ମଲା ପୁଅର ହ୍ୱିଲ୍ ଚେୟାରକୁ ଛାତିରେ ଛାତିଏ କୋହକୁ ରଖି ଆଉଁସି ଦେଉଛି ହତଭାଗା ବାପା । ଦଇବ ଯାହାକୁ ପଠାଇଥିଲା ସେ ଜୀବନ କଣ ଜାଣିବା ଆଗରୁ ଛଟପଟ ହୋଇ ପରପାରିକୁ ଚାଲିଗଲା । ହେଲେ ବାପା- ମାଆକୁ ସ୍ନେହର ବନ୍ଧନରେ ଏମିତି ବାନ୍ଧି ଦେଇଗଲା ଯେ, ନିଇତି ପୁଅକୁ ଝୁରି ଝୁରି ବଞ୍ଚୁଛନ୍ତି ବାପା ମାଆ ।
Also Read
ପୁଅର ଫଟୋକୁ ଧରି ଏବେ, ବାବୁରେ.. ଧନରେ.. ସୁନାରେ କହି କାନ୍ଦୁଛି ଜନ୍ମ କଲା ମାଆ । ଦିବ୍ୟାଙ୍ଗ ହେଲେ କଣ ହେଲା, ଦଇବ ପୁଅଟିଏ ଦେଇଥିଲା । ହେଲେ ରୋଗୀଣା ଦିବ୍ୟାଙ୍ଗ ପୁଅକୁ ଚିକିତ୍ସା କରାଇବା ପାଇଁ ସମ୍ବଳ ଦେଇନଥିଲା । ଗରିବୀର ଯାତନାରେ ଜର୍ଜରିତ ପରିବାରକୁ ସରକାରୀ ସହଯୋଗ କହିଲେ ଯାହା ଭତ୍ତା ଟିକେ ମିଳୁଥିଲା । ହେଲେ ୬ ମାସରୁ ଅଧିକ ସମୟ ହେବ ଭତ୍ତା ନ ମିଳିବାରୁ ପୁଅକୁ ମହଙ୍ଗା ମେଡିସିନ୍ ଦେବାରେ ଅକ୍ଷମ ରହିଲେ ବାପା ମାଆ । ଶେଷରେ ମେଡିସିନ୍ ଅଭାବରୁ ଚାଲିଗଲା ଦିବ୍ୟାଙ୍ଗ ପୁଅର ଜୀବନ ।
ଗରିବଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ସରକାର । ପରିତାପର ବିଷୟ ଯେ, ମୟୂରଭଞ୍ଜ କପ୍ତିପଦା ବ୍ଲକ ଝୀଙ୍କପଦା ପଂଚାୟତ ସୌଭାଗ୍ୟଦେଇପୁର ଗ୍ରାମର ଏ ଘଟଣା କିନ୍ତୁ ସରକାରୀ ବିଧି ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରାମର ରମେଶ ଦେହୁରୀଙ୍କ ୧୧ ବର୍ଷୀୟ ନାବାଳକ ପୁଅର ଏମିତି ଦୁଃଖଦ ମୃତ୍ୟୁକୁ ନେଇ ସାହି ପଡିଶା ବି ମ୍ରିୟମାଣ ହୋଇପଡ଼ିଛନ୍ତି ।
ଏଭଳି ଏକ ସମ୍ବେଦନଶୀଳ ଘଟଣା ବାବଦରେ ପଚାରି ବୁଝିବାକୁ ଆମେ ପହଂଚିଥିଲୁ କପ୍ତିପଦା ବିଡିଓଙ୍କ ନିକଟରେ । ବିଡିଓ ମହାଶୟ ପୁରା ଘଟଣା ଶୁଣିବା ପରେ ଏହାର ତଦନ୍ତ କରିବେ ବୋଲି କହି ନିଜ ଉପରୁ ଦୋଷ ଖସାଇ ଦେଇଛନ୍ତି । ତେବେ ଜଣେ ଦିବ୍ୟାଙ୍ଗ ନାବାଳକ ଭତ୍ତା ପାଇ ଆସୁଥିବା ବେଳେ କେଉଁ କାରଣରୁ ତାହାର ଭତ୍ତା ବନ୍ଦ କରାଯାଇଥିଲା ତାହା ତଦନ୍ତ ସାପେକ୍ଷ ।