/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679150163.jpg)
Drying Mahanadi
ମାର୍ଚ୍ଚ ମାସରୁ ମରୁ ପାଲଟିଗଲାଣି ମହାନଦୀ। ସୁବର୍ଣ୍ଣପୁରପୁର ହେଉ କି ବୌଦ୍ଧ ଅବା ନୟାଗଡ଼। ଛତିଶଗଡ଼ରୁ ହୀରାକୁଦକୁ ଜଳ ପ୍ରବାହ କମିଯିବାରୁ ମହାନଦୀର ପ୍ରାୟ ସବୁଠି ଏବେ ଶୁଖା ଠୋ ଠୋ ଅବସ୍ଥା । ଫଳ ଏୟା ଯେ, କେଉଁଠି ଜୀବନ ଜୀବିକା ଗୁରୁତର ପ୍ରଭାବିତ ହେଲାଣି ତ କେଉଠି ପିଇବା ପାଣି ପାଇଁ ହାହାକାର ସ୍ଥିତି । ନୟାଗଡ଼ରେ ୭ ଦିନ ହେଲାଣି ଠପ୍ ହୋଇଯାଇଛି ଜଳଯୋଗାଣ ବ୍ୟବସ୍ଥା। ...
ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟ ଜୀବନ ରେଖାର ଚିତ୍ର ଡରେଇଲା ଭଳି, ଥରେଇଲା ଭଳି।...ଯୁଆଡ଼େ ଚାହଁ, ଯେଉଁଠିକୁ ଚାହଁ ଗଣ୍ଡ ସ୍ଥାନରେ କେଉଁଠି କାଁଭାଁ ଅଳ୍ପ ପାଣିକୁ ଛାଡ଼ିଦେଲେ ଚାରି ଆଡ଼େ ଖାଲି ବାଲି ଆଉ ପଥର । ଆଖି ପାଉ ନଥିବା ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ରାଜ୍ୟର ସବୁଠୁ ବଡ଼ ନଦୀର ଟ୍ୟାଗ୍ ପିନ୍ଧିଥିବା ଏ ମହାନଦୀ ଏବେଠୁ ଯେମିତି କେବଳ ଏଇ ସରୁ ସରୁ ଧାରରେ ନିଜ ସତ୍ତା ବଞ୍ଚାଇବାକୁ ସଂଘର୍ଷ କରୁଛି।....
ମହନଦୀ ଉପରେ ପାନୀୟ ଜଳ ପାଇଁ ନିର୍ଭରଶୀଳ ନୟାଗଡ଼ ସହରରେ ଉତ୍କଟ ଜଳ ସଂକଟ । ଜଳସ୍ତର କମି ଯିବାରୁ ବାଣପୁରରେ ଥିବା ଜଳ ପ୍ରକଳ୍ପର ୩ଟି ଟରବାଇନ୍ ଅଚଳ ହୋଇ ସପ୍ତାହେ ହେବ ସହରରେ ପାନୀୟ ଜଳ ପାଇଁ ହାହାକାର ଅବସ୍ଥା ସୃଷ୍ଟି ହୋଇଛି।...କୂଅ ଶୁଖିଲା ପଡ଼ିଥିଲା ବେଳେ ନଳକୂଅରୁ ପାଣି ବାହାରୁନି। ଟ୍ୟାଙ୍କର ବି ଲୋକଙ୍କ ଆବଶ୍ୟକ ଥିବା ପାଣି ଯୋଗାଇ ପାରୁ ନଥିବାରୁ ଅସନ୍ତୋଷ ତୀବ୍ର ହେଉଛି।
ମହାନଦୀର ଏ ସ୍ଥିତି ପାଇଁ ଏବେଠୁ ପିଇବା ପାଣିଠୁ ନେଇ ଜଳସେଚନ, ଇଲେକ୍ଟ୍ରିସିଟି, ଜୀବନଜୀବିକା, କୂଳ ବେଉଷା ସବୁକିଛି ସଙ୍କଟରେ। ତେଣୁ ଆଗକୁ ସ୍ଥିତିକୁ ନେଇ ଆଶଙ୍କାରେ ମହାନଦୀ ଉପରେ ନିର୍ଭରଶୀଳ ମଣିଷ।...
ଗତବର୍ଷ ଆଜିକା ଦିନରେ ହୀରାକୁଦର ଜଲସ୍ତର ୬୨୧.୫୮ ଫୁଟ ଥିଲା ବେଳେ ଏବର୍ଷ ତାଠାରୁ ପାଖାପାଖି ୪ ଫୁଟ କମ୍ ଅର୍ଥାତ ୬୧୭.୪୩ ଫୁଟ। ଛତିଶଗଡ଼ ପଟୁ ହୀରାକୁଦ ଜଳଭଣ୍ଡାରକୁ ଇନ୍ ଫ୍ଲୋରେ ବି ସାଂଘାତିକ ଫରକ । ଗତ ବର୍ଷ ମାର୍ଚ୍ଚ ୧୭ରେ ଇନଫ୍ଲୋ ୨୬୯୫ କ୍ୟୁସେକ ଥିଲା ବେଳେ ଆଜିକା ଦିନରେ ଇନଫ୍ଲୋ ଅଛି ମାତ୍ର ୪୫୬ କ୍ୟୁସେକ୍ । ତେଣୁ ହୀରାକୁଦ
ତଳମୁଣ୍ଡରେ ଏ ସାଂଘାତିକ ସ୍ଥିତି। ତେବେ କାହିଁକି ମହାନଦୀର ଏ ଅବସ୍ଥା ? ମହାନଦୀର ଆଜିକାର ଏ ସ୍ଥିତି ପାଇଁ ଦାୟୀ କିଏ ? ୟା ପଛରେ ମହାନଦୀ ଜଳକୁ ନେଇ ଛତିଶଗଡ଼ ଓଡିଶା ମଧ୍ୟରେ ବିବାଦ ଦୂର କରିବା ପାଇଁ ଗଠିତ ମହାନଦୀ ଟ୍ରିବୁନାଲ ଯେତିକି ଦାୟୀ, ରାଜ୍ୟ ସରକାରଙ୍କ ଉଦାସୀନତାକୁ ବି ସେତିକି ଦାୟୀ ବୋଲି କହିଛନ୍ତି ମହାନଦୀ ବଞ୍ଚାଅ ଅଭିଯାନର ଆବାହକ।...
ମହାନଦୀର ଏସ୍ଥିତି କେବଳ ଏଇ ବର୍ଷର ନୁହେଁ। କି ମହାନଦୀକୁ ବଞ୍ଚାଇବା ପାଇଁ ଆନ୍ଦୋଳନ କି ରାଜନୀତି ଆଜିର ନୁହେଁ। ହେଲେ ରାଜ୍ୟ ସରକାରଙ୍କ ସବୁଜ ମହାନଦୀ ମିଶନଠୁ ନେଇ ବ୍ୟାରେଜ୍, ଛୋଟ ଛୋଟ ଆନିକଟ ପାଇଁ ମଝିରେ ମଝିରେ ଘୋଷଣା କେବେ ବାସ୍ତବ ରୂପ ନେବ ତାକୁ ହିଁ ଅପେକ୍ଷା କରିଛି ମହାନଦୀ, ଅପେକ୍ଷା କରିଛନ୍ତି ରାଜ୍ୟବାସୀ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)