Advertisment

ବୋଲ ମାନୁନି ଡେଙ୍ଗୁ; ୨୫ ଶହ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

ରାଜଧାନୀର ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ୍-୯ ଓ ସହିଦ ନଗର ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ୍ । ଦିନକୁ ଦିନ ଡେଙ୍ଗୁ ସ୍ଥିତି ଅଣାୟାତ୍ତ ହେଉଥିବାରୁ କ୍ୟାପିଟାଲ ହସ୍ପିଟାଲ ଉପରେ ବଢ଼ୁଛି ଚାପ ।

author-image
Manoranjan Behera
undefined

Dengue In Bhubaneswar

କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଖାସ୍ କରି ରାଜଧାନୀ ଭୁବନେଶ୍ବରରେ ଏକ ପ୍ରକାର ଅଣାୟତ୍ତ ସ୍ଥିତି । କ୍ୟାପିଟାଲ୍ ହସପିଟାଲ୍‌ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଚାପ କମାଇବା ଲାଗି ରାଜଧାନୀର ୪ଟି CHCରେ ଡେଙ୍ଗୁ ୱାର୍ଡ ଖୋଲିବାକୁ ନିଷ୍ପତ୍ତି ହୋଇଛି । ତେବେ ଡେଙ୍ଗୁ ମୃତ୍ୟୁ ନେଇ ଏଯାଏଁ ସ୍ୱାସ୍ଥ୍ୟ ବିଭାଗର କୌଣସି ରିପୋର୍ଟ ହସ୍ତଗତ ହୋଇନି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ ସ୍ଥିତିକୁ ନେଇ ତେଜିଛି ରାଜନୀତି ।

Advertisment

ବୋଲ ମାନୁନି ଡେଙ୍ଗୁ । ଘୁ ଘୁ ହୋଇ ମାଡ଼ିଚାଲିଛି । ଗତବର୍ଷ ତୁଳନାରେ ଏ ବର୍ଷ ୫୦% ବଢ଼ିଗଲାଣି ଡେଙ୍ଗୁ ପଜିଟିଭ୍ କେସ୍ ସଂଖ୍ୟା । ସବୁଠୁ ସାଂଘାତିକ ସ୍ଥିତି ରାଜଧାନୀ ଭୁବନେଶ୍ୱରରେ । ସାରା ରାଜ୍ୟରୁ ୨ ହଜାର ୪୨୬ ଡେଙ୍ଗୁ ପଜିଟିଭ ବାହାରିଥିବା ବେଳେ କେବଳ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧ ହଜାର ୫୯।

ରାଜଧାନୀର ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ୍-୯ ଓ ସହିଦ ନଗର ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ୍ । ଦିନକୁ ଦିନ ଡେଙ୍ଗୁ ସ୍ଥିତି ଅଣାୟାତ୍ତ ହେଉଥିବାରୁ କ୍ୟାପିଟାଲ ହସ୍ପିଟାଲ ଉପରେ ବଢ଼ୁଛି ଚାପ । ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ୬୦-୭୦ ଜଣ ଡେଙ୍ଗୁ ପଜିଟିଭ ବାହାରୁଥିବା ବେଳେ ପ୍ରାୟ ୧୫ ଜଣ ଆଡମିଶନ୍ ହେଉଛନ୍ତି। ଏଠାରେ ଥିବା ସ୍ୱତନ୍ତ୍ର ୫୦ ଶଯ୍ୟାବିଶିଷ୍ଟ ଡେଙ୍ଗୁ ୱାର୍ଡ ଫୁଲ ହୋଇ ଏବେ ବନ୍ଦ ଥିବା କ୍ୟାଥଲ୍ୟାବ ରୁମରେ ଫୋଲ୍ଡିଂ ଖଟ ପକାଇ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା କରାଯାଉଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ।

Advertisment

ଏପଟେ କ୍ୟାପିଟାଲ ହସ୍ପିଟାଲ ଉପରୁ ଚାପ କମାଇବାକୁ ରାଜଧାନୀର ପଟିଆ, ୟୁନିଟ୍-୪, ବିଏମସି ଓ ଡୁମଡୁମାରେ ଥିବା ୪ଟି ସହରାଞ୍ଚଳ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ ଶଯ୍ୟାବିଶିଷ୍ଟ ଡେଙ୍ଗୁ ୱାର୍ଡ ଖୋଲିବାକୁ ନିର୍ଦ୍ଦେଶ ଦେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । ଏମିତିକି କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ଲାଗି ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପଟେ ଉପରମୁହାଁ ଡେଙ୍ଗୁ ନେଇ ଜୋର ଧରିଲାଣି ରାଜନୀତି । ଡେଙ୍ଗୁ ନିୟନ୍ତ୍ରଣରେ ସରକାରଙ୍କ ନିଷ୍କ୍ରିୟତାକୁ ଟାର୍ଗେଟ କରି ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ କରିଛି, ରାଜ୍ୟରେ ୨୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି ଡେଙ୍ଗୁ । ହେଲେ ସରକାର ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି । ଭୁବନେଶ୍ୱରରେ ପ୍ରତି ତୃତୀୟ  ଘରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି ।

ସ୍ଥିତି ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା କଂଗ୍ରେସ୍ କହିଥିବା ବେଳେ ଡେଙ୍ଗୁ ବୃଦ୍ଧି ନେଇ ଲୋକଙ୍କ ଉପରେ ଦୋଷ ଲଦିଛନ୍ତି ଭୁବନେଶ୍ୱର ମେୟର। କହିଛନ୍ତି, ଡେଙ୍ଗୁ କମାଇବାକୁ ବିଏମସି ଚେଷ୍ଟା କରୁଛି, ହେଲେ ଲୋକଙ୍କ ଅସାବଧନତା ଯୋଗୁ ବଢ଼ୁଛି ଡେଙ୍ଗୁ ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ଆସୁଥିବା ବେଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଡେଙ୍ଗୁ ମୃତ୍ୟୁ ଯାଞ୍ଚ ପାଇଁ ସବୁ ଜିଲ୍ଲାରେ ବିଶେଷଜ୍ଞ କମିଟି ଗଠନ ହୋଇଛି । ସେମାନଙ୍କ ରିପୋର୍ଟ ଆଧାରରେ ହିଁ ଡେଙ୍ଗୁ ମୃତ୍ୟୁ ତଥ୍ୟ ପ୍ରକାଶ ପାଇବ । ଏଯାଏଁ ଡେଙ୍ଗୁ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗର କୌଣସି ରିପୋର୍ଟ ହସ୍ତଗତ ହୋଇନି ।

Dengue In Odisha Dengue In Bhubaneswar
Advertisment
Advertisment