• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବ ପିଢ଼ିଙ୍କୁ ଆଗକୁ ବଢ଼ିବାକୁ ଆହ୍ୱାନ ଦେଉଛନ୍ତି । ନିଜର ବୁଦ୍ଧି ଓ ଜ୍ଞାନ କୌଶଳକୁ କାର୍ଯ୍ୟରେ ଲଗାଇବା ପାଇଁ ସୁଯୋଗ ଦେଉଛନ୍ତି । ଦେଶରେ ଅଧିକରୁ ଅଧିକ ଯୁବପିଢ଼ିଙ୍କ କ୍ଷେତ୍ରରେ ଷ୍ଟାର୍ଟଅପ୍ ପାଇଁ କିଭଳି ଆଗ୍ରହ ସୃଷ୍ଟି ହେବ ସେଥିପାଇଁ ଅନେକ ବ୍ୟବସ୍ଥା କରିଛନ୍ତି । ଏମିତିକି ଅନେକ ସରକାରୀ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଷ୍ଟାର୍ଟଅପ୍‌ ଆରମ୍ଭ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଆଉ ଏହାକୁ ଦେଶରେ ଖୁବ୍‌ ଗୁରୁତ୍ୱର ସହ ଗ୍ରହଣ କରିନେଇଛନ୍ତି ଆମ ଯୁବ ପିଢ଼ି ।

ଏଇ ମାତ୍ର କିଛି ବର୍ଷ ମଧ୍ୟରେ ଦେଶରେ ଅନେକ ଷ୍ଟାର୍ଟଅପ୍‌ ଆରମ୍ଭ ହୋଇସାରିଛି । ଯୁବପିଢ଼ି ଏଥିପ୍ରତି ଏବେ ଖୁବ୍‌ ଆକର୍ଷିତ ହେବା ସହ ନିଜ ନିଜର ବୁଦ୍ଧି ଲଗାଇ ଆଗକୁ ବଢ଼ିବାର ସ୍ୱପ୍ନ ଦେଖୁଛନ୍ତି । ଆଉ ଏଥିରୁ ଅନେକ ସଫଳତାର କାହାଣୀ ମଧ୍ୟ ସାମ୍ନାକୁ ଆସିଲାଣି । ତେବେ ଏହାରି ଭିତରେ ଓଡ଼ିଶାର ୪ ଯୁବ ଉଦ୍ୟୋଗପତି ଏବେ ଖୁବ୍‌ ଚର୍ଚ୍ଚାରେ । ସେମାନେ ହେଲେ ସମର ପ୍ରତାପ ନାୟକ (ଫାଉଣ୍ଡର,ଅଲିଭ୍ ରିଡ୍‌ଲେ ମିଡିଆ), ପାର୍ଥଜିନ୍‌ ପଟ୍ଟନାୟକ (ଡାଇରେକ୍ଟର, ଫାଲକନ୍‌), ଜୟ ଦାଶ ଏବଂ ସୁମା ଦାଶ (ଅଶ୍ୱିନୀ ଗ୍ରୁପ୍ ଅଫ୍‌ ହସ୍ପିଟାଲ) ।

ସମର ପ୍ରତାପ ନାୟକ ( ଫାଉଣ୍ଡର, ଅଲିଭ୍ ରିଡ୍‌ଲେ ମିଡିଆ)

ତେବେ ଏହି ୪ ଯୁବୋଦ୍ୟୋଗୀଙ୍କ ମଧ୍ୟରେ ସର୍ବ କନିଷ୍ଠ ହେଉଛନ୍ତି ସମର ପ୍ରତାପ ନାୟକ । ତାଙ୍କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ଯିଏ କି ସମସ୍ତଙ୍କଠାରୁ କିଛି ଭିନ୍ନ କରିବାକୁ ଚେଷ୍ଟା କରିଛନ୍ତି । ଏହାସହ ନିଜ ପାଇଁ ଏବଂ ରାଜ୍ୟ ପାଇଁ କିଛି କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଏହି ଯୁବକ ଜଣକ ହେଉଛନ୍ତି ଅଲିଭ ରିଡ୍‌ଲେ ମିଡିଆର ଫାଉଣ୍ଡର ସମର ପ୍ରତାପ ନାୟକ । ସେ ଏବେ ଏମିତି ଏକ ସଫଳତା ପାଇଛନ୍ତି ଯାହା ରାଜ୍ୟ ପାଇଁ ଗୌରବ ଆଣିଛି । ତାଙ୍କୁ ସମ୍ମାନଜନକ ଫରଚ୍ୟୁନ୍‌ ଇଣ୍ଡିଆ ମାଗାଜିନ୍‌ରେ ସ୍ଥାନିତ କରାଯାଇଛି । ଏହି ପତ୍ରିକାର ‘୪୦ ଅଣ୍ଡର ୪୦’ ସେଗ୍‌ମେଣ୍ଟରେ ଏଭଳି ସଫଳତା ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସମର ହେଉଛନ୍ତି ସର୍ବ କନିଷ୍ଠ ।

