• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜାନୁଆରୀ ପହିଲାରୁ ସମ୍ପୂର୍ଣ୍ଣ ନୂଆ ଢାଞ୍ଚାରେ ଶ୍ରୀମନ୍ଦିର ସାମ୍ନାରେ ହେବ କାଳିଆ ଦର୍ଶନ ବ୍ୟବସ୍ଥା । ଆଉ ରହିବନି ପୁରୁଣା ବ୍ୟିରେକେଡ୍‌ । ଏଣିକି ଶୀତତାପ ନିୟନ୍ତ୍ରିତ ଟନେଲ ଦେଇ ଭକ୍ତ ମନ୍ଦିରକୁ ପ୍ରବେଶ କରିବେ । ତା ଭିତରେ ବସିବାଠୁ ପିଇବା ପାଣି ଯାଏଁ ବି ସୁବିଧା କରାଯାଉଛି । ବ୍ୟବସ୍ଥା କେତେ ଫଳପ୍ରଦ, ସେ ନେଇ ଭକ୍ତଙ୍କଠୁ ଫିଡବ୍ୟକ୍ ବି ନିଆଯିବ । ତେଣେ ନୂଆବର୍ଷ ପାଇଁ ପୁରା କଡ଼ା ସୁରକ୍ଷା ବଳୟରେ ବି ରହିବ ଶ୍ରୀକ୍ଷେତ୍ର ।

ନୂଆବର୍ଷରୁ ନୂଆ ଢାଞ୍ଚା । ହଟିଯିବ ପୁରୁଣା ବ୍ୟାରିକେଡ୍ । ଏସି ଟନେଲରେ ରହିବ ସେଡ୍ । ଆସନ୍ତା ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେବାକୁ ଯାଉଛି ସଂପୂର୍ଣ୍ଣ ନୂଆ ଦର୍ଶନ ପ୍ରଣାଳୀ । ବ୍ୟବସ୍ଥା ଅନୁଯାୟୀ- ବଡ଼ଦାଣ୍ଡ ଦେଇ ଆସୁଥିବା ଭକ୍ତ ମରିଚିକୋଟ୍ ଛକରୁ ସିଧା ଶୀତତାପ ନିୟନ୍ତ୍ରିତ ଟନେଲ ବ୍ୟାରିକେଡରେ ପ୍ରବେଶ କରିବେ । ସେଠୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଦେଇ ନବନିର୍ମିତ ସେଡ୍ ରେ ସିଂହଦ୍ୱାର ଯାଏଁ ଆସିବେ ।

ଯଦି ସେତେବେଳେ ଠାକୁରଙ୍କ ନୀତିକାନ୍ତି ଚାଲୁଥିବ, ତାହାଲେ ଭକ୍ତମାନେ ବ୍ୟାରିକେଡ୍ ଭିତରେ ହିଁ ରହିବେ । କିନ୍ତୁ ଯେପରି କୌଣସି ପ୍ରକାର ଅସୁବିଧାରେ ନପଡ଼ନ୍ତି ସେଥିପାଇଁ ହୋଇଛି ପର୍ଯ୍ୟାପ୍ତ ବ୍ୟବସ୍ଥା । ଟନେଲ୍ ଭିତରେ ଏସି ଲାଗିଛି, ଅସ୍ଥାୟୀ ଟୟଲେଟ୍ ଓ ପିଇବା ପାଣିର ସୁବିଧା ବି କରାଯାଉଛି । ତାସହ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ଯନ୍ତ୍ରଣାରୁ ମୁକ୍ତି ଦେବାକୁ ବ୍ୟାରିକେଡ୍ ସଲଗ୍ନ ସିଟିଂ ବ୍ୟବସ୍ଥା ମଧ୍ୟ ହୋଇଛି । ଟନେଲ ଭିତରେ ମୋଟ୍ ୬ଟି ରୋ ଅଛି, ଯେଉଁଥରେ ସାଢ଼େ ୩ହଜାରରୁ ୪ ହଜାର ଭକ୍ତ ରହି ପାରିବେ ।

ଗୋଟିଏ ପଟେ ସିଂହଦ୍ୱାର ସାମ୍ନାରେ ଭକ୍ତଙ୍କୁ ବ୍ୟାରିକେଡ୍ କଷ୍ଟରୁ ମୁକ୍ତି ଦେବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା ହେଉଛି । ହେଲେ ଶ୍ରୀମନ୍ଦିର ଭିତରେ କିନ୍ତୁ ଠେଲାପେଲା ଓ ଅଣନିଶ୍ୱାସୀ ସ୍ଥିତିର ସୁଧାର ପାଇଁ କାହାରି ନିଘା ନାହିଁ । ସାତ ପାହାଚରୁ ଭିତରକାଠ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କାଳିଆ ଦର୍ଶନ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ହେଉଛି । ଛୋଟପିଲା, ବୟସ୍କ ଓ ମହିଳାଙ୍କୁ ଶ୍ରୀମୁଖ ଦର୍ଶନ ଲାଗି ଯେମିତି ଯୁଦ୍ଧ କରିବାକୁ ପଡୁଛି । ତେଣୁ ମନ୍ଦିର ଭିତରେ ବି ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ଉଭୟ ଭକ୍ତ ଓ ସେବାୟତ ।

ଶ୍ରୀମନ୍ଦିର ସାଙ୍ଗକୁ ଶ୍ରୀକ୍ଷେତ୍ର । ନୂଆବର୍ଷରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସଜାଗ ହୋଇଛି ପୁରୀ ପୋଲିସ୍ । ଏସପିଙ୍କ ସୂଚନା ଅନୁସାରେ-ଶ୍ରୀମନ୍ଦିର ଭିତର ପାଇଁ ୭ ଓ ବାହାର ପାଇଁ ୯ଟି ସେକ୍ଟରରେ ସୁରକ୍ଷା ବ୍ୟବସ୍ଥା ବଣ୍ଟା ଯାଇଛି । ମରଚିକୋଟ ଛକରୁ ହେବ ନୋ ଭେଇକିଲ୍ ଜୋନ୍ । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ । ଆମ୍ବୁଲାନ୍ସ ଯିବ ଗ୍ରୀନ୍ କରିଡରରେ । ନୂଆ ଦର୍ଶନ ବ୍ୟବସ୍ଥା ସଂପର୍କରେ ଭକ୍ତଙ୍କ ଠାରୁ ଫିଡବ୍ୟାକ୍ ନିଆଯିବ । ସମୁଦ୍ର କୂଳରେ ଟ୍ରାଫିକ୍ ଜାମ୍ ଓ ଅପରାଧ ରୋକିବାକୁ ନନଷ୍ଟପ୍ ପାଟ୍ରୋଲିଂ ସହ ୩ଟି ଫାଣ୍ଡି କରାଯିବ । ଏବେ ଅପେକ୍ଷା ନୂଆବର୍ଷରୁ କେତେ ଫଳପ୍ରଦ ହେଉଛି ନୂଆ ଦର୍ଶନ ବ୍ୟବସ୍ଥା ।

  • Reported by:
  • MADHUSUDAN MISHRA