• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟ୍ରାକ୍ଟର ବିଦାରୁଛି ଫଳନ୍ତି କୋବି କିଆରିକୁ । ଟ୍ରାକ୍ଟର ବିଦାରୁଛି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଆମ ବ୍ୟବସ୍ଥାକୁ । ଛନଛନିଆ ବନ୍ଧା କୋବି କ୍ଷେତକୁ ନୁହେଁ ବରଂ ଟ୍ରାକ୍ଟର ଦଳି ମକଚୁଛି ନିରୀହ ଚାଷୀର ହାଡ଼ଭଙ୍ଗା ପରିଶ୍ରମକୁ ଓ ବର୍ଷକର ଦାନାପାଣିକୁ । ଏଭଳି କିଛି ବୁକୁ ଫଟା ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଗଂଜିଆଟିକ୍ରା ଗାଁରେ ।

ମୁଣ୍ଡ ଝାଳ ତୁଣ୍ଡରେ ମାରି ଏକର ଏକର ଜମିରେ କୋବି ଫଳାଇ ଦୁଇ ପଇସା ଲାଭ ଆଶାରେ ଥିବା ଚାଷୀ ଆଜି ନିଜେ ହିଁ ଉଜାଡୁଛି ନିଜ କ୍ଷେତ । କାରଣ ଅଭାବୀ ବିକ୍ରି । ବିରାଟ ବଡ଼ ବଡ଼ କୋବି ଗୋଟାକୁ ମାତ୍ର ୩ ଟଙ୍କା ହିସାବରେ ମାଗୁଛନ୍ତି ବେପାରୀ, ତୋଳା ଖର୍ଚ୍ଚ ଯେତେବେଳେ ଉଠୁନି ସେଠି ଆଉ ବିକ୍ରି କଥା ଭାବିବେ ବା କେମିତି ? ଶୀତଳଭଣ୍ଡାର ଥିଲେ ହୁଏତ ଫସଲ ସାଇତି ଥାନ୍ତେ ହେଲେ ସେ ସୁବିଧା ନାହିଁ । ତାହାଲେ ଆଜିର ଏ ସ୍ଥିତି ପାଇଁ ଦାୟୀ କିଏ ? ଜିଲ୍ଲା କୃଷି ଅଧିକାରୀ ଏଭଳି ସ୍ଥିତିରେ ଚାଷୀଙ୍କୁ କିନ୍ତୁ ପଢ଼ାଇଛନ୍ତି ନୂଆ ପାଠ । କହିଛନ୍ତି ସମସ୍ତେ ଯଦି କୋବି ଫସଲ କରିବେ, ଏମିତି ଅବସ୍ଥା ହିଁ ହେବ ।

ଅଧିକ ପଢ଼ନ୍ତୁ: ପରିଶ୍ରମର ଛାତି ଉପରେ ଟ୍ରାକ୍ଟର ଚଢାଇଦେଲେ ଚାଷୀ

ଟମାଟୋ କିଆରୀ ଅବସ୍ଥା ବି ସମାନ । ଲାଲ୍ ଟହ ଟହ ଅବସ୍ଥାରେ ପେନ୍ଥା ପେନ୍ଥା ହୋଇ ଗଛରେ ଝୁଲୁଛି ଯେତିକି, ପଚି ସଢ଼ି କ୍ଷେତରେ ଲୋଟୁଛି ସେତିକି । ପାଟଣାଗଡ଼ ବ୍ଲକ୍‌ର ଶହ ଶହ ଏକର ଜମିରେ ସମାନ ଚିତ୍ର । ବେପାରି ଏଠି କିଲୋକୁ ଟଙ୍କେ ନହେଲେ ୨ ଟଙ୍କାରେ ଚାଷୀଙ୍କୁ ମାଗୁଛନ୍ତି । ଗଛରୁ ତୋଳିଲେ ତ ୩ ଟଙ୍କା ଖର୍ଚ୍ଚ ପଡୁଛି, ତେଣୁ ବିକିବେ କାହିଁକି ? ଏଇ ଚିନ୍ତାରେ ଟମାଟୋକୁ ବିଲରେ ଫୋପାଡ଼ି ଦେଉଛି ଚାଷୀ ।

ଟମାଟୋ ଚାଷ ପାଇଁ ଏହି ଅଞ୍ଚଳ ବେଶ୍ ଜଣାଶୁଣା । ତୁଳସୀଡୁଙ୍ଗୁରୀ ଗାଁରେ ଏଥର ଶତାଧିକ ଚାଷୀ ଟମାଟୋ ଫସଲ ଆପଣାଇଛନ୍ତି । ହେଲେ ଲାଭ କ୍ଷତି ବିଷୟରେ ନକହିବା ଭଲ । ତେଣେ ଏଠିକାର କୃଷି ଅଧିକାରୀଙ୍କୁ ଟମାଟୋ ଚାଷର ଦୁଃସ୍ଥିତି ସମ୍ପର୍କରେ ପଚାରିବାରେ ସେ କୁଆଡ଼େ ଏ ବେଳରେ ଶୀତଳଭଣ୍ଡାର ସ୍ୱପ୍ନ ଦେଖାଇଛନ୍ତି ।

ବାର ବାର ଓଡ଼ିଶା କୁ କୃଷି କର୍ମଣ ପୁରସ୍କାର, କୃଷି ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବଜେଟ୍ ଓ ଚାଷୀଙ୍କ ଉନ୍ନତି ପାଇଁ ମାଳ ମାଳ ଯୋଜନାକୁ ଯେମିତି ଏ ବନ୍ଧାକୋବି ଓ ଟମାଟୋ କ୍ଷେତ ଟିଟିକାରି ମାରିବା ସଦୃଶ ହୋଇଛି ।