• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କେନ୍ଦ୍ରାପଡ଼ାର ସର୍ବ ପୂରାତନ ବସଷ୍ଟାଣ୍ଡର ଏବେ ଦୟନୀୟ ସ୍ଥିତି । ଦୈନିକ ଏଠାକୁ ହଜାର ହଜାର ଲୋକ ଯାଆସ କରୁଥିବା ବେଳେ ପ୍ରତିଦିନ ୫୦ ରୁ ଅଧିକ ଘରୋଇ ବସ୍‌ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଯାତ୍ରୀ ପରିବହନ କରନ୍ତି । ହେଲେ ଏବେ ବସଷ୍ଟାଣ୍ଡର ଅବସ୍ଥା ଏତେ ଶୋଚନୀୟ ହେଲାଣି ଯେ ବସ୍‌ଷ୍ଟାଣ୍ଡକୁ ଆସିବାକୁ ଇଚ୍ଛା କରୁନାହାନ୍ତି ଯାତ୍ରୀ । ନବୀକରଣ ନାଁରେ ବସଷ୍ଟାଣ୍ଟ ଭାଙ୍ଗିଦେଲା ପ୍ରଶାସନ । ହେଲେ ସ୍ଥିତି ଏବେ ସଙ୍ଗୀନ ହେଲାଣି । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

ନାହିଁନାହିଁରେ ଚାଲିଛି କେନ୍ଦ୍ରାପଡ଼ା ବସଷ୍ଟାଣ୍ଡ । ଯାତ୍ରୀଙ୍କ ଲାଗି ପିଇବା ପାଣିର ବ୍ୟବସ୍ଥା ନାହିଁ କି ଶୌଚାଳୟଟିଏ ନାହିଁ । ସ୍ଥିତି ଏମିତି ହେଲାଣି ଯେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ ଲୋକେ ସିଝୁଛନ୍ତି ସତ ହେଲେ ବସିବା ଲାଗି ଛାଇ ଟିକେ ନାହିଁ । ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନୂଆ ବସ୍‌ଷ୍ଟାଣ୍ଡ ତିଆରି ହେବ କହି ଶୌଚାଳୟ , ପାନୀୟଜଳ, ଦୋକାନ ଘରକୁ ମାଟିରେ ମିଶେଇ ଦିଆଗଲା । ହେଲେ ଏଯାଏଁ ତିଆରି ହେଲାନି । ଯେଉଁଥି ଲାଗି ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଯାତ୍ରୀ । ବିଶେଷ କରି ମହିଳା ଯାତ୍ରୀମାନେ ସାଙ୍ଘାତିକ ଅସୁବିଧାର ସାମ୍ନା କରୁଛନ୍ତି । ଏମିତିକି ବସଷ୍ଟାଣ୍ଡ ପରିସରରେ ଯେଉଁ ଭଙ୍ଗା ନକକୂଅଟି ଅଛି ତାହା କୌଣସି କାମରେ ଆସୁନାହିଁ ବୋଲି ଅଭିଯୋଗ କରିଛନ୍ତି ଯାତ୍ରୀ ।

ଅଧିକ ପଢ଼ନ୍ତୁ: ବିଶ୍ୱସ୍ତରୀୟ ବାହାସ୍ଫୋଟକୁ ଖୋଲା ପରିହାସ: ଧୂ ଧୂ ଖରାରେ ସିଝୁଛି ରୋଗୀଙ୍କ ଜୀବନ

ଅଭିଯୋଗ ହେଉଛି, ବସଷ୍ଟାଣ୍ଡ ପ୍ରତି ଅବହେଳା ପ୍ରଦର୍ଶନ କରିବାରେ ବିଭାଗୀୟ କର୍ତ୍ତୃପକ୍ଷ ସବୁ ସୀମା ଟପି ଯାଇଛନ୍ତି । ଏମିତିକି ବସ୍‌ଷ୍ଟାଣ୍ଡ ପରିସରରେ ଏକ ଯାତ୍ରୀ ବିଶ୍ରାମ ଗୃହ ରହିଛି ସତ କିନ୍ତୁ ସେଠି ତାଲା ଝୁଲୁଛି । ଯାତ୍ରୀମାନେ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଦୋକାନ ପିଣ୍ଡାରେ ଆଶ୍ରୟ ନେଉଥିଲେ । ହେଲେ ଦୋକାନ ଘର ଭାଙ୍ଗି ଦିଆଯିବା ପରେ ଯାତ୍ରୀଙ୍କ ଅବସ୍ଥା ସାଙ୍ଘାତିକ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପରିବହନ ବିଭାଗର ୨୧ ବଖରା ଦୋକାନ ଘର ଖତ ଖାଉଛି ହେଲେ ବିତରଣ କରାଯାଉ ନାହିଁ । ଯାହାକୁ ନେଇ ତେଜିବାର ଲାଗିଛି ଅସନ୍ତୋଷ । ଖାଲି ଯାତ୍ରୀ ନୁହେଁ ବରଂ ବସ୍‌ କର୍ମଚାରୀମାନେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ସେପଟେ ବିଭାଗ ନିଜ ଦୋଷକୁ ପୂର୍ତ୍ତ ବିଭାଗକୁ ଠେଲି ଦେଇଛି । ତେବେ ସମୟ କହିବ କେବେ ତିଆରି ହେଉଛି କେନ୍ଦ୍ରାପଡ଼ାର ନୂଆ ବସ୍‌ଷ୍ଟାଣ୍ଡ...।

  • Reported by:
  • MANOJ SWAIN