• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବନ୍ଦ ହେବ ୪୦ ବର୍ଷର କଟକ ଡିଅର ପାର୍କ । ସ୍ଥାନାନ୍ତର ହେବେ ୨୯୦ରୁ ଅଧିକ ହରିଣ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦୁଇଟି ପର୍ଯ୍ୟାୟରେ ୩୦ରୁ ଅଧିକ ହରିଣଙ୍କୁ ଚନ୍ଦକା ଅଭୟାରଣ୍ୟର ସ୍ୱତନ୍ତ୍ର ଏନକ୍ଲୋଜରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମାସେ ମଧ୍ୟରେ ସବୁ ହରିଣଙ୍କୁ କଟକରୁ ନିଆଯିବ । ସେପଟେ ସବୁ ହରିଣଙ୍କୁ ନ ନେଇ ପୁରୁଣା ଡିଅର ପାର୍କରେ କିଛି ହରିଣଙ୍କୁ ରଖିବାକୁ ସହରବାସୀ ଦାବି କରିଛନ୍ତି ।

ଆଉ ଦେଖିବାକୁ ମିଳିବେ ନାହିଁ କଟକ ସହର ଭିତରେ ଥିବା ଡିଅର ପାର୍କର ଚଳ ଚଂଚଳ ଜୀବ । ଗଲା ୪୨ ବର୍ଷ ଧରି ଉଭୟ ସହରବାସୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଚିତ୍ରିତ ହରିଣ ମାନେ ଏବେ ଏଠାରୁ ସ୍ଥାନାନ୍ତର ହୋଇଯିବେ । ସ୍ଥାନାଭାବ, ହରିଣଙ୍କ ସଂଖ୍ୟା ବୃଦ୍ଧି ଓ ପରେ ସ୍ଥାନାନ୍ତର ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରକ୍ରିୟା ଆରମ୍ଭ ହୋଇଛି ।

କଟକ ଓ ଚନ୍ଦକା ବନ ବିଭାଗ ଏବଂ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହଯୋଗରେ ଚନ୍ଦକା ଡମପଡା ଅଭୟାରଣ୍ୟର ୭୦ ଏକରରୁ ଅଧିକ ସ୍ଥାନରେ ନିର୍ମିତ ଏକ ସ୍ୱତନ୍ତ୍ର ଏନକ୍ଲୋଜରକୁ ନିଆଯାଉଛି ହରିଣ ମାନଙ୍କୁ । ଗତ ଶନିବାର ୧୩ଟି ଓ ଗତକାଲି ୨୦ରୁ ଉର୍ଦ୍ଧ ହରିଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ଦୀର୍ଘବର୍ଷ ଧରି ହରିଣ ମାନଙ୍କୁ ନିଜ ପିଲା ଭଳି ଯତ୍ନ ନେଇଥିବା ପାର୍କର ଆନିମଲ କିପର ଶିବ ପ୍ରସାଦଙ୍କ ଆଖିରେ ଲୁହ । ଅତି ନିଜର ଥିବା ଦୁଟି ହରିଣ ରାବଣ ଓ ବୁଢା ଏବେ ତାଙ୍କଠୁ ଦୂରେଇ ଯାଇଛନ୍ତି ।

ସକାଳୁ ରାତି ଯାଏ ତୁଳସୀପୁର ମହାନଦୀ କୂଳର ଏହି ହରିଣ ପାର୍କରେ ଲାଗୁଥିଲା ଲୋକଙ୍କ ଗହଳି । କଟକର ଅନ୍ୟତମ ପରିଚୟ ମଧ୍ୟ ଥିଲା ଏହି ଡିଅର ପାର୍କ । ତେବେ ସହରବାସୀଙ୍କ ନିବେଦନ, ଅନ୍ତତଃ କିଛି ହରିଣଙ୍କୁ ଏଠାରେ ରଖାଯାଉ । ଏନେଇ ମହାନଗର ନିଗମ କମିଶନର କହିଛନ୍ତି, ଡିଅରପାର୍କର ଲାଇସେନ୍ସ ରଦ୍ଦ ହୋଇଯାଇଛି । ଆଗକୁ ୬ ଲେନ ରାସ୍ତା ବି ନିର୍ମାଣ ହେବ । ଏଣୁ ଯାହା ଜାଗା ରହିବ ସେହି ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ବ୍ୟବସ୍ଥା କରାଯିବ ।

୧୯୮୧ ମସିହାରେ ନନ୍ଦନକାନନରୁ ୬ଟି ହରିଣଙ୍କୁ ଡିଅର ପାର୍କକୁ ଅଣା ଯାଇଥିଲା । ଏବେ ଏହି ସଂଖ୍ୟା ୨୯୦ରୁ ଅଧିକ । ତେବେ ଚନ୍ଦକା ଅଭୟାରଣ୍ୟର ସ୍ୱତନ୍ତ୍ର ଏନକ୍ଲୋଜରକୁ ହରିଣଙ୍କୁ ସ୍ଥାନାନ୍ତର କରାଯାଉଥିବାବେଳେ ଜଙ୍ଗଲ ପରିବେଶ ସହ ସେମାନଙ୍କୁ ଅଭ୍ୟସ୍ତ କରାଯିବ ।

  • Reported by:
  • Biswajit Acharya