• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦୋକାନ ସାମ୍ନାରେ ଡ୍ରେନ୍‌ ପାଣି । ଠୁଙ୍ଗା ପଡିଛି, ଅଳିଆ ଭାସୁଛି । ଆଉ ତାହାରି ଭିତରେ ପଶି ଲୋକମାନେ ଜିନିଷ କିଣୁଛନ୍ତି, ଘରକୁ ଫେରୁଛନ୍ତି । ହେଲେ ଦୋକାନ ସାମ୍ନାକୁ ଡ୍ରେନ୍‌ ପାଣି କେମିତି ଆସିଲା ? କିଏ ଆଣିଲା ? ତାହା ଜାଣିବା ପରେ ଆପଣ ବି ପ୍ରଶାସନକୁ ହିଁ ଦୋଷ ଦେବେ । ହଁ...ଏଥିପାଇଁ ପ୍ରଶାସନ କେବଳ ଦାୟୀ । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍‌ ଦିବ୍ୟାଙ୍ଗ ଦୋକାନୀ ।

ଯାଜପୁର ୧୬ ନମ୍ବର ଜାତୀୟ ରାଜପଥରୁ ଯାଜପୁର ଟାଉନକୁ ସଂଯୋଗ କରୁଥିବା ଷଠିପୁରରେ କେଉଁ କାର୍ଯ୍ୟ ହେଉଛି ? କିଏ କରୁଛି ? ସେ ଉତ୍ତର କାହା ପାଖରେ ନାହିଁ । ହେଲେ କାମ ପାଇଁ ହଇରାଣ ହେଉଛନ୍ତି ସାଧାରଣ ଲୋକେ । ଏମିତିକି ବିକାଶ ନାମରେ ଦିବ୍ୟାଙ୍ଗଙ୍କ ଉପରେ ଅତ୍ୟାଚାର କରାଯାଉଥିବା ପରି ସଙ୍ଗୀନ ଅଭିଯୋଗ ବି ଆସିଛି ।

ସ୍ଥାନୀୟ ଅଂଚଳର ଦିବ୍ୟାଙ୍ଗ ସୁରେନ୍ଦ୍ର ନିଜ ଜାଗାରେ ୫୦ ବର୍ଷ ହେବ ଦୋକାନ ଖଣ୍ଡେ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଆଜି ସେ ଦୋକାନରେ ଆଣ୍ଠୁଏ ପାଣି । ୧୫ ଦିନ ହେବ ବ୍ୟବସାୟ ପୂରା ଠପ୍‌ । ତେଣୁ ଭୋକ ଉପାସରେ ଦିବ୍ୟାଙ୍ଗଙ୍କ ପରିବାର । ଦୋକାନରେ ପାଣି ପଶିବା କାରଣରୁ ଅସୁବିଧା ସମ୍ପର୍କରେ ପ୍ରଶାସନ ପାଖରେ ଗୁହାରି କରିଛନ୍ତି ସୁରେନ୍ଦ୍ର । ହେଲେ ଏଯାଏଁ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା କାରଣରୁ ବଡ ଦହଗଂଜରେ ଦିନ କାଟୁଛନ୍ତି ସୁରେନ୍ଦ୍ର ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ଷବର୍ଷ ଧରି ଯେଉଁ ନାଳରେ ପାଣି ନିଷ୍କାସନ ହେଉଥିଲା । ଆଜି ସେହି ନାଳ ତଥା ଗୋଚର ଜମିରେ ମାଟି ପକାଇ ପାଣି ଯିବାର ବାଟ ପୂରା ବନ୍ଦ କରିଦିଆଯାଇଛି । ଖାଲି ଏତିକି ନୁହେଁ ବରଂ ରାସ୍ତାରେ ଥିବା ବ୍ରିଜ ତଳେ ୱାଲ ଉଠାଇ ଜଳ ନିଷ୍କାସନର ବାଟ ବି ବନ୍ଦ କରାଯାଇଛି । ମୋଟ୍‌ ଉପରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ଇଚ୍ଛା ମୁତାବକ ନିର୍ମାଣ ହେଉଛି ସରକାରୀ ପ୍ରକଳ୍ପ । ହେଲେ ଏଠାରେ ପ୍ରଶ୍ନ ଉଠୁଛି କୋଟି କୋଟି ଟଙ୍କା ବ୍ୟୟରେ ବଡ଼ବଡ଼ ଅଟ୍ଟାଳିକା କାହା ସ୍ଵାର୍ଥରେ ନିର୍ମାଣ ଚାଲିଛି ?

ବର୍ଷା ଦିନେ ବୈତରଣୀରେ ବନ୍ୟା ଆସିଲେ ପାଣି ଯିବା ପାଇଁ ସରକାରଙ୍କ ପକ୍ଷରୁ ୨ଟି ପୋଲ ନିର୍ମାଣ କରାଯାଇଥିଲା । ହେଲେ ପୋଲକୁ ଏବେ ବନ୍ଦ କରାଯାଇଛି । ତେଣୁ ବଢି ଆସିଲେ ସ୍ଥାନୀୟ ଅଂଚଳ ଜଳମଗ୍ନ ହେବା ସହିତ ଡେଙ୍ଗୁ ବ୍ୟାପିବାର ସମ୍ଭାବନା ଥିବା ଆଶଙ୍କା କରୁଛନ୍ତି ଲୋକେ । ହେଲେ ଯିଏ ପାଟି ଖୋଲୁଛି ସିଏ ସୁରେନ୍ଦ୍ରଙ୍କ ପରି ଦଣ୍ଡ ପାଉଥିବା ଅଭିଯୋଗ ହେଉଛି । ସେପଟେ ପୂରା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । କହିଛନ୍ତି, ଖୁବଶୀଘ୍ର ଡ୍ରେନେଜ୍‌ କାମ ସରିବ ଓ ସମସ୍ୟାର ସମାଧାନ ହେବ ।

 

  • Reported by:
  • JANMEJAY DASH