ଭୁବନେଶ୍ୱରର ଏକ ଘରୋଇ କଲେଜରେ ସେ ମ୍ୟାନେଜମେଣ୍ଟ ପାଠ ପଢ଼ିବା ପରେ IIM ଅହମ୍ମଦାବାଦରୁ ଡିଗ୍ରୀ ହାସଲ କରିଛନ୍ତି । ପାଠ ପଢ଼ା ସରିବା ପରେ ସମର କେବେ ବି ୯-୫ ଚାକିରି କରିବା କଥା ଚିନ୍ତା କରି ନାହାନ୍ତି । ସେ ଆରମ୍ଭରୁ ସ୍ଥିର କରିସାରିଥିଲେ ଯେ, ସେ ଜଣେ ଉଦ୍ୟୋଗପତି ହେବେ । କାରଣ ଜଣେ ଉଦ୍ୟୋଗପତି କେବଳ ନିଯୁକ୍ତି ସୁଯୋଗ ସୃଷ୍ଟି କରେ ନାହିଁ ବରଂ ନିଜର ସ୍ୱାଧିନ ଚିନ୍ତାଧାରାକୁ କାର୍ଯ୍ୟରେ ଲଗାଇବା ପାଇଁ ବଡ଼ ସୁଯୋଗ ପାଇଥାଏ ।

ସମରଙ୍କ କହିବାନୁଯାୟୀ, ‘ଉଦ୍ୟୋଗପତିମାନଙ୍କୁ ଦୁଇଟି ବଡ଼ ସୁଯୋଗ ମିଳିଥାଏ । ଗୋଟିଏ ହେଲା କିଛି ସମସ୍ୟା ଆସିଲେ ଏହାକୁ ନିଜ ଢ଼ଙ୍ଗରେ ସମାଧନ କରିବା । ଆଉ ଅନ୍ୟଟି ସମସ୍ୟାର ସମାଧାନ ହୋଇସାରିବା ପରେ ଏହାର ସ୍ୱାଦ ଚାଖିବା ।’

ସମର ପାଠ ପଢ଼ା ସାରିବା ପରେ ପ୍ରଥମେ ବେଙ୍ଗାଲୁରରେ ବ୍ୟବସାୟ ଆରମ୍ଭ କରିଥିଲେ । ସେଠାରେ କିଛି ଦିନ ବ୍ୟବସାୟ କରିବା ପରେ ସେ ଓଡ଼ିଶା ଫେରିବାକୁ ଚାହିଁଥିଲେ । ହେଲେ ଓଡ଼ିଶାରେ ଭଲ ସୁଯୋଗ ନାହିଁ ଏବଂ କୁଶଳି କର୍ମଚାରୀ ମିଳିବେ ନାହିଁ, ଏଭଳି ବିଭିନ୍ନ ନକରାତ୍ମକ କଥା ତାଙ୍କୁ କୁହାଯାଇଥିଲା । ହେଲେ ସେ କିନ୍ତୁ ଓଡ଼ିଶା ଫେରିଥିଲେ । ଆଉ ଓଡ଼ିଶାରେ ମଧ୍ୟ ଭଲ ବ୍ୟବସାୟ କରିହେବ ତାହା ପ୍ରମାଣିତ କରି ଦେଖାଇଛନ୍ତି ସମର ।

ପାର୍ଥଜିତ୍ ପଟ୍ଟନାୟକ ( ଫାଲକନ୍‌ ଗ୍ରୁପ୍‌, ନିର୍ଦ୍ଦେଶକ)

