• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାସ୍ତା ଅବସ୍ଥା ଦେଖିବା ପରେ ସମସ୍ତେ ପ୍ରଶ୍ନ କରିବେ ସେଇଟା ରାସ୍ତା ନା ବିଲ? ବଳଦ ଦୁଇଟି ଯଦି ସେଇଠି ୨ ଘେରା ହଳ କରିଦେବେ ଧାନ ଗଛ ରୁଆ ପୋତାରେ କିଛି ଅସୁବିଧା ହେବନି । କିନ୍ତୁ ସେଇଟା ବିଲ ନୁହେଁ ରାସ୍ତା । ହଁ..ସେଇଟା ରାସ୍ତା । ପ୍ରତିଦିନ ସେହି ରାସ୍ତାରେ ଶହଶହ ଲୋକ ଯିବାଆସିବା କରୁଛନ୍ତି । ସ୍କୁଲକୁ ଯାଇ ପିଲାମାନେ ପାଠ ପଢୁଛନ୍ତି, ରୋଗୀ ଡାକ୍ତର ଖାନା ବି ଯାଉଛନ୍ତି । ସ୍ଥିତି ଏମିତି ହେଲାଣି କେତେବେଳେ ଦୁର୍ଘଟଣା ଘଟିବ ତାହା କାହାକୁ ବି ଜଣାନାହିଁ ।

କାଦୁଅ ପଚପଚ ରାସ୍ତା । ସାମାନ୍ୟ ବର୍ଷା ହେଲେ ଗାଁକୁ ଯିବା କଷ୍ଟକର । ହେଲେ ଉପାୟ କିଛି ନାହିଁ । ତେଣୁ ବିପଦପୂର୍ଣ୍ଣ ଭାବରେ ଯିବା ଆସିବା କରୁଛନ୍ତି ଲୋକ । ଦେବଗଡ ବାରକୋଟ ବ୍ଲକ ବୃନ୍ଦାବନପୁର ଗାଁରୁ ଦନ୍ତାରୀବାହାଲ ପଂଚାୟତ ସଦର ମହକୁମାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଏବେ ପୂରା ବେହାଲ ହେଲାଣି । ୨ କିମି ବାଟ ଯିବାକୁ ୨ ଘଂଟାରୁ ଲାଗୁଛି ଅଧିକ ସମୟ । ବିଶେଷ କରି ଭତ୍ତା ଓ ରାସନ ଚାଉଳ ଆଣିବାକୁ ଯିବା ବେଳେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ ।

ବୃନ୍ଦାବନପୁର ଲୋକଙ୍କ ପାଇଁ ସେହି ରାସ୍ତା ହିଁ ଏକମାତ୍ର ସାହା ଭରଷା । କିନ୍ତୁ କାଦୁଅ ଭର୍ତ୍ତି ରାସ୍ତାରେ ଯିବା ଆସିବା ଏବେ ଶୋଚନୀୟ ହୋଇ ପଡିଛି । ସାଇକେଲ ଧରି ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଇକେଲ୍‌ରେ ବସି ନୁହେଁ ବରଂ କାନ୍ଧରେ ସାଇକେଲ୍‌ ଧରି ସ୍କୁଲ ଯାଉଛନ୍ତି ପିଲା । ବାଇକ