ରତିମୂର୍ତ୍ତି ସ୍ୱର୍ଗତ ବାଇଧର ସିଂଙ୍କର । ୨୦୧୦ ମସିହାରେ ଆରପାରିକୁ ଚାଲିଯିବା ପରଠୁ ଅଞ୍ଚଳବାସୀ ତାଙ୍କୁ ଝୁରୁଛନ୍ତି । ୧୯୬୧ରୁ ୬୭ ଯାଏଁ କଂଗ୍ରେସ ବିଧାୟକ ଥିଲେ । ତିନି ତିନିଜଣ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ, ବିରେନ ମିତ୍ର ଓ ସଦାଶିବ ତ୍ରିପାଠୀଙ୍କ ସହ କାମ କରି ସୁକିନ୍ଦା ନିର୍ବାଚନମଣ୍ଡଳୀର ପଛୁଆବର୍ଗ ଓ ସାଧାରଣ ଜନତାଙ୍କ ପାଇଁ ସବୁବେଳେ ଲଢ଼େଇ କରୁଥିଲେ । ହେଲେ ତା’ଭିତରେ ନିଜ ପରିବାର କଥା କିନ୍ତୁ ଭୁଲି ଯାଇଥିଲେ ।

ବାଇଧରଙ୍କ ସାନ ପୁଅ ତ୍ରିଲୋଚନ ସିଂ । କଷ୍ଟମଷ୍ଟେ ଅଟୋ ଖଣ୍ଡେ କିଣି ଗାଁ ଗାଁ ବୁଲି ବୁଲି ଅଣ୍ଡା ବିକୁଛନ୍ତି । ଅର୍ଥାଭାବ ଏମିତି ଗ୍ରାସିଛି ଯେ, ମାଟି ଘର ଖଣ୍ଡିକ ମରାମତି ବି କରିପାରୁ ନାହାନ୍ତି। ପକ୍କା ଘର ଖଣ୍ଡେ ପାଇଁ ବ୍ଲକ୍‌କୁ  ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି। ଶେଷରେ କ୍ଷୋଭର ସହ ମାଳ ମାଳ ଯୋଜନା ତା’ହାଲେ କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ତେଣେ ସ୍ଥାନୀୟ ବିଡିଓ ସାରଦା ପ୍ରସନ୍ନ ପଣ୍ତା କହିଛନ୍ତି- ସ୍ୱର୍ଗତ ବାଇଧର ସିଂଙ୍କ ପରିବାରକୁ କେମିତି ସୁବିଧା ମିଳିବ, ସେ ନିଜେ ଏ ଦିଗରେ ଉଦ୍ୟମ କରିବେ ।

ଏବେ ଅପେକ୍ଷା କେତେଶୀଘ୍ର ପୂର୍ବତନ ବିଧାୟକଙ୍କ ବାଇଧର ସିଂଙ୍କ ପରିବାରର ଦୁଃସ୍ଥିତିକୁ ହୃଦୟଙ୍ଗମ କରୁଛି ଯାଜପୁର ଜିଲ୍ଲା ପ୍ରଶାସନ ।

Special Story
Advertisment
Advertisment