• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟ୍ରେନ୍ ଦୁର୍ଘଟଣାରେ ହାତୀ ମୃତ୍ୟୁ ରୋକିବାକୁ ପୂର୍ବତଟ ରେଲୱେର ନୂଆ ରଣନୀତି । ଇନ୍‌ଷ୍ଟଲ କରିବ ଇଣ୍ଟ୍ରୁଜନ୍ ଡିଟେକ୍ସନ ସିଷ୍ଟମ- IDS । ୬୦ କିଲୋମିଟର ଦୂରରୁ ରେଳ ଲାଇନ୍‌ରେ ହାତୀ ଚଳପ୍ରଚଳ କରୁଥିଲେ ଜାଣିହେବ ଆଉ ରୋକି ହେବ ଟ୍ରେନ୍ । ପ୍ରାରମ୍ଭିକ ଭାବେ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଡିଭିଜନ ମଧ୍ୟରେ ୨୦୦ କିଲୋମିଟର ଟ୍ରାକ୍ ରେ ଲାଗିବ ଏ ବ୍ୟବସ୍ଥା । କିଭଳି ହାତୀ ମୃତ୍ୟୁକୁ ରୋକିବ IDS ଜାଣନ୍ତୁ..

ଲୌହ ଦାନବଠୁ କିଭଳି ସୁରକ୍ଷିତ ରହିବେ ଗଜରାଜ ? କ’ଣ କଲେ ରେଳ ଧାରଣାରେ ଯିବନି ହାତୀଙ୍କ ଜୀବନ ? ଟ୍ରେନ୍ ଦୁର୍ଘଟଣାଜନିତ ହାତୀ ମୃତ୍ୟୁରେ ବ୍ରେକ୍ ଲଗାଇବାକୁ ନୂଆ ଟେକ୍ନୋଲୋଜି ଆପଣେଇବ ପୂର୍ବତଟ ରେଳପଥ । ଲାଗିବ ଇଣ୍ଟ୍ରୁଜନ୍ ଡିଟେକ୍ସନ ସିଷ୍ଟମ- IDS ବା ଅନୁପ୍ରବେଶ ଚିହ୍ନଟ ବ୍ୟବସ୍ଥା । ରେଳ ଟ୍ରାକ୍ ଆଡ଼କୁ ଆସୁଥିବା ବଣୁଆ ହାତୀଙ୍କୁ ଚିହ୍ନଟ କରିବା ସହ ରେଳ ଅଧିକାରୀଙ୍କୁ ଏନେଇ ସତର୍କ କରାଇ ହାତୀ ମୃତ୍ୟୁ ଏଡ଼ାଇବାରେ ସହାୟକ ହେବ ଏ ବ୍ୟବସ୍ଥା ।

ଟ୍ରେନ୍ ନିକଟସ୍ଥ ସମ୍ବେଦନଶୀଳ ହାତୀ ଚଲାପଥ ଓ ହାତୀ କରିଡରରେ IDS କରିବାକୁ ୨ଶହ କୋଟି ଟଙ୍କା ମଞ୍ଜୁର କରିଛି ପୂର୍ବତଟ ରେଳପଥ । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ ମଧ୍ୟରେ ମାନେଶ୍ୱର-ବାମୁର, ତୁରେକେଲା-ଲଖନା, ଅରାଣ୍ଡ-ଅରଙ୍ଗ ମହାନଦୀ, ନର୍ଲା-ଥେରୁବାଲି, କପିଳାସ ରୋଡ୍-ରାଜଆଠଗଡ଼-ଅନୁଗୁଳ, ରମ୍ଭା-ଗଞ୍ଜାମ ଓ ନୟାଗଡ଼-ପର୍ଜନପୁର ଭଳି ୬ଟି ସେକ୍ସନର ୨୦୦ କିଲୋମିଟର ଅଞ୍ଚଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ଲାଗି ନିଷ୍ପତ୍ତି ହୋଇଛି।

ଏବେ ପ୍ରଶ୍ନ, କିଭଳି କାମ କରିବ IDS? କେମିତି ରୋକିବ ହାତୀ ମୃତ୍ୟୁ ? ରେଳ ଅଧିକାରୀଙ୍କ କହିବା କଥା, IDSରେ ଅପ୍ଟିକାଲ ଫାଇବରକୁ ସେନସର ଭାବେ ବ୍ୟବହାର କରାଯାଇଛି, ଯାହାକି ଟ୍ରାକ୍ ନିକଟରେ ହେଉଥିବା ବନ୍ୟପ୍ରାଣୀଙ୍କ ଚଳପ୍ରଚଳକୁ ଚିହ୍ନଟ କରିପାରିବ । ୬୦ କିଲୋମିଟର ଦୂରତା ମଧ୍ୟରେ କୌଣସି ପ୍ରକାର ଅସ୍ୱାଭାବିକ ଚଳପ୍ରଚଳକୁ ପରିଚାଳନା କରିପାରିବ ଏ ବ୍ୟବସ୍ଥା । ହାତୀ ଭଳି ବନ୍ୟପ୍ରାଣୀଙ୍କ ଚଳପ୍ରଚଳକୁ ଚିହ୍ନଟ କରିବାମାତ୍ରେ IDS ସିଷ୍ଟମ ତତ୍କାଳ ନିକଟସ୍ଥ କଣ୍ଟ୍ରୋଲ ରୁମ, ଷ୍ଟେସନ ମାଷ୍ଟର, ଗେଟ୍ ମ୍ୟାନ୍ ଓ ଲୋକୋ ପାଇଲଟକୁ ସୂଚିତ କରିବ । ଫଳରେ ଟ୍ରେନର ବେଗକୁ କମାଯିବା ସହ ହାତୀକୁ ଟ୍ରାକଠୁ ଦୂରକୁ ପଠାଯାଇପାରିବ। କେବଳ ଟ୍ରେନ ଟ୍ରାକକୁ ହାତୀଙ୍କ ଅନୁପ୍ରବେଶ ନୁହେଁ, ବରଂ ଟ୍ରାକରେ ଭଙ୍ଗାରୁଜା, ଟ୍ରାକ୍ ନିକଟରେ ଅନଧିକୃତ ଖନନ, ଭୂସ୍ଖଳନ ଆଦି ସମ୍ପର୍କରେ ସୂଚନା ପ୍ରଦାନ କରିବ ଏହି ବ୍ୟବସ୍ଥା ।

୨୦୦୯-୧୦ରୁ ବର୍ତ୍ତମାନ ସୁଦ୍ଧା ଟ୍ରେନ୍ ଧକ୍କାରେ ରାଜ୍ୟରେ ୪୦ ହାତୀଙ୍କ ଜୀବନ ଯାଇଛି। ଏଭଳି ସ୍ଥିତିରେ ନର୍ଥଇଷ୍ଟ-ଫ୍ରଣ୍ଟିଅର ରେଲୱେରେ ସଫଳ ଭାବେ ପରୀକ୍ଷଣ ହୋଇଥିବା IDS ରାଜ୍ୟରେ ଟ୍ରେନ୍ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବାରେ କେତେ ସମର୍ଥ ହେଉଛି, ତାକୁ ହିଁ ଅପେକ୍ଷା ।

  • Reported by:
  • KAPILENDRA PRADHAN