• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିବାହ ଯୋଗ୍ୟା ଝିଅଟିଏ, ପରିବାର ଲୋକଙ୍କ ନିଷ୍ପତ୍ତି ବିରୋଧରେ ପ୍ରେମ ବିବାହ କରିବାରୁ ରାଗ ଓ ଅଭିମାନରେ ଝିଅ ପାଇଁ ଶୁଦ୍ଧି ହୋଇ ଗଲେ ଆତ୍ମୀୟ ଓ ଜ୍ଞାତି କୁଟୁମ୍ବ । ଗୋଟେ ପଟେ ଝିଅର ବିବାହ ଉତ୍ସବ ଚାଲିଥିବା ବେଳେ ଅନ୍ୟପଟେ ଝିଅର ଶୁଦ୍ଧିକ୍ରିୟା କରିବା ଘଟଣା କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ବେଦି ଉପରେ ଯିଏ କନ୍ୟା ବେଶରେ ବସିଛି, ତାରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିର ପର୍ବ । କଥାଟା କାନକୁ ଅଡୁଆ ଲାଗୁଥିଲେ ବି ସତ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୂଆବଜାର ଅଞ୍ଚଳରେ ଗତ ସୋମବାର ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଘଟଣା । ସ୍ଥାନୀୟ ନୂଆବଜାର ଅଞ୍ଚଳର ରାଜେନ୍ଦ୍ର ମଲ୍ଲିକଙ୍କ ସହ ସେହି ଗାଁର ଯୁବତୀ ଦୀପାଞ୍ଜଳିଙ୍କ ପ୍ରେମ ସମ୍ପର୍କ ରହି ଆସିଥିଲା । ଦୁହେଁ ଦୁହିଁଙ୍କୁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ଶ୍ରୀବାସ୍ତବଙ୍କ ପରିବାର ଲୋକେ ଏ ନିଷ୍ପତ୍ତରେ ସମ୍ମତି ଦେଇଥିବା ବେଳେ ବିରୋଧ କରି ଆସୁଥିଲେ ଦୀପାଞ୍ଜଳିଙ୍କ ପରିବାର। ଆଉ ନିଜ ଘର ଲୋକେ ରାଜି ନଥିବାରୁ ଦୀପାଞ୍ଜଳି ହଠାତ ଘରଛାଡ଼ି ରାଜେନ୍ଦ୍ରଙ୍କ ପାଖକୁ ଚାଲି ଆସିଥିଲେ ।

ରାଜେନ୍ଦ୍ରଙ୍କ ପରିବାର ଲୋକେ ଏ ନେଇ ପୋଲିସରେ ଜଣାଇଥିଲେ । ଦୁଇ ପ୍ରେମୀ ଯୁଗଳ ବିବାହ ନିଷ୍ପତ୍ତିରେ ଅଟଳ ଥିବାରୁ ସେମାନଙ୍କ ବିବାହ ପାଇଁ ଧୂମଧାମ ଆୟୋଜନ କରିଥିଲେ ରାଜେନ୍ଦ୍ରଙ୍କ ପରିବାର । ଆଉ ସେପଟେ ଏ ବିବାହକୁ ମୂଳରୁ ବିରୋଧ କରି ଆସୁଥିବା ଦୀପାଞ୍ଜଳିଙ୍କ ପରିବାର ଲୋକେ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ । ରାଗ, ଅଭିମାନରେ ଝିଅ ପ୍ରତି ଥିବା ସ୍ନେହ ସମ୍ପର୍କ ଭୁଲି ଆୟୋଜନ କରିଥିଲେ ତାର ଶୁଦ୍ଧିକ୍ରିୟା ପର୍ବ । ଝିଅର ମୃତ୍ୟୁ ହୋଇଥିବା ଢଙ୍ଗରେ ବନ୍ଧୁ, ବାନ୍ଧବ ଓ ପରିଜନଙ୍କୁ ଡାକି ତାକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଝିଅର ପ୍ରେମ ବିବାହକୁ ବିରୋଧ କରି ପରିବାରର ଏଭଳି ଶୁଦ୍ଧିକ୍ରିୟା ଆୟୋଜନ ପରେ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ପୁଅ ଘର ଲୋକେ । ସମାଜରେ ପ୍ରେମ ବିବାହ ନୂଆ ନୁହେଁ, କି ପୁଅ ଝିଅ ପରସ୍ପରକୁ ଭଲ ପାଇ ବିବାହ ନିଷ୍ପତ୍ତି ନେବା ପାପ ନୁହେଁ । ହେଲେ ଝିଅ ଘର ଲୋକଙ୍କ ଏଭଳି ଆଚରଣକୁ ପୁଅ ଘର ଲୋକେ ସମାଲୋଚନା କରିଥିବା ବେଳେ ଝିଅ ଘର ଲୋକେ କିନ୍ତୁ ତିଥି ଓ ନକ୍ଷତ୍ର ବିନା ଏଭଳି ବିବାହର ଆୟୋଜନ କରି ସେମାନଙ୍କୁ ଅପମାନିତ କରିଥିବା କହିଛନ୍ତି । ଏ ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

  • Reported by:
  • Banamali Sahoo