• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପତ୍ନୀର ମାନ୍ୟତା ସହ ପୁଅକୁ ବାପର ପରିଚୟ ଦାବିରେ ଦୀର୍ଘଦିନ ଧରି ନ୍ୟାୟିକ ଲଢ଼େଇ ଲଢୁଥିବା ବ୍ରହ୍ମପୁରର କେ.ଦୀପିକା ଏବଂ ପ୍ରେମିକ କେ.ଦିନେଶ ମାମଲାରେ ଆସିଛି ବଡ଼ ଟୁଇଷ୍ଟ । ଦୀପିକାଙ୍କ ଗର୍ଭରୁ ଜନ୍ମିତ ପ୍ରାୟ ଅଢ଼େଇ ବର୍ଷର ଶିଶୁପୁତ୍ର କେ.ଦିନେଶଙ୍କର ବୋଲି DNA ରିପୋର୍ଟ ଆସିବା ପରେ ଆଗକୁ କ’ଣ ହେବ ଏହି ମାମଲା ? ଦୀପିକା ଓ ସଂପୃକ୍ତ ସନ୍ତାନକୁ ଦିନେଶ ଗ୍ରହଣ କରିବେ ନା ପୁଣି ଚାଲିବ ନ୍ୟାୟିକ ପ୍ରକ୍ରିୟା ? ଯଦି ଦିନେଶ ଉଭୟଙ୍କୁ ଗ୍ରହଣ ନକରନ୍ତି, ତା’ହେଲେ ନେବେ କି ଭରଣପୋଷଣ ଦାୟିତ୍ୱ ? ତାକୁ ନେଇ ଏବେ ଲାଗିରହିଛି ନାନା ଚର୍ଚ୍ଚା ।

ପ୍ରେମିକ ସହ ଦୀର୍ଘ ୩ ବର୍ଷର ଲମ୍ବା ଲଢ଼େଇ । ପତ୍ନୀର ମାନ୍ୟତା ଓ ପୁଅକୁ ବାପର ପରିଚୟ ଦାବିରେ ପ୍ରେମିକ ଘର ସାମ୍ନାରେ ବର୍ଷେ କାଳ ଧାରଣା । ଆଉ ନ୍ୟାୟିକ ଲଢ଼େଇ  ଭିତରେ କଡ଼ ଲେଉଟାଇଛି ମାମଲା । ବ୍ରହ୍ମପୁର ଗାନ୍ଧୀନଗରର କେ.ଦୀପିକା ଏବଂ ଦେଶୀବେହେରା ସାହିର କେ.ଦୀନେଶ ମାମଲାରେ ମହାଟୁଇଷ୍ଟ ଆଣିଛି ଡିଏନଏ ରିପୋର୍ଟ । କାରଣ ଦୀପିକାଙ୍କ ଗର୍ଭଜାତ ସନ୍ତାନଟି କେ.ଦିନେଶଙ୍କ ଔରସ ବୋଲି ଦର୍ଶାଯାଇଛି ରିପୋର୍ଟରେ ।

DNA ରିପୋର୍ଟରେ ସ୍ପଷ୍ଟ ଭାବେ ରାଜ୍ୟ ଫୋରେନସିକ୍ ଲ୍ୟାବ ଦର୍ଶାଇଛି, କେ.ଦିନେଶ କୁମାର ଓ ଦୀପିକା ହେଉଛନ୍ତି ଏହି ଶିଶୁପୁତ୍ରର ବାୟୋଲୋଜିକାଲ ପ୍ୟାରେଣ୍ଟ । ୨୦୨୨ରେ ରାଜ୍ୟ ଫୋରେନସିକ୍ ଲାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ଏହି ରିପୋର୍ଟ । ସେହି ରିପୋର୍ଟ, ଏବେ ବ୍ରହ୍ମପୁର ପୋଲିସ ପକ୍ଷରୁ ଦୀପିକାଙ୍କୁ ହସ୍ତାନ୍ତର କରାଯାଇଛି । ରିପୋର୍ଟ ପାଇବା ପରେ ଦୀପିକା କହିଛନ୍ତି, କୋର୍ଟ ଏହାକୁ ନିଶ୍ଚୟ ଗ୍ରହଣ କରିବେ ଏବଂ ନ୍ୟାୟ ଦେବେ ।

