• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶ୍ରୀମନ୍ଦିର ଆଗରେ କି ପାଖରେ କେଉଁଠି ଶୌଚାଳୟଟିଏ ଅଛି କି ନାହିଁ ବୟୋଜ୍ୟଷ୍ଠ ଭକ୍ତ ମଧ୍ୟ ଜାଣି ନାହାନ୍ତି । ସେ କହିଛନ୍ତି ଯେ, ଆସିବା ବାଟରେ ତ ମୋଟେ ଆଖିରେ ପଡ଼ିନି, ମନେ ପଡ଼ିବ ବା କୁଆଡୁ । ମନେ କରନ୍ତୁ କାଳିଆ ଦର୍ଶନ ପାଇଁ ଆପଣ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡରେ ଲାଇନ୍‌ରେ ଅଛନ୍ତି, ଆଉ ଦୈବାତ୍ ୱାନ୍ ପାସ୍ କି ଟୁ ପାସ୍ ଲାଗିଲା । ତାହାଲେ ତ କଥା ସରିଲା। ଅକଳରେ ପଡ଼ିବାଟା ନିଶ୍ଚିତ, ଭକ୍ତି ଭାବ ବାଟବଣା ହେବା ବି ସୁନିଶ୍ଚିତ ।

ଏମିତି ହୋଇପାରେ ଲାଇନ୍ ଭାଙ୍ଗି ପୁଣି ପଛକୁ ଫେରିବାକୁ ପଡ଼ିବ । ଅବଶ୍ୟ ଇଏ ନିତିଦିନିଆ କଥା, ହେଲେ ଯିଏ ଭୋଗିଛି ସିଏ ଜାଣିଛି । ବିଶେଷକରି ମହିଳା, ଛୋଟ ପିଲା, ବୟସ୍କ ଓ ମଧୁମେହ ରୋଗୀଙ୍କ ପାଇଁ ତ ଏହା ଅତି କଷ୍ଟଦାୟକ ସ୍ଥିତି । ଖାଲି ଶ୍ରୀମନ୍ଦିର ପାଖ ନୁହେଁ, ପୁରୀ ବସଷ୍ଟାଣ୍ଡରୁ ମନ୍ଦିର ଯାଏଁ ରାସ୍ତା ମଝିରେ ବି କୌଣସି ଜାଗାରେ ସାଧାରଣ ଭକ୍ତଙ୍କ ପାଇଁ ଟୟଲେଟ୍ ଟିଏ ନାହିଁ ।

ସଂସଦରେ ବି ଦିନେ ଏଇ ଶ୍ରୀମନ୍ଦିର ଟୟଲେଟ୍ ପ୍ରସଙ୍ଗକୁ ନେଇ ଉଠିଥିଲା ଝଡ଼ । କେତେ ତର୍କ-ବିତର୍କ ସତ୍ତ୍ୱେ ଭକ୍ତଙ୍କ ସବୁଠୁ ଜରୁରୀ ଆବଶ୍ୟକତାର ସମାଧାନ ସେଇଠି ରହିଗଲା । ଖୋଲାମେଲାରେ ପରିତ୍ୟକ୍ତ ଅବସ୍ଥାରେ ପଡିଛି ଭ୍ରାମ୍ୟମାଣ ଟୟଲେଟ୍ । ଖାଲି ଭକ୍ତ ନୁହଁନ୍ତି ଶ୍ରୀମନ୍ଦିର ବେଢ଼ା ପରିସରରେ ସେବାୟତ ବି ଭୋଗୁଛନ୍ତି ସମାନ ଦଶା । ଯଦିଓ ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ସାମ୍ନାରେ ପୁରୁଷ, ମହିଳା ଓ ସେବାୟତଙ୍କ ପାଇଁ ତିନିଟି ଲେଖାଏଁ ଟୟଲେଟ୍ ନିର୍ମାଣ ଚାଲୁଛି ହେଲେ କାମ କେବେ ସରିବ ସେ କଥା ବି କାହାକୁ ଜଣାନାହିଁ ।

ତେଣେ ଯେଉଁ ପୂର୍ବ ବା ସିଂହଦ୍ୱାର ବାଟେ ଭକ୍ତ ଘଣ୍ଟା ଘଣ୍ଟା ଧରି ଲାଇନ୍ ରେ ଛିଡ଼ା ହୋଇ ଯନ୍ତ୍ରଣା ଭୋଗୁଛନ୍ତି । ସେ ଦ୍ୱାରରେ ଗୋଟିଏ ହେଲେ ଟୟଲେଟ୍ ନାହିଁ । ଯାହାକୁ ନେଇ ତେଜିଛି ଅସନ୍ତୋଷ । ଜିଲ୍ଲା ପ୍ରଶାସନ ଏନେଇ ସ୍ପଷ୍ଟ ଉତ୍ତର ରଖିପାରୁ ନଥିବାବେଳେ ପରିକ୍ରମା ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଓବିସିସି ସୁପରିଟେଣ୍ଡେଣ୍ଟ ଇଂଜିନିୟର ରଖିଛନ୍ତି ଅତି ବେପରୁଆ ଉତ୍ତର ।

  • Reported by:
  • MADHUSUDAN MISHRA