• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାଗ୍ୟ ବଦଳାଇଦେଲା ଲଟେରୀ । ଦୁବାଇରେ ଜଣେ ଭାରତୀୟ ଡ୍ରାଇଭରଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ହୋଇଛନ୍ତି କହିଲେ ଚଳେ । ଗାଡ଼ି ଚଳାଇ ପେଟ ପୋଷୁଥିବା ୩୧ ବର୍ଷିୟ ଯୁବକ ରାତାରାତି କୋଟିପତି ହୋଇଯାଇଛନ୍ତି । ଏମିରେଟ୍ସ ଡ୍ର (Emirates Draw)ରେ ୩୩ କୋଟି ପୁରସ୍କାର ଜିତିଛନ୍ତି ଅଜୟ ଅଗୁଲା । ଏତେ ଟଙ୍କା ଜିତିବା ପରେ ତାଙ୍କର ଖୁସିର ଠିକଣା ନାହିଁ ।

ଦକ୍ଷିଣ ଭାରତର ଏକ ରାଜ୍ୟରେ ଅଜୟ ଅଗୁଲାଙ୍କ ଘର । ଚାକିରି ଅନ୍ୱେଷଣରେ ୪ ବର୍ଷ ତଳେ ସଂଯୁକ୍ତ ଆରବ ଏମିରେଟ୍ସ୍‌ (UAE)କୁ ଯାଇଥିଲେ । ବର୍ତ୍ତମାନ ସେ ଏକ ଅଳଙ୍କାର କମ୍ପାନିରେ ଡ୍ରାଇଭର୍‌ ଭାବେ କାମ କରନ୍ତି । ମାସିକ ତାଙ୍କୁ ଦରମାରେ ୩,୨୦୦ ଦିହରମ୍‌( ଭାରତୀୟ ମୁଦ୍ରାରେ ୭୨,୦୦୦ଟଙ୍କା) ମିଳେ । ସେହି ଟଙ୍କାରେ ସେ ବିଦେଶରେ ଚଳିବା ସହ କିଛି ଟଙ୍କା ଘରକୁ ମଧ୍ୟ ପଠାନ୍ତି । ହେଲେ ଏବେ ସେ ଗୋଟିଏ ଝଟକାରେ କୋଟିପତି ହୋଇଯାଇଛନ୍ତି ।

ଅଜୟ ପରୀକ୍ଷାମୂଳକ ଭାବରେ କିଛି ଦିନ ପୂର୍ବରୁ ଲଟେରୀ ଟିକେଟ୍ କିଣିଥିଲେ । ହେଲେ ଆଗରୁ ସେ ଲଟେରୀ ପାଇଁ ସେ କେବେ ଟଙ୍କା ଟିଏ ବି ଖର୍ଚ୍ଚ କରିନାହାନ୍ତି । ପ୍ରଥମ ଥର କିଣି ହିଁ କୋଟିପତି କରିଦେଇଛି । ଟଙ୍କା ଜିତିଗଲା ପରେ ତାଙ୍କ ପାଖକୁ ଏକ ମେସେଜ୍ ଆସିଥିଲା, ଯାହା ଦେଖି ତାଙ୍କ ଆଖିକୁ ବିଶ୍ୱାସ ହେଉନଥିଲା ।

ଲଟେରୀ ଜିତିବା ପରେ ଅଜୟ କହିଛନ୍ତି, ଏତେ ଟଙ୍କା ଜିତିବା କଥା ଘରକୁ କଲ୍‌ କରି ଜଣାଇ ଦେଇଛି । ହେଲେ ପ୍ରଥମେ ମା’ ଓ ଭାଇଭଉଣୀ ଏକଥାକୁ ଆଦୌ ବିଶ୍ୱାସ କରୁନଥିଲେ । କିନ୍ତୁ ମିଡିଆରେ ଖବର ପ୍ରସାରଣ ହେବା ପରେ ସେମାନେ ଅଜୟଙ୍କ କଥା ବିଶ୍ୱାସ କରିଛନ୍ତି ।

ବର୍ତ୍ତମାନ ଲଟେରୀ ଟଙ୍କାରେ ଏକ ଟ୍ରଷ୍ଟ କରିବେ ଅଜୟ । ନିଜ ଅଞ୍ଚଳ ତଥା ଆଖପାଖର ଲୋକଙ୍କ ଆବଶ୍ୟକ ମୌଳିକ ସୁବିଧା ପା‌ଇଁ ସେ ଏହି କାମ କରିବେ ।