• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାମ ଚାଲିଛି ଯେ ଚାଲିଛି...ସରିବାର ନା ଧରୁନି । ଆଉ ଏଇଠି ସେଇଠି ବୁଲି ବୁଲି ପିଲାଏ ପାଠ ପଢୁଛନ୍ତି ଆଉ ପରୀକ୍ଷା ଦେଉଛନ୍ତି । କଥାଟା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ । ଆଉ ଭାବୁଥିବେ କଣ ତିଆରି ଚାଲିଛି? ଆଉ କାହିଁକି ପିଲାମାନେ ବୁଲିବୁଲି ଦେଉଛନ୍ତି ପରୀକ୍ଷା?

ଯାଜପୁର ବରୀଠାରେ ଥିବା ଆଦର୍ଶ ବିଦ୍ୟାଳୟକୁ ନେଇ ଏବେ ଭାରି ଚର୍ଚ୍ଚା । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତି ବ୍ଲକରେ ପ୍ରତିଷ୍ଠା କରାଯାଉଛି ଆଦର୍ଶ ବିଦ୍ୟାଳୟ । ଯେଉଁଠି ୬ଷ୍ଠଠୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ନିଶୁଳ୍କରେ ଦିଆଯାଉଛି ଶିକ୍ଷା । ହେଲେ ଏଠାରେ ଥିବା ଆଦର୍ଶ ବିଦ୍ୟାଳୟ ସ୍ଥିତି ପୂରା ସଙ୍ଗୀନ ହେଲାଣି । ସ୍କୁଲ ଘର କାମ ସରୁନଥିବାରୁ ପ୍ରତିବର୍ଷ ଭିନ୍ନଭିନ୍ନ ସ୍ଥାନରେ ପାଠ ପଢିବା ସହିତ ପରୀକ୍ଷା ଦେଉଛନ୍ତି ପିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ତେଜିବା ସହିତ ଏମିତି ଧାରଣା ଦେଇଛନ୍ତି ଅଭିଭାବକ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ବର୍ଷଠାରୁ ଏହି ଆଦର୍ଶ ସ୍କୁଲରେ ପିଲାଙ୍କ ନାଁ ଲେଖା ଆରମ୍ଭ ହେଲାଣି । କିନ୍ତୁ ଦୁଃଖର କଥା ଆଜି ପର୍ଯ୍ୟନ୍ତ ସ୍କୁଲ ନିର୍ମାଣ କାମ ସରିପାରିଲା ନାହିଁ । ତେଣୁ ଆଦର୍ଶ ସ୍କୁଲରେ ନିଜସ୍ୱ ଶ୍ରେଣୀ ଗୃହରେ ପଢିବାରୁ ବଞ୍ଚିତ ହେଉଛନ୍ତି ପିଲା । ସ୍କୁଲରେ ନାଁ ଲେଖାଇବା ପରେ ପ୍ରଥମେ କୃପାସିନ୍ଧୁ ବିଦ୍ୟାପୀଠରେ ପିଲା ପାଠ ପଢ଼ିଲେ କିନ୍ତୁ ପରୀକ୍ଷା ଦେଲେ ଅରଂଗାବାଦ ହାଇସ୍କୁଲରେ । ପୁଣି ଚଳିତବର୍ଷ ସମାନ ଅବସ୍ଥା । ପୂର୍ବବର୍ଷ ପରି ଏଥର ନୂଆଗାଁ ସ୍ଥିତ ନବଭାରତୀ ଉଚ୍ଚ ବିଦ୍ୟାପୀଠରେ ପିଲାଙ୍କ ପାଠପଢାର ବ୍ୟବସ୍ଥା କରାଯାଇଛି ।

ସ୍କୁଲ ଗୋଟିଏ ଜାଗାରେ ହୋଇଥିବା ବେଳେ ଅନ୍ୟ ସ୍କୁଲରେ ଯାଇ ପାଠ ପଢା ସହିତ ପରୀକ୍ଷା ହେଉଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି ଅଭିଭାବକ । ଏହାସହ ତୁରନ୍ତ ସମସ୍ୟାର ସମାଧାନ ଲାଗି ବି ଦାବି କରିଛନ୍ତି । ସ୍କୁଲ ଅସୁବିଧା ସଂପର୍କରେ ଅଭିଭାବକ ସଂଘ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀ ଏବଂ ଯାଜପୁର ଜିଲାପାଳଙ୍କୁ ଅବଗତ କରାଯାଇଛି । କିନ୍ତୁ ଏହାର କୌଣସି ସମାଧାନ ବାହାରିପାରିନାହିଁ । ତେଣୁ ସ୍କୁଲ ସାମ୍ନାରେ ଏମିତି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଅଭିଭାବକ । ସେପଟେ ପୂରା ଘଟଣା ବାବଦରେ ଜିଲ୍ଲା ପ୍ରଶାସନ ଅବଗତ ଥିବା ବେଳେ ମାସେ ମଧ୍ୟରେ ଆଦର୍ଶ ସ୍କୁଲର ନୂଆ ଘର ତିଆରି ହେବା ସହିତ ପାଠ ପଢା ଆରମ୍ଭ ହେବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ।

ଶିକ୍ଷାବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବାରମ୍ବାର ଡିଡିମ୍ବ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ଏଠାରେ କେମିତି ଖୋଦ୍ ଆଦର୍ଶ ବିଦ୍ୟାଳୟ ବେହାଲ ଅବସ୍ଥାରେ ରହିଛି ତାହା ଦେଖିବାର ବିଷୟ...ସମୟ କହିବ ମାସେ ଭିତରେ ସ୍କୁଲରେ ପାଠ ପଢା ହେଉଛି କି ନାହିଁ?

 

  • Reported by:
  • Gulam