Advertisment

ଡାକ୍ତର ବନିବାର ସ୍ବପ୍ନ ଆଗରେ ହାର୍ ମାନିଛି ଦାରିଦ୍ର୍ୟ

କେନ୍ଦ୍ରାପଡ଼ାର ଶୁଭଲକ୍ଷ୍ମୀ ଓ ମୟୂରଭଞ୍ଜର ଜାମ୍ବିମଣୀ । ଜଣଙ୍କ ବାପା ଫେରିବାଲା, ଆଉ ଜଣଙ୍କ ମାଆ ରୋଷେୟା ।

author-image
Manoranjan Behera
impoverished student crack NEET

impoverished student crack NEET

କାହା ବାପା ଗାଁ ଗାଁ ବୁଲି ଫେରି କଲେ ଘରେ ଚୂଲି ଜଳେ ତ ପୁଣି କାହା ମାଆ ଜଣେ ସ୍କୁଲ ରୋଷେୟା । ଘୋର ଆର୍ଥିକ ଦୁଃସ୍ଥିତି ସତ୍ତ୍ୱେ କିନ୍ତୁ ସେମାନେ ଲକ୍ଷ୍ୟ ଭ୍ରଷ୍ଟ ହୋଇନାହାନ୍ତି, କଠୋର ପରିଶ୍ରମ କରି ସର୍ବଭାରତୀୟ ସ୍ତରର ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢ଼ିବାର ସ୍ୱପ୍ନକୁ ସାକାର କରିଛନ୍ତି। ଏମିତି ଦୁଇଜଣ ମେଧାବୀ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଶୁଭଲକ୍ଷ୍ମୀ ସାହୁ ଓ ମୟୂରଭଞ୍ଜର ଆଦିବାସୀ ଝିଅ ଜାମ୍ବିମଣୀ ସୟାଁ । ଯାହାଙ୍କ ସଂଘର୍ଷର କାହାଣୀ ପୁରା ଫିଲ୍ମ ଭଳି ।

Advertisment

ଠାକୁରଙ୍କ ପାଖରେ ନିଇତି ଦୀପଟିଏ ଜାଳିବା ବେଳେ ଖାଲି ଡାକ୍ତରଟିଏ ହୋଇ ରୋଗୀ ସେବା କରିବାର ଆଶିର୍ବାଦ ମାଗିନାହାନ୍ତି ଶୁଭଲକ୍ଷ୍ମୀ । ବରଂ ଅଦମ୍ୟ ଇଚ୍ଛାଶକ୍ତି ରୂପି ଦୀପରେ ପ୍ରରିଶ୍ରମର ସଳିତାକୁ ଅଗ୍ନି ଶିଖାରେ ବି ପରିଣତ କରିଛନ୍ତି । ସେଇଥିପାଇଁ ତ ଭବିଷ୍ୟତ ଆଜି ଆଲୋକିତ ହୋଇଛି ଓ ଘୋର ଆର୍ଥିକ ଅନଟନକୁ ପଛରେ ପକାଇ ନିଟ୍ କ୍ୱାଲିଫାଏ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ନରଡ଼ା ଗାଁର ଶୁଭଲକ୍ଷ୍ମୀ ସାହୁ । ବାଲେଶ୍ୱର ଫକୀର ମୋହନ ମେଡ଼ିକାଲ କଲେଜର ଏବେ ସେ ଏମବିବିଏସ୍ ଛାତ୍ରୀ । ବାପା ବ୍ରଜକିଶୋର ଜଣେ ଫେରିବାଲା, ସାଇକେଲରେ ଗାଁ ଗାଁ ବୁଲି ଷ୍ଟେସନାରୀ ସାମଗ୍ରୀ ଧରି ବୁଲିଲେ ଘରେ ଚୂଲି ଜଳେ।

ତଳକୁସୁମା ଗୋବିନ୍ଦପୁର ହାଇସ୍କୁଲରୁ ଝିଅ ଭଲ ମାର୍କ ରଖି ମାଟ୍ରିକ୍ ପାସ୍ କରିଥିଲେ ବି ଅର୍ଥାଭାବରୁ ଆଉ ପଢାଇବାକୁ ସାହଜ ଜୁଟାଇ ପାରିନଥିଲେ  ବ୍ରଜକିଶୋର । ହେଲେ ଝିଅର ଡାକ୍ତର ହେବା ଝୁଙ୍କ କିନ୍ତୁ ତାଙ୍କୁ ଦୋହଲାଇ ଦେଇଥଲା । ଶେଷରେ ଜଣେ ଶୁଭେଛୁଙ୍କ ସହାୟତାରେ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ କୋଚିଂ ପାଇଁ ଛାଡ଼ିଥିଲେ । ଯାହାର ସୁଫଳ ମିଳିଛି । ଚାରିଆଡୁ ଝିଅ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଥିପାଇଁ ବାପା ତ ଗୌରବାନ୍ୱିତ ହୋଇଛନ୍ତି ହେଲେ ମାଆ କନକଲତା କିନ୍ତୁ ଝିଅକୁ ଦେଇଛନ୍ତି ଗରିବ ଗୁରୁବାଙ୍କୁ ନିସ୍ୱାର୍ଥପର ସେବା ମନୋବୃତ୍ତିର ମନ୍ତ୍ର ।

Advertisment

ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ବହୁଳ ସୁନାମରା ଗାଁର ସୁନା ଝିଅ ଜାମ୍ବିମଣି ସୱାୟାଁ । ସେ ବି NEET ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏବେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଛାତ୍ରୀ । ଯୌଥ ପରିବାର, ଭଙ୍ଗା ଦଦରା ଘର । ବିଷମ ପରିସ୍ଥିତିରେ ଜାମ୍ବିମଣୀଙ୍କ ସଂଘର୍ଷ କୌଣସି ଫିଲ୍ମର କାହାଣୀଠୁ ବି କମ୍ ନୁହେଁ । ଜାମ୍ବିମଣୀଙ୍କ ମାଆ ପାର୍ବତୀ ଗାଁ ପ୍ରାଇମେରୀ ସ୍କୁଲର ରାଷେୟା । ସ୍ୱାମୀ ଜଣେ ସାଧାରଣ ଚାଷୀ । ମାସକୁ ମାତ୍ର ୧୪ଶହ ଟଙ୍କା ଦରମାରେ ଘରର ୮ ପ୍ରାଣୀ କୁଟୁମ୍ବଙ୍କୁ ପୋଷିବେ ନା ଝିଅର ଡାକ୍ତରୀ ପଢ଼ା ପ୍ରସ୍ତୁତିରେ ସହାୟକ ହେବେ । କେତେ କଷ୍ଟ କେବଳ ତାଙ୍କୁ ଜଣା, ହେଲେ ନିଜେ ହାରି ନାହାନ୍ତି କି ଝିଅକୁ ନିରାଶ ବି କରିନାହାନ୍ତି । ଝିଅ ଜାମ୍ବିମଣି ଡାକ୍ତର ହେବ, ରୋଗୀ ସେବା କରିବ । ଏକଥା ପାର୍ବତୀଙ୍କ ପାଇଁ ସ୍ୱପ୍ନ ହୋଇଥିବାବେଳେ ଝିଅକୁ ଚାରିଆଡୁ ଛୁଟୁଥିବା ପ୍ରଂଶସା ଦେଖି ସେ ଆଜି ଶବ୍ଧଶୂନ୍ୟ ।

ସେ ଶୁଭଲକ୍ଷ୍ମୀ ହୁଅନ୍ତୁ କି ଜାମ୍ବିମଣୀ, ଘୋର ବିଷମ ପରିସ୍ଥିତିରେ ବି ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଅନ୍ୟ ମାନଙ୍କ ପାଇଁ ଜ୍ୱଳନ୍ତ ଉଦାହରଣ ନିଶ୍ଚୟ ।

NEET Exam Special Story
Advertisment
Advertisment