Advertisment

ଶ୍ରୀମନ୍ଦିର ନୀତି ବିଭ୍ରାଟରେ ନୋ ବ୍ରେକ !  ବିଳମ୍ବ ବନକଲାଗି ଯୋଗୁଁ ଭୋର୍ ୪ଟାରେ ରାତ୍ରପହୁଡ଼

ନାଟମଣ୍ଡପ ମରାମତି ପାଇଁ କେମିତି ରାତି ୨ରେ ହେବ ଦ୍ୱାରଫିଟା? ନୀତି ପ୍ରଶାସକ କହିଲେ ଅସୁବିଧା ହେବନି ।

author-image
Satyendu Shekher Mishra
undefined

Sri Mandir

ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ । ସିଂହ ଦୁଆରେ ଜଗା ଦର୍ଶନ ପାଇଁ ଅପେକ୍ଷା କରି କରି ଭକ୍ତ ବିରକ୍ତ । ରାତି ୩ଟାରୁ ଲାଇନ୍‌ରେ ଆସିଥିବା ଶ୍ରଦ୍ଧାଳୁ ସେମିତି ବସି ରହିଥିଲେ, ମନ୍ଦିର ଫିଟିନଥିବାରୁ କ୍ଷୁବ୍ଧ ହୋଇଥିଲେ। ସୂଚନା ଅନୁସାରେ ବୁଧବାର ବନକଲାଗି ପାଇଁ ସନ୍ଧ୍ୟା ୬ଟାକୁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଶ୍ରୀମୁଖ ଶୃଙ୍ଗାର ଆରମ୍ଭ ହେଲା ବେଳକୁ ଦେଢ଼ ଘଣ୍ଟା ବିଳମ୍ବ ହୋଇଥିଲା। ଫଳସ୍ବରୂପ ପଛକୁ ପଛ ନୀତି ଡେରି ହେଲା ଓ ଶ୍ରୀଜୀଉଙ୍କ ରାତ୍ର ପହୁଡ଼ ବେଳକୁ ଭୋର୍ ୪ଟା ବାଜିଗଲା।

Advertisment

ଯେଉଁଥିପାଇଁ ଆଜି ଦ୍ୱାର ଫିଟା ହେଲା ବେଳକୁ ସକାଳ ସାଢ଼େ ୬ ପାର୍। ମଙ୍ଗଳଆଳତୀ ସରି ଦର୍ଶନ ବେଳକୁ ୭ଟା ୨୦। ଯାହାକୁ ନେଇ ଭକ୍ତ ଯେତିକି ଅସନ୍ତୋଷ ପ୍ରକାଶ କରିଛନ୍ତି, ବରିଷ୍ଠ ସେବକ ବି ସେତିକି ଦୋଷ ପ୍ରଶାସନକୁ ଦେଇଛନ୍ତି।

ଗୋଟିଏ ପଟେ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ପିଛା ଛାଡୁନି, ତ ଅନ୍ୟପଟେ କାଲିଠୁ ନାଟମଣ୍ଡପ ବିମ୍ ଫାଟ ମରାମତି କାମ ଆରମ୍ଭ ହେବ। ସେଥିପାଇଁ ଆଜିଠୁ ମାର୍ଚ୍ଚ ୧୯ ତାରିଖ ଯାଏଁ ରାତି ୨ଟାରେ ଦ୍ୱାର ଫିଟା ନୀତି ପାଇଁ ଛତିଶାନିଯୋଗରେ ସ୍ଥିର ହୋଇଛି। ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ପରେ ମଧ୍ୟାହ୍ନ ଗୋଟାଏରୁ ସନ୍ଧ୍ୟା ୭ଟା ଯାଏଁ ନାଟମମଣ୍ଡପ ମରାମତି କରିବ ଏଏସଆଇ।

Advertisment

ତେଣୁ ଠାକୁରଙ୍କ ଆଗୁଆ ନୀତିକାନ୍ତି ସାରିବା ସହ କାମ ଚାଲୁଥିବାବେଳେ କୌଣସି ବଡ଼ ନୀତି ନରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବକ ନିଯୋଗ ସହ ଆଲୋଚନା କରିଥିବା କହିଛି। ତାସହ ସେ ସମୟରେ ଦର୍ଶନ ମଧ୍ୟ କିଭଳି ସୁରୁଖୁରୁରେ ଚାଲିବ, ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ନାଟମଣ୍ଡପ ମରାମତି ଚାଲୁଥିବାରୁ ଭକ୍ତମାନେ ଆଉ ପୂର୍ବଭଳି ଗୁରୁଡ଼ ସ୍ତମ୍ଭ ପଛପଟେ ଯାଇ ପାରିବେ ନାହିଁ। ବାହାର କାଠ ପାଖରୁ ଜାଲି ଦ୍ୱାରକୁ ଲାଇନରେ ଯିବେ, ସେଠୁ ଜୟବିଜୟ ଦ୍ୱାର ଦେଇ ଭିତରକାଠ ପର୍ଯ୍ୟନ୍ତ ଦର୍ଶନ ସାରି ବେହରଣ ଦ୍ୱାର ବାଟେ ପ୍ରସ୍ଥାନ କରିବେ।

ସନ୍ଧ୍ୟା ୭ଟା ପରେ ମରାମତି ସରିଲେ ସନ୍ଧ୍ୟା ଧୂପ ହୋଇ ଠାକୁରଙ୍କ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବ। ତେବେ ମନ୍ଦିର ପ୍ରଶାସନ ନିଜେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ନହେଲେ ଶୃଙ୍ଖଳିତ ନୀତିକାନ୍ତି ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ। ତେଣେ ନୀତି ପ୍ରଶାସକ କହିଛନ୍ତି- ଦର୍ଶନ ଓ ମରାମତି ଏକାସାଙ୍ଗେ ବିନା ବାଧାରେ ଚାଲି ପାରିବ ।

Srimandir Lord Jagannath
Advertisment
Advertisment