Advertisment

ସ୍କୁଲ ଯାଉଥିଲା, ପାଠ ସାଠ ଭଲ ଥିଲା; ହଠାତ୍ ବିଗିଡ଼ିଗଲା ମାନସିକ ସ୍ଥିତି ! ଗୋଡ଼ରେ ପଡ଼ିଲା ବେଡ଼ି..

ପାଦେ ପାଦେ ଏମାନଙ୍କ ପ୍ରତି ରହିଛି ବିପଦ । କାରଣ ଦୁନିଆରେ କଣ ହେଉଛି କଣ ହେଉନି ଏମାନେ କିଛି ଜାଣନ୍ତି ନାହିଁ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Emotional Story

Emotional Story

ଗୋଡରେ ବେଡି ପଡିଛି, ଦୁଆର ମୁହଁରେ ବଢିଲା ଝିଅ ବସିଛି । ବଢିଲା ଝିଅକୁ ଦେଖିଲେ ଆପଣ ହଠାତ୍‌ ଠଉରାଇ ପାରିବେ ନାହିଁ କି ସେ ଜଣେ ମାନସିକ ଅନଗ୍ରସର ଯୁବତୀ । ହେଲେ ବିଧାତା ତାଙ୍କ ସହ ଏମିତି ଖେଳ ଖେଳିଲା ଯେ ଏବେ ଗୋଡରେ ବେଡି ବନ୍ଧା ହେଲା । ଏମିତି ସମାନ ଘଟଣା ଆଉ ଜଣଙ୍କ ପରିବାରରେ ମଧ୍ୟ ଘଟିଛି । ଘରର ଭେଣ୍ଡିଆ ପୁଅ ଗୋଡ଼ରେ ବି ବେଡ଼ି ପଡ଼ିଛି ।

Advertisment

ପାଦେ ପାଦେ ଏମାନଙ୍କ ପ୍ରତି ରହିଛି ବିପଦ । କାରଣ ଦୁନିଆରେ କଣ ହେଉଛି କଣ ହେଉନି ଏମାନେ କିଛି ଜାଣନ୍ତି ନାହିଁ । ଆଉ ୨୪ ଘଣ୍ଟା ଏମାନଙ୍କ ଉପରେ ନଜର ରଖିବା ସମ୍ଭବ ବି ନୁହେଁ । କାଳେ କେତେବେଳେ କୁଆଡେ ପଳାଇବେ ତାହାକୁ ବିଚାର କରି ଗୋଡ଼ରେ ଏମିତି ବେଡି ପକାଇଛନ୍ତି ପରିବାର ଲୋକେ । ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବର୍ଷବର୍ଷ ଧରି ଦୁଇ ଜଣଙ୍କ ଗୋଡରେ ବେଡ଼ି ପଡିଛି ।

ଏହି ଦୁଇ ଜଣ ହେଉଛନ୍ତି ମମିତା ପ୍ରଧାନ ଓ ଅଟଳ ପ୍ରଧାନ । ମମିତାଙ୍କ ବୟସ ୨୩ ହୋଇଥିବା ବେଳେ ଅଟଳଙ୍କ ବୟସ ୨୨ ଟପିଲାଣି । ଦୁହେଁ କନ୍ଧମାଳ ଟିକାବାଲି ବ୍ଲକର ପାଡାଙ୍ଗି ଗାଁ ବରସାହିର ବାସିନ୍ଦା । ମମିତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ହଠାତ୍‌ ମାନସିକ ସ୍ତରରେ ଦୁର୍ବଳ ହୋଇଗଲେ । ଅନେକ ସ୍ଥାନରେ ମମିତାଙ୍କର ଚିକିତ୍ସା କରାଗଲା । ହେଲେ କିଛି ଲାଭ ହେଲା ନାହିଁ । ଏମିତିକି ବାରମ୍ବାର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ମମିତା । ତେଣୁ ଇଚ୍ଛା ନଥିଲେ ବି ବାଧ୍ୟ ହୋଇ ତାଙ୍କ ଗୋଡରେ ବେଡି ପକାଇ ରଖୁଛନ୍ତି ପରିବାର ଲୋକ ।

Advertisment

ଆଉ ଅଟଳଙ୍କ ଦୁଃଖ ବି କିଛି କମ୍‌ ନୁହେଁ । ଭେଣ୍ଡା ବୟସରେ ପୁଅର ପାଦରେ ଯେତେବେଳେ ବେଡି ପଡିଛି ସେ ଦୃଶ୍ୟ ଦେଖି ମାଆର ଛାତି ଯେ କଣ ହେଉଥିବ ତାହାକୁ ଭାଷାରେ କହିବା ଅସମ୍ଭବ । ପିଲାଟି ଦିନରୁ ମାନିସକ ଭାରସ୍ୟାମ ହରାଇବା ପରେ ବିଭିନ୍ନ ମେଡିକାଲ ନେଇ ପୁଅର ଚିକିତ୍ସା କରାଇଛନ୍ତି ବାପା-ମାଆ। ହେଲେ ସୁସ୍ଥ ହେଲାନି ପୁଅ । ବାଧ୍ୟ ହୋଇ ଗୋଡରେ ଲୁହା ଶିଙ୍କୁଳି ବାନ୍ଧିଲେ ପରିବାର ଲୋକ । କିନ୍ତୁ ଚେନ୍‌ ବନ୍ଧା ହେବା ପରେ ବି ଡେଇଁ ଡେଇଁ ଘରୁ ପଳାଉଛି ଭେଣ୍ଡିଆ ପୁଅ । ଆଉ ଖୋଜି ଖୋଜି ଆଣୁଛନ୍ତି ପରିବାର ଲୋକ ।

ତେବେ ଏ ଦୁହିଁଙ୍କ ସମ୍ପର୍କରେ ସ୍ଥାନୀୟ ବରସାହିର ସ୍ଵାତୀ ସ୍ଵେଚ୍ଛାସେବୀ ସଂସ୍ଥା ତଥା ମେଣ୍ଟାଲ ହେଲ୍ଥ ପ୍ରୋଜେକ୍ଟର କର୍ମକର୍ତା ମାନେ ଜାଣିବା ପରେ ଉଭୟଙ୍କ ଘରେ ପହଞ୍ଚିଛନ୍ତି । ସେମାନଙ୍କ ଚିକିତ୍ସା କେମିତି କରାଯିବ ସେନେଇ ଚେଷ୍ଟା ବି କରୁଛନ୍ତି । ହେଲେ ଦୁଃଖର କଥା ଏ ଦୁହେଁଙ୍କୁ ପ୍ରଶାସନର ଏଯାଏଁ ମିଳିନି କୌଣସି ସହାୟତା । ଯେଉଁଥିପାଇଁ ବଡ଼ ଦୁଃଖରେ ଦିନ କାଟୁଛନ୍ତି ଦୁହିଁଙ୍କ ପରିବାର ।

ଏନେଇ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଦୁଇ ମାନସିକ ଅନଗ୍ରସର ରୋଗୀଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା ସହିତ ତାଙ୍କ ଚିକିତ୍ସା ପାଇଁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରାଯିବ ।

Advertisment
Advertisment