୨୦୨୨ ଅଗଷ୍ଟ ପହିଲା । ପତ୍ନୀର ମାନ୍ୟତା ସହ ପୁଅକୁ ବାପାର ପରିଚୟ ଦାବି କରି ଦିନେଶଙ୍କ ଘର ସାମ୍ନାରେ ଟେଣ୍ଟ ପକାଇ ଧାରଣା ଦେଇଥିଲେ ଦୀପିକା । ୬ ମାସର ଲଢ଼େଇ ଭିତରେ ରାଜ୍ୟ ମହିଳା କମିଶନ, ବ୍ରହ୍ମପୁର ଏଡିଜେ ଏବଂ ଫ୍ୟାମିଲି କୋର୍ଟ ଯାଏଁ ପହଞ୍ଚିଥିଲେ ଦୀପିକା । ଏପରିକି ହାଇକୋର୍ଟରେ ବି ମାମଲା ଦାୟର କରିଛନ୍ତି । ଧାରଣା ଦେବା ପୂର୍ବରୁ ୨୦୨୦, ମେ’ ୧୯ରେ ଦୀପିକା ଦିନେଶଙ୍କ ବିରୋଧରେ ବ୍ରହ୍ମପୁର ଟାଉନଥାନାରେ ଅଭିଯୋଗ ଆଣିଥିଲେ । ବିବାହର ପ୍ରଲୋଭନ ସହ ଶାରିରୀକ ସଂପର୍କ ଏବଂ ଗର୍ଭଧାରଣ ପରେ ବିବାହ ପାଇଁ ଦିନେଶ ମନା କରିଥିବା ଅଭିଯୋଗ କରିଥିଲେ । ଏଥିପାଇଁ ଦିନେଶଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା ଓ ପରେ ଅବଶ୍ୟ ଜାମିନ ପାଇଥିଲେ ।

ଏହି ଘଟଣା ପରେ ତେଜିଥିଲା ବିବାଦ । ଦୀନେଶଙ୍କ ବାପା କେ.ଦିଲୀପ କୁମାର କହିଥିଲେ ଦୀପିକାକୁ ଦିନେଶ ଆଉ ବାହା ହେବାର ପ୍ରଶ୍ନ ଉଠୁନି । ଏପରିକି ଦିନେଶଙ୍କ ମାଆ ବି ଦାବି କରିଥିଲେ ଦୀପିକା ଯଦି ଦିନେଶ ସହ ସଂପର୍କ ରଖିଛି ଏବଂ ଜନ୍ମିତ ଶିଶୁଟି ଦିନେଶର, ତେବେ ପ୍ରଥମେ ଦୀପିକା DNA ରିପୋର୍ଟ ଆଣନ୍ତୁ । ଦୀପିକାଙ୍କ ଅଭିଯୋଗ ପରେ ଦିନେଶଙ୍କ ପରିବାର ମଧ୍ୟ କୋର୍ଟକୁ ଯାଇଥିଲେ ।

ଏବେ ପ୍ରଶ୍ନ ଉଠୁଛି, DNA ରିପୋର୍ଟ ପରେ ଆଗକୁ କ’ଣ ହେବ ଏହି ମାମଲା ? ଏବେ ଦୀପିକା ଓ ସଂପୃକ୍ତ ସନ୍ତାନକୁ ଦିନେଶ ଏବଂ ତାଙ୍କ ପରିବାର ଗ୍ରହଣ କରିବେ ନା ପୁଣି ଚାଲିବ ନ୍ୟାୟିକ ଲଢ଼େଇ ? ଯଦି ଦିନେଶ ଉଭୟଙ୍କୁ ଗ୍ରହଣ ନକରନ୍ତି, ତା’ ହେଲେ ନେବେ କି ଭରଣପୋଷଣ ଦାୟିତ୍ୱ ? ତେବେ ଦୀପିକାଙ୍କ ହାଇକୋର୍ଟ ଓକିଲ କହିଛନ୍ତି, ନିୟମ ଅନୁଯାୟୀ ଶିଶୁଟିକୁ ଓ ଦୀପିକାଙ୍କୁ କେ.ଦିନେଶ ଗ୍ରହଣ କରିବେ ନଚେତ୍ ଭରଣପୋଷଣ ଦାୟିତ୍ୱ ନେବେ । ତେବେ ଏନେଇ ଦିନେଶ କିମ୍ବା ତାଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ପାଇଁ  ଚେଷ୍ଟା କରାଯାଇଥିଲେ ମଧ୍ୟ ମିଳିପାରିନି ।

  • Reported by:
  • GAUTAM PANDA , JAGANATH SAHU