ପାର୍ଥଜିତ୍‌ ଲଣ୍ଡନ୍‌ର ହାର୍ଟଫୋର୍ଡସିର୍‌ ୟୁନିଭରସିଟିରୁ ୨୦୦୮ରେ MBA ପଢ଼ା ସାରିବା ପରେ ଓଡ଼ିଶା ଆସି ବ୍ୟବସାୟ କରିଛନ୍ତି । ମାତୃଭୁମି ପ୍ରତି ଥିବା ତାଙ୍କର ମମତା ଓ ଭଲପାଇବା ତାଙ୍କୁ ଓଡ଼ିଶାକୁ ଟାଣି ଆଣିଛି ବୋଲି ସେ କହିଛନ୍ତି । ଫାଲକନ୍‌ ଗ୍ରୁପ୍‌ ସହ ସେ କାମ ଆରମ୍ଭ କରିଥିଲେ । ଫାଲକନ୍‌ ରିଅଲଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍‌କୁ ଆଗକୁ ନେବା ପାଇଁ ସେ ଅନେକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଛନ୍ତି ।

ତାଙ୍କ ଦୂରଦୃଷ୍ଟିରେ ବ୍ୟବସାୟ ଖୁବ୍‌ ଆଗକୁ ଯାଇଛି । ରାଜ୍ୟ ରାଜକୋଷ ପାଇଁ ମଧ୍ୟ ତାଙ୍କର ଏକ ବଡ଼ ଅବଦାନ ରହିଛି । ଏଥିପାଇଁ ଫାଲକନ୍‌ ମେରାଇନ୍‌ ଏକ୍ସପୋର୍ଟସ ଲିମିଟେଡ୍ ପକ୍ଷରୁ କେବଳ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରାୟ ୧୨ଟି ସିଫୁଡ୍ ଆଉଟ୍‌ଲେଟ୍‌ ଖୋଲାଯାଇଛି ।

ତାଙ୍କ ବାପାଙ୍କ ଭଳି ସେ ମଧ୍ୟ ବ୍ୟବସାୟ ପ୍ରତି ଖୁବ୍‌ ନିଷ୍ଠାବାନ୍ । ଯାହାକି ବ୍ୟବସାୟ କ୍ଷେତ୍ରରେ ପ୍ରମାଣିତ ହୋଇସାରିଛି । ଫାଲକନ୍‌ ଗ୍ରୁପ୍‌ ତାଙ୍କ ଅଧିନକୁ ଆସିବା ପରେ ଖୁବ୍‌ ବିସ୍ତାର ହୋଇଛି ।

ଜୟ ଦାଶ ଏବଂ ସୁମା ଦାଶ (ଅଶ୍ୱିନୀ ଗ୍ରୁପ୍ ଅଫ୍‌ ହସ୍ପିଟାଲ)

ଅଶ୍ୱିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲର ଷ୍ଟ୍ରାଟେଜି ଡାଇରେକ୍ଟର ହେଉଛନ୍ତି ଜୟ ଦାଶ । ଆଉ ଏହାର ଫିନାନ୍ସ ଡାଇରେକ୍ଟର ହେଉଛନ୍ତି ସୁମା ଦାଶ । ଏହି ପାୱାରଫୁଲ୍‌ ଦମ୍ପତ୍ତି ଆମେରିକାର ବିଳାଶପୂର୍ଣ୍ଣ ଜୀବନ ଶୈଳି ଛାଡ଼ି ନିଜ ମାତୃଭୂମି ଓଡ଼ିଶାକୁ ଫେରି ଆସିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଶରେ ଥିବାବେଳେ ସେମାନେ ଓଡ଼ିଶା ଲୋକଙ୍କୁ ମେଡିକାଲ ସୁବିଧା ଯୋଗାଇ ଚର୍ଚ୍ଚାକୁ ଆସିଛନ୍ତି । ସେ ଓଡ଼ିଶା ଆସି କେବଳ ଅଶ୍ୱିନୀ ହସ୍ପିଟାଲ ନୁହେଁ ବିଭିନ୍ନ କ୍ଷେତ୍ରରେ କାମ କରି ଚର୍ଚ୍ଚାକୁ ଆସିଛନ୍ତି । ମେଡିକାଲ ସେକ୍ଟରରେ ଏକ ପରିବର୍ତ୍ତନ ଆଣିବାକୁ ସେ ଚେଷ୍ଟା କରିଛନ୍ତି ।

ତେବେ ସେମାନେ ଓଡ଼ିଶା ଆସିବା ପୂର୍ବରୁ ଲଣ୍ଡନରେ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ କାମ କରୁଥିଲେ । ଅନେକ ବଡ଼ ବଡ଼ ସଂସ୍ଥାରେ କାମ କରିବାର ଅଭିଜ୍ଞତା ତାଙ୍କର ରହିଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ ମଧ୍ୟ ସେ ଓଡ଼ିଶାରେ ଅନେକ ପଦକ୍ଷେପ ନେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now