• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଙ୍ଗ । ବନ୍ଧୁ । ମିତ । ଦୋସ୍ତ । ଯେତେବେଳେ ଏହାକୁ ନେଇ କଥା ଉଠେ ସବୁବେଳେ ମନେପଡ଼େ କୃଷ୍ଣ-ସୁଦାମାଙ୍କ ଯୋଡ଼ି । ଏମିତିକି କୌରବ-ପାଣ୍ଡବଙ୍କ ଯୁଦ୍ଧରେ କର୍ଣ୍ଣଙ୍କ ଭୁମିକାକୁ ମଧ୍ୟ ଜଣେ ଭଲ ବନ୍ଧୁର ଆଖ୍ୟା ଦିଆଯାଏ । ଆପଣ ବେଳେ ବେଳେ କଥାରେ କଥାରେ କହୁଥିବେ ଯେ, ଏମିତି ସାଙ୍ଗ ଥିଲେ ମୋର ଡର କାହାକୁ । ଇତିହାସରେ ସାଙ୍ଗଙ୍କୁ ନେଇ ଅନେକ କାହାଣୀ ରହିଛି । ଯାହାକି ଆମ ସମସ୍ତଙ୍କୁ ପ୍ରେରଣା ଦେଇପାରିବ ।

ତେବେ ଆଜି ହଠାତ୍‌ ଆମେ ଆପଣଙ୍କୁ ‘ସାଙ୍ଗ’ ବିଷୟରେ କାହିଁକି କହୁଛୁ ଭାବୁଥିବେ । କାରଣ କଳି ଯୁଗରେ ଯେଉଁଠି ଭାଇ ଭାଇକୁ ପଚାରୁ ନାହିଁ । ସେଠି ଆମ ନଜରରେ ଏମିତି ଜଣେ ‘ସାଙ୍ଗ’ ନଜରକୁ ଆସିଛନ୍ତି ଯାହାଙ୍କ ବିଷୟରେ ଆପଣ କେବେ କଳ୍ପନା ବି କରିପାରିବେ ନାହିଁ । ସାଙ୍ଗର ଜୀବନ ଚାଲିଗଲା ବୋଲି ଆଉ ଜଣେ ସାଙ୍ଗ ନିଜ ଜୀବନ ହାରିଦେଲା । ଯେଉଁ ଜୁଇରେ ସାଙ୍ଗକୁ ପୋଡ଼ା ହେଉଥିଲା, ସେହି ଜୁଇକୁ ଡେଇଁ ସାଙ୍ଗ ପ୍ରାଣ ହରାଇଲା । ଏହି ଘଟଣା ଆପଣଙ୍କୁ ସହଜରେ ହଜମ ହେଉନଥିଲେ ବି ସତ । 

ଏହି ଘଟଣା ୟୁପି ଫିରୋଜାବାଦରୁ ସାମ୍ନାକୁ ଆସିଛି । କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ଜଣେ ସାଙ୍ଗର ଚିତାଗ୍ନିକୁ ଡେଇଁ ଆଉ ଜଣେ ସାଙ୍ଗ ଜୀବନ ହରାଇଥିବା କଥା ଶନିବାର ଉତ୍ତର ପ୍ରଦେଶ ପୋଲିସ ସୂଚନା ଦେଇଛି । ସିରାଜଗଞ୍ଜର ସର୍କଲ୍‌ ଅଫିସର୍‌ ପ୍ରବୀଣ ତିୱାରି କହିଛନ୍ତି, କର୍କଟ ରୋଗରେ ପୀଡ଼ିତ ନାଗ୍‌ଲା ଖାଙ୍ଗର୍‌ ଥାନା ଅଞ୍ଚଳବାସୀ ୪୨ ବର୍ଷିୟ ଅଶୋକଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଥିଲା । ଦିନ ପ୍ରାୟ ୧୧ଟା ବେଳେ ଯମୁନା ନଦୀକୂଳରେ ତାଙ୍କର ଶେଷକୃତ୍ୟ କରାଯାଉଥିଲା । ସେଠାରେ ଅଶୋକଙ୍କ ଚିତା ଜଳୁଥିବା ବେଳେ ଉପସ୍ଥିତ ଲୋକଙ୍କ ଗହଣରେ ଥ‌ିଲେ ତାଙ୍କର ବନ୍ଧୁ ୪୦ ବର୍ଷିୟ ଆନନ୍ଦ । ଶବଦାହସ୍ଥଳରୁ ଲୋକେ ଧୀରେ ଧୀରେ ଫେରି ଆସିବା ବେଳେ ହଠାତ୍‌ ଆନନ୍ଦ ଅଶୋକଙ୍କ ଚିତାକୁ ଝାସ ଦେଇଥିଲେ ।

ଯେଉଁ କେତେ ଜଣ ସେଠାରେ ଉପସ୍ଥିତ ଥିଲେ ସେମାନେ ଆନନ୍ଦଙ୍କୁ ଚିତାଗ୍ନିରୁ ବାହାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ଥିବାରୁ ତାଙ୍କୁ ଆଗ୍ରା ମେଡିକାଲ୍ କଲେଜକୁ ରେଫର୍‌ କରାଯାଇଥିଲା । କିନ୍ତୁ, ଆଗ୍ରା ଯିବା ବାଟରେ ହିଁ ଆନନ୍ଦଙ୍କର ମୃତ୍ୟୁ ଘଟିଲା । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।