• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାତି ହେଉ କି ଦିନ, ଶୋଭାଯାତ୍ରା ବେଳେ ଅତ୍ୟଧିକ ଶବ୍ଦ କରି ଡିଜେ ବ୍ୟାଣ୍ଡ୍ ବଜାଇବା ବେଆଇନ୍ । ଏଥିପାଇଁ ନିର୍ଦ୍ଦିଷ୍ଟ ନିୟମାବଳି ବି ରହିଛି । ତେବେ ପୂଜା ପାର୍ବଣରେ ଏ ନିୟମକୁ ଫୁ କରି ଲୋକଙ୍କୁ ଅସହ୍ୟ ଶବ୍ଦ ପ୍ରଦୂଷଣ ଭିତରକୁ ଠେଲି ନେଉଛନ୍ତି କିଛି ଆୟୋଜକ ଓ ଉଶୃଙ୍ଖଳିତ ଯୁବକ । ତେବେ ଡିଜେ ସାଉଣ୍ଡ ସହିନପାରି ନିକଟରେ କେନ୍ଦ୍ରାପଡ଼ା ପାଟୁକୁରା ଅଞ୍ଚଳରେ ଏକାଧିକ ଲୋକ ଅସୁସ୍ଥ ହୋଇପଡ଼ିଥିବା ନେଇ ଥାନାରେ ଏତଲା ଏବଂ ଖୋର୍ଦ୍ଧାରେ ପୋଲିସ ସହ ଗଣ୍ଡଗୋଳ ଘଟଣା ପରେ ଏ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି ।

ରାତି ଅଧରେ ବିକଟାଳିଆ ଶବ୍ଦ, ଉତୁପାତିଆ ନାଚ । ଡିଜେ ବ୍ୟାଣ୍ଡର ଶଦ୍ଦର ତୀବ୍ରତା ଏତେ ଅଧିକ ଯେ, କାନ ବନ୍ଦ କରି ଶୁଣିଲେ ବି ପରଦା ଫାଟିଯିବାର ଭୟ । ଆଉ ତାରି ଭିତରେ ବେତାଳିଆ ନୃତ୍ୟରେ ବିଭୋର ଯୁବଗୋଷ୍ଠୀ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଞ୍ଚଳରେ ଗଣେଶ ପୂଜା ଭସାଣ ଉତ୍ସବ ଲାଗି ମଙ୍ଗଳବାର ରାତିରେ ଏମିତି ଏକାଧିକ ଡିଜେ ବ୍ୟାଣ୍ଡ୍ ବଜାଇ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଯାଉଥିଲେ କିଛି ପୂଜା କମିଟି । ତେବେ ଡିଜେ ବ୍ୟାଣ୍ଡର ଅତ୍ୟଧିକ ଶବ୍ଦ ପାଇଁ ସ୍ଥାନୀୟ ଲୋକେ ବିରୋଧ କରି ସାଉଣ୍ଡ୍ କମାଇବାକୁ କହିଥିଲେ । କିନ୍ତୁ ଶୋଭାଯାତ୍ରାକାରୀମାନେ ଶୁଣିନଥିଲେ । 

ଆଉ ଏପଟେ ଏକାଧିକ ଡିଜେ ବ୍ୟାଣ୍ଡର ଅତି ଉଚ୍ଚ ଓ ବିରକ୍ତିକର ଶବ୍ଦ ଅନେକଙ୍କ ପାଇଁ ଅସହ୍ୟ ହୋଇଥିଲା । ଏପରିକି ଏହି ସାଉଣ୍ଡ ସହିିନପାରି ପୁରୁଷୋତ୍ତମପୁର ଗାଁର ପ୍ରମୋଦ କୁମାର କର ନାମକ ଜଣେ ବ୍ୟକ୍ତି ବେହୋସ ଯାଇଥିଲେ । ପରେ ତାଙ୍କୁ ପାଟକୁରା ମେଡିକାଲ ନେବାରୁ ସେ ହୃଦଘାତର ଶିକାର ହୋଇଥିବା ଡାକ୍ତର କହିବା ସହ ତାଙ୍କୁ କଟକ ରେଫର କରିଥିଲେ । ସେଦିନର କାନଫଟା ଡିଜେ ସାଉଣ୍ଡ ପାଇଁ ବ୍ରହ୍ମପୁର, ମଳିକ ସାହି, ଘୋଡ଼ାଶାଳ, ବଜ୍ରବାଣ ଆଦି ଗାଁର ୧୫ରୁ ଅଧିକ ଶିଶୁ, ବୃଦ୍ଧବୃଦ୍ଧା ଓ ହୃଦରୋଗୀ ଅସୁସ୍ଥ ହୋଇଥିବା କୁହାଯାଉଛି । ତେଣୁ ଏ ଘଟଣା ପରେ ଗତକାଲି ଗାଁ ଲୋକେ ଏକାଠି ହୋଇ ପାଟକୁରା ଥାନାରେ ଏତଲା ଦେଇଛନ୍ତି ।

ଏପଟେ ଡିଜେ ସାଉଣ୍ଡକୁ ନେଇ ଖୋର୍ଦ୍ଧା ସଦର ଥାନା ନନ୍ଦପୁର ଗାଁରେ ତୁମୁଳ କାଣ୍ଡ । ଗତକାଲି ରାତିରେ ନନ୍ଦପୁର ଗାଁର କିଛି ଯୁବକ ଗଣେଶ ପୂଜା ଭସାଣ ବେଳେ ଏମିତି ଅତି ଉଚ୍ଚ ସ୍ୱରରେ ଡିଜେ ବଜାଇ ଶୋଭାଯାତ୍ରାରେ ଯାଉଥିଲେ । ବିଳମ୍ବିତ ରାତିରେ ଏଭଳି ଶବ୍ଦ ପ୍ରଦୂଷଣ ପାଇଁ ପୋଲିସ ସେମାନଙ୍କୁ ବାଧା ଦେବାରୁ ପୋଲିସକୁ ବି ଛାଡିନଥିଲେ ଶୋଭାଯାତ୍ରାକାରୀ । କୁହାଯାଉଛି ପୋଲିସକୁ ମାଡ଼ ସହ ପୋଲିସ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିଲେ କିଛି ଉଶୃଙ୍ଖଳିତ ଯୁବକ । ପୋଲିସ ଏ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଖୋର୍ଦ୍ଧା ଏସ୍‌ପି କହିଛନ୍ତି ।

ଏପଟେ ରାଜଧାନୀର ଧଉଳି ଥାନା ଅଞ୍ଚଳରେ ମଧ୍ୟ ବିଳମ୍ବିତ ରାତିରେ ଉଚ୍ଚସ୍ୱରରେ ଡିଜେ ବାଜିବା ଘଟଣାକୁ ନେଇ ପୋଲିକ ଏକ ଡିଜେ ଗାଡ଼ିକୁ ଜବତ କରିବା ସହ ଘଠଣାରେ ୩ ଜଣଙ୍କୁ ଗିରଫ କରିଛି ।

  • Reported by:
  • BALRAM LENKA , MANOJ SWAIN , CHANDAN PAIKRAY