/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702914718.jpg)
Tiger Fight
ଶିମିଳିପାଳର ଇଲାକାରେ ଏବେ ମହାବଳ T-35ର ରାଜୁତି । ନଭେମ୍ବର ୯ ତାରିଖରୁ ଅନ୍ୟ ଏକ ମହାବଳ T-31 ସହ ପ୍ରାୟ ସପ୍ତାହେ ଲଢ଼େଇ ପରେ ଜିତାପଟ ହାସଲ କରିଛି T-35 । ଜବରଦସ୍ତ ବିଜୟ ପରେ ନିଜ ଏରିଆରେ ଦମ୍ଭର ସହ ବିଚରଣ କରୁଛି । ଏମିତିକି ଏହି ମହାବଳ ବାଘର କପାଳରେ ରହିଛି ଏକ ଗାଢ଼ ପାଟର୍ନ । ଏନେଇ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପକ୍ଷରୁ ସୋସିଆଲ ମିଡିଆ- ‘X’ରେ T-35 ବାଘର ଏକ ଫଟୋ ଓ ଭିଡିଓ ଜାରି ପରେ ଜୋର ଧରିଛି ଚର୍ଚ୍ଚା ।
ସମସ୍ତଙ୍କ ମନରେ ପ୍ରଶ୍ନ, କାହିଁକି ହେଲା ଦୁଇ ମହାବଳ ଲଢ଼େଇ ? ଏନେଇ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକ କହିଛନ୍ତି, ସାଧାରଣତଃ ଅଢ଼େଇରୁ ୩ ବର୍ଷ ବୟସରେ ପହଞ୍ଚିବା ପରେ ପୁରୁଷ ମହାବଳ ନିଜସ୍ୱ ଇଲାକା ଖୋଜନ୍ତି । ଆଉ ଏଥିପାଇଁ ଲଢ଼େଇ ମଧ୍ୟ କରନ୍ତି । ଏ କ୍ଷେତ୍ରରେ ବି ସେଭଳି ଲଢ଼େଇ ହୋଇଛି । ଯେହେତୁ ଶିମିଳିପାଳରେ ବି ଏଭଳି ଘଟଣା ଘଟୁଛି, ଯାହାକି ସାଧାରଣ ଲୋକଙ୍କ ପାଇଁ ଦେଖିବା ଓ ଜାଣିବା ସମ୍ଭବ ହୋଇ ନ ଥାଏ, ତେଣୁ ଏ ଫଟୋ ଓ ଭିଡିଓ ଜାରି କରାଯାଇଛି ।
ସବୁଠୁ ଖୁସିର ଖବର ହେଲା, ଶିମିଳିପାଳରେ ବଢ଼ୁଛି ବାଘବଂଶ । ଏବେ ଅଭୟାରଣ୍ୟରେ ଅଛନ୍ତି ପ୍ରାୟ ୩୫ଟି ମହାବଳ । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲୁ ରହିଥିବା ନିଜସ୍ୱ ବାଘ ଗଣନା ବେଳେ କ୍ୟାମେରା ଟ୍ରାପରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକ । ଏମିତିକି ଗଣନା ଶେଷ ସୁଦ୍ଧା ଆହୁରି କିଛି ବାଘ ଶାବକ ନେଇ ତଥ୍ୟ ଆସିବାର ସମ୍ଭାବନା ଥିବା ସୂଚନା ବି ଦେଇଛନ୍ତି ।
ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତ, ୨୦୦୨ ମସିହା ବେଳକୁ ଶିମିଳିପାଳ ୧୦୦ ମହାବଳଙ୍କ ବାସସ୍ଥାନ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ହିସାବ ଯୋଗୁ କମିଥିଲା ବାଘଙ୍କ ସଂଖ୍ୟା । ହେଲେ ଏବେ ପୁଣି ଥରେ ଶିମିଳିପାଳରେ ମହାବଳ ବଂଶ ବଢ଼ିବା ନିଶ୍ଚିତ ଭାବେ ଉତ୍ସାହଜନକ ।
କେନ୍ଦ୍ର ସରକାରଙ୍କ ସଦ୍ୟତମ ବାଘ ଗଣନା ରିପୋର୍ଟ ଅନୁସାରେ, ରାଜ୍ୟରେ ମୋଟ ୨୦ ମହାବଳ ଥିବା ବେଳେ ସେଥିରୁ କେବଳ ଶିମିଳିପାଳରେ ୧୬ଟି ଅଛନ୍ତି । ତେବେ ୨୦୨୪ ଜାନୁଆରୀ ୧୫ରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ହେବାକୁ ଥିବା ବାଘ ଗଣନା ରିପୋର୍ଟ, କ’ଣ କହୁଛି, ତାହା ଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)