/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697127780.jpg)
Midday Meal Scam
ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିରୁ ଅଣ୍ଡା ଗାଏବ୍ । କେଉଁଠି ଅଣ୍ଡା ବଦଳରେ ପିଲାଙ୍କୁ ବିସ୍କୁଟ ବଣ୍ଟାଯାଉଛି ତ କେଉଁଠି କେବଳ ଭାତ ଡାଲମାରେ କାମ ଚଳାଇବାକୁ ପଡୁଛି । ଏହାର କାରଣ ହେଲା ସରକାର ଦେଉଥିବା ମିଲ୍ ବାବଦ ଟଙ୍କାଠୁ ଅଣ୍ଡା ଦର ଅଧିକ । ସେଥିପାଇଁ ଅନେକ ସ୍କୁଲରେ ଆଜିକାଲି ଅଣ୍ଡା ଦିଆଯାଉନଥିବା ଦେଖିବାକୁ ମିଳିଛି । କିନ୍ତୁ ଅଧିକାରୀଙ୍କ କହିବା କଥା, ସେମିତି କିଛି ଘଟଣା ନଜରକୁ ଆସିନାହିଁ । ଆସିଲେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ ।
ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଉଭାନ । ଭାତ ସହିତ ଖାଲି ଡାଲମା ଗୋଳାଇ ଖାଉଛନ୍ତି ଛାତ୍ରଛାତ୍ରୀ । ପିଲାମାନେ କେଉଁଠୁ ପାଇବେ ପୁଷ୍ଟିସାରର ପୋଷଣ ? କେନ୍ଦୁଝର ଚଂପୁଆର ପତଳା ପ୍ରାଥମିକ ସ୍କୁଲରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଏଠି ମଧ୍ୟାହ୍ନ ଭୋଜନ ଥାଳିରେ ଅଣ୍ଡା ଦେବା ବଦଳରେ ପିଲାଙ୍କୁ ଧରାଇ ଦିଆଯାଉଛି ୫ ଟଙ୍କିଆ ବିସ୍କୁଟ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଥାଳିରେ ଭାତ, ଡାଲମା ଦିଆଯିବା ପରେ ପାଚିକା ବଢାଇ ଦେଉଛନ୍ତି ଗୋଟିଏ ଲେଖାଏଁ ପାଞ୍ଚ ଟଙ୍କିଆ ବିସ୍କୁଟ ପ୍ୟାକେଟ୍ । ପଚାରିବାରୁ ଛାତ୍ରଛାତ୍ରୀ କହିଛନ୍ତି ଦିଦି କହିଛନ୍ତି ପଇସା ନଥିବାରୁ ବିସ୍କୁଟ ଦିଆଯାଉଛି । ତେଲକୋଇ ସୁବୁଦ୍ଧି ସାହି ସରକାରୀ ପ୍ରାଥମିକ ସ୍କୁଲରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି । ଏଠି କିଛି ଦିନ ଅଣ୍ଡା ଦେବା ବନ୍ଦ ପରେ ଏବେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଅଣ୍ଡା ବାଣ୍ଟିଛନ୍ତି ଶିକ୍ଷକ ।
କେନ୍ଦ୍ର ଗାଇଡଲାଇନ ଅନୁସାରେ ସ୍କୁଲଗୁଡିକରେ ବ୍ୟଞ୍ଜନ ସ୍ଥିର କରାଯାଇଛି । ପ୍ରତି ସପ୍ତାହରେ ୨ ଦିନ ଅଣ୍ଡା ଦେବାକୁ ସ୍ଥିର କରାଯାଇଛି । ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ପିଲା ପିଛା ୫ ଟଙ୍କା ୯୦ ପଇସା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮ ଟଙ୍କା ୮୨ ପଇସା ଦେଉଛନ୍ତି । ହେଲେ ମାର୍କେଟରେ ଅଣ୍ଡା ପିଛା ୬ ଟଙ୍କା ୫୦ ପଇସାରୁ ୭ ଟଙ୍କା ପଡୁଛି । ଯାହାଫଳରେ ଏ ସମସ୍ୟା ଦେଖିବାକୁ ମିଳିଛି ।
ତେବେ ପିଏମ୍ ପୋଷଣ ଏବଂ ମଧ୍ୟାହ୍ନ ଭୋଜନର ରାଜ୍ୟ ସଂଯୋଜକଙ୍କ କହିବା କଥା ଅଣ୍ଡା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇନି କିମ୍ଭା ଅଣ୍ଡା ଦିଆନଯିବା ଘଟଣା ବିଭାଗ ନଜରକୁ ଆସିନି । ଅଭିଯୋଗ ଆସିଲେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ । ଗୋଟେ ପଟେ 5T ଅଧୀନରେ ସ୍କୁଲ ଗୁଡିକର ଉନ୍ନତିକରଣ ପାଇଁ ଭିତ୍ତିଭୂମିରେ କୋଟି କୋଟି ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ପିଲାଙ୍କ ଖାଇବା ପାଇଁ ଏତେ କମ୍ ଅନୁଦାନକୁ ନେଇ ସୃଷ୍ଟି ହେଲାଣି ଆଲୋଡନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)