• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କିଏ ସାଇକେଲ କାନ୍ଧରେ ନେଇକି ତ ଆଉ କିଏ ଗୋଡ ଚାପିଚାପି ...ଯଦି ଗାଡି ଗଲା ତେବେ ଏମିତି ଦୋହଲୁଛି ଯେ କେତେବେଳେ କେଉଁ ଆଡ଼କୁ ପଡ଼ିଯିବ ତାହା କହିବା ବି ମୁସ୍କିଲ । ରାସ୍ତାର ଅବସ୍ଥା ଦେଖିଲେ ବିଲରେ ଏତେ ମାତ୍ରାରେ କାଦୁଅ ନଥିବ ବୋଲି ସମସ୍ତେ କହିବେ । ତେଣୁ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଜୋର ଧରିଲାଣି ଦାବି ।

ସୁବର୍ଣ୍ଣପୁର ବିନିକା ସହରର ରହିଳା ଫିସରୀ ଅଫିସରୁ ମାଛ ଜାଆଁଳା ପ୍ରସ୍ତୁତି କେନ୍ଦ୍ର ପର୍ଯ୍ୟନ୍ତ ଯାଇଛି ଏହି ରାସ୍ତା । ରାସ୍ତାରେ ଦୈନିକ ଶହଶହ ଛାତ୍ରଛାତ୍ରୀ ସ୍କୁଲକୁ ଯିବା ଆସିବା କରୁଥିବା ବେଳେ ଶତାଧିକ ଲୋକ ମାର୍କେଟ୍‌ ଏବଂ ଅନେକ ରୋଗୀ ମେଡିକାଲକୁ ଯାଆସ କରୁଛନ୍ତି । ହେଲେ ରାସ୍ତାର ଅବସ୍ଥା ପୂରା ଖରାପ । କାଦୁଅ ପଚପଚ ହୋଇ ରହିଛି । ଖାଲଖମାରେ ଏମିତି ଭର୍ତ୍ତି ହୋଇ ରହିଛି ଯେ କେତେବେଳେ ଦୁର୍ଘଟଣା ଘଟିବ ତାହା କେହି ବି କହିପାରିବେ ନାହିଁ । ସ୍ଥିତି ଏମିତି ହେଲାଣି ଯେ ଏହି ରାସ୍ତାରେ ଗାଡି ନେଇ ଯିବାକୁ ଲୋକମାନେ ଇଚ୍ଛା କରୁନାହାନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାସ୍ତା ଅବସ୍ଥା ଏତେ ଖରାପ ଥିବାରୁ ପ୍ରତିଦିନ ଲୋକମାନେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ତୁରନ୍ତ ରାସ୍ତା ମରାମତି ଲାଗି ପ୍ରଶାସନକୁ ଅନୁରୋଧ ବି କରିଛନ୍ତି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଖାଲି ଏତିକି ନୁହେଁ ଏହି ରାସ୍ତା ଦେଇ ହଜାର ହଜାର ଶ୍ରଦ୍ଧାଳୁ ପ୍ରସିଦ୍ଧ ପାପକ୍ଷୟ ଘାଟକୁ ଆସି ବୁଡ ପକାଇ ବଟ ବୃକ୍ଷରେ ପଶି ପାପକ୍ଷୟ କରିବା ଲାଗି ଆସନ୍ତି ।

ଏପରିକି ମାଛ ଜାଆଁଳା ପ୍ରସ୍ତୁତି କରଣ କେନ୍ଦ୍ରକୁ ମଧ୍ୟ ସମ୍ବଲପୁର,ବରଗଡ,ବୌଦ୍ଧ,କଳାହାଣ୍ଡି,ବଲାଙ୍ଗିର,ସୋନପୁର,ଦେବଗଡ,ଝାରସୁଗୁଡା ଆଦି ବିଭିନ୍ନ ଜିଲ୍ଲାରୁ ଶହଶହ ଚାଷୀମାନେ ଆସି ମାଛ ଜାଆଁଳା କିଣି ନେଉଛନ୍ତି । ହେଲେ ବର୍ଷବର୍ଷ ଧରି ରାସ୍ତାର ଅବସ୍ଥା ଏମିତି ହୋଇ ରହିଛି ସତ ସୁଧୁରିବାରେ ନା ଧରୁନି । ସେପଟେ ବିଭାଗୀୟ ଅଧିକାରୀ କହିଛନ୍ତି, ଏହି ରାସ୍ତା ଆମ ଡିର୍ପାଟମେଣ୍ଟ ଅଣ୍ଡରରେ ରହିଛି । ଜିଲ୍ଲା ପ୍ରଶାସନ ଓ ଏନଏସି ପ୍ରଶାସନ ସହାୟତାରେ ଖୁବଶୀଘ୍ର ତିଆରି କରାଯିବ ।

 

  • Reported by:
  • Dilip Sahoo