• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପ୍ରେମ ବିବାହ କଲେ ବୋଲି ଗାଁରୁ ବାହାର କରିଦେଲେ । ବିବାହ ପରେ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ନିଜ ଭିଟା ମାଟି ଛାଡ଼ି ୨୦ ବର୍ଷ ହେଲା ବାସନ୍ଦ ଜୀବନ ବିତାଉଛନ୍ତି ଗୋଟିଏ ପରିବାର । ପ୍ରଥମେ ବାସନ୍ଦ ହେବା ପରେ ବିଭିନ୍ନ ଗାଁରେ ରହିବା ପରେ ଏବେ କିଛି ବର୍ଷ ହେଲା ଗଜପତି ଜିଲ୍ଲା ମୋହନା ଥାନା ଆନନ୍ଦପୁର-ବାଗଡଙ୍ଗର ଗାଁରେ ରହୁଛନ୍ତି ଜର୍ଜଙ୍କ ପରିବାର । ଜର୍ଜ ପାଇକ ମୋହନା ଥାନା କିର୍ତିଂ ଗାଁର ମୂଳ ବାସିନ୍ଦା ହୋଇଥିବା ବେଳେ ଗାଁରେ ଜର୍ଜଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଗତ ୨୦୦୪ ମସିହାରେ ସେହି ଗାଁର ନିଜ ବଂଶର ଅନିତା ନାମକ ଝିଅକୁ ପ୍ରେମ ବିବାହ କରିଥିଲେ ।

ଅନୀତାଙ୍କୁ ପ୍ରେମ ବିବାହ କଲେ ବୋଲି ପରେ ଝିଅ ଘର ପରିବାର ସମେତ ଗାଁର କିଛି ଲୋକ ତାଙ୍କୁ ବିରୋଧ କରିଥିଲେ । ବିରୋଧ ଭୟରେ ଦୁହେଁ ଗାଁ ଛାଡ଼ି ଅନ୍ୟ ଏକ ଗାଁରେ ରହିବା ପରେ ଉଭୟ ରେଜିଷ୍ଟ୍ରି ବିବାହ ବି କରିଥିଲେ । ଇତି ମଧ୍ୟରେ ଜର୍ଜଙ୍କ ୩ ଟି ସନ୍ତାନ ବି ହୋଇଛନ୍ତି । ବଡ ଝିଅ ଏବେ ମାଟ୍ରିକ ପାସ କରି ଏକ ତାଲିମ କେନ୍ଦ୍ରରେ ତାଲିମ ନେଉଥିବା ବେଳେ ମଝିଆ ଝିଅ ୫ ଓ ସାନ ପୁଅ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି  ।

ତେବେ ବିବାହର ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ ଜର୍ଜ ଓ ପତ୍ନୀ ଅନିତା ନିଜ ଭିଟା ମାଟିକୁ ଫେରି ପାରୁ ନାହାନ୍ତି । ଗାଁକୁ ଗଲେ ଝିଅ ଘର ପରିବାର ଲୋକେ ମାରପିଟ୍ କରିବା ସହ ହତ୍ୟା ଧମକ ବି ଦେଉଛନ୍ତି । ଗାଁର ବ୍ୟକ୍ତିମାନେ ଜର୍ଜ ନାମରେ ଥିବା ଜମି ବାଡ଼ିକୁ ଜବରଦଖଲ କରି ନେଇ ଯାଇଛନ୍ତି । ଜର୍ଜ ଏ ନେଇ ଥାନା ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ପାଇବାରୁ ବଞ୍ଚିତ ଅଛନ୍ତି । 

ପତ୍ନୀ ଅନୀତା ପ୍ରଶ୍ନ କରିଛନ୍ତି ଆମେ ପ୍ରେମ କରି କ’ଣ ଅନ୍ୟାୟ କରିଛୁ? ସରକାର ଆମକୁ ନ୍ୟାୟ ଦିଅନ୍ତୁ । ଆମେ ଆମ ଗାଁକୁ ଫେରିବାକୁ ଚାହୁଁଛୁ । ଜର୍ଜ ଓ ପତ୍ନୀ ଅନିତା ମୋହନା ତହସିଲଦାରଙ୍କୁ ସାକ୍ଷାତ କରି ପୁଣି ଥରେ ଅଭିଯୋଗ କରିଛନ୍ତି । ତହସିଲଦାର କହିଛନ୍ତି , ଆର.ଆଇଙ୍କୁ ଗାଁକୁ ପଠାଇ ଘଟଣାର ତଦନ୍ତ କରିବେ ଓ ଆବଶ୍ୟକ ପଡିଲେ ଥାନା ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ। ତେବେ ଦେଖାଯାଉ କେବେ ଗାଁକୁ ଫେରୁଛନ୍ତି ନବଦମ୍ପତ୍ତି ।

  • Reported by:
  • Mihir Jati