• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦିନେ ସେ ଥିଲେ ଜନପ୍ରତିନିଧି, ଆଉ ଆଜି ଜୀବନ ଯନ୍ତ୍ରଣାରେ ଛଟପଟ ଜଣେ ଦାଦନ ଶ୍ରମିକ । ପଦ ଓ କ୍ଷମତା ଯିବା ପରେ ବେଢ଼ି ରଖିଛି ଦୁର୍ଭାଗ୍ୟ ଓ ଦାରିଦ୍ର୍ୟ । ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ତାଙ୍କ ସୁଖର ସଂସାରକୁ ବି ଭାଙ୍ଗି ଚୁରମାର କରିଦେଇଛି ନିୟତି । ଆମେ କହୁଛୁ ସମ୍ବଲପୁର ଧନକଉଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷା କାନ୍ତି କୁମ୍ଭାରଙ୍କ କଥା । ତାମିଲନାଡ଼ୁର ସୁତାକଳରେ ପୁଣି ଦାଦନ ଖଟିବାକୁ ଫେରିଯିବା ପୂର୍ବରୁ, ତାଙ୍କ ମୁହଁରୁ ଉତ୍ଥାନ-ପତନର କରୁଣ କାହାଣୀ ଶୁଣିଥିଲା ଓଟିଭି ।

ଇଚ୍ଛା କଣ ସବୁବେଳେ ପୂରଣ ହୁଏ? କାନ୍ତିଙ୍କ ଆଖି ଆଗରେ ଏବେ ଜଳଛବି ଭଳି ଭାସିଯାଉଛି । ବିତିଯାଇଥିବା ଦିନ, ଆଉ ମନରୁ ପାଶୋରି ଯାଇଥିବା ସ୍ୱପ୍ନ । ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷା କାନ୍ତି କୁମ୍ଭାର । ୧୯୯୭ ମସିହାରେ ମାତ୍ର ୧୯ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଥିଲେ କାନ୍ତି । ତରୁଣୀ ଆଖିରେ ବସା ବାନ୍ଧିଥିଲା ଲୋକଙ୍କ ସେବା କରିବାର ସ୍ୱପ୍ନ । କିନ୍ତୁ ବିଡ଼ମ୍ବନା, ସେତେବେଳେ ଅନେକ ଲୋକଙ୍କ ଦୁଃଖ ଦୂର କରିଥିବା ଏହି ଯୁବନେତ୍ରୀ, ଆଜି ନିଜେ ଛଟପଟ ଅସରନ୍ତି ଦୁଃଖର ଚକ୍ରବ୍ୟୁହରେ । ଭାଗ୍ୟ ତାଙ୍କ ସହ ଏମିତି ଚକାଭଉଁରୀ ଖେଳିଛି ଯେ, ସେଦିନର ବ୍ଲକ୍ ଅଧ୍ୟକ୍ଷା ଏବେ ଜଣେ ଦାଦନ ଶ୍ରମିକ।

୨୬ ବର୍ଷ ତଳେ କଳାମାଟି ପଞ୍ଚାୟତର ସମିତି ସଭ୍ୟା ଓ ଧନକଉଡ଼ା ବ୍ଲକର ଅଧ୍ୟକ୍ଷା ବନିବା ପରେ, କାନ୍ତିଙ୍କ ପାଖରେ ପଦପଦବି ଥିଲା, କ୍ଷମତା ଥିଲା । ୨୦୦୦ ମସିହାରେ ବିବାହ ପରେ, ୪ ବର୍ଷ ଯାଏଁ ସ୍ୱାମୀ-ପୁଅ-ଝିଅଙ୍କୁ ନେଇ ସୁଖର ସଂସାର ବି ଥିଲା । ହେଲେ ୨୦୦୨ରେ ପଦବି ଗଲା, ଆଉ ୨୦୦୪ରେ ଭୁଶୁଡ଼ିଗଲା ସୁଖର ସଂସାର । ସଂପର୍କରେ ତିକ୍ତତା ଯୋଗୁଁ ସ୍ୱାମୀଙ୍କୁ ଛାଡ଼ି ବାପଘରକୁ ପଳାଇ ଆସିଥିଲେ କାନ୍ତି । ସମ୍ବଲପୁର ସହର ବଉଦିଆପଡ଼ାର ନୁଆଁଣିଆ ଝୁମ୍ପୁଡ଼ି ଘର ଏବେ ତାଙ୍କ ଠିକଣା ।

ଟଙ୍କା ଅଭାବରୁ ପ୍ରଥମେ କିଛି ଦିନ ପରଘରେ ପାଇଟି କଲେ । ସେଥିରେ ଲାଜ ଲାଗିବାରୁ ମାସିକ ମାତ୍ର କେଇ ଶହ ଟଙ୍କା ଦରମାରେ ୨ଟି ଶିକ୍ଷାନୁଷ୍ଠାନରେ ଚାକିରି କଲେ । ତଥାପି, ପିଲାଙ୍କ ପାଠ ପଢ଼ାପାଇଁ ଅର୍ଥ ନିଅଣ୍ଟ ହେବାରୁ ତାମିଲନାଡ଼ୁର ଏକ ସୂତା କଳରେ କାମ କରିବାକୁ ଚାଲିଗଲେ । ଦୁଃଖର କଥା, ଏତେ ସବୁ ସଂଘର୍ଷ ପରେ ବି ତାଙ୍କୁ ପୁଅର ମାଟ୍ରିକ ପରେ ଏବଂ ଝିଅର ପ୍ଲସ୍ ଟୁ ପରେ ପାଠପଢ଼ା ବନ୍ଦ କରିବାକୁ ପଡ଼ିଛି ।

ଏବେ କିଛି ଦିନ ପାଇଁ ଗାଁକୁ ଆସିଛନ୍ତି କାନ୍ତି । ଖୁବଶୀଘ୍ର ପୁଣି ଫେରିଯିବେ ଦାନା ଯୋଗାଡ଼ ଲାଗି ଦାଦନ ଖଟିବାକୁ । ସୂତାଖିଅରେ ଟୁକୁଡ଼ା ଟୁକୁଡ଼ା ସ୍ୱପ୍ନ ଗୁନ୍ଥିବାକୁ।

  • Reported by:
  • SANJAY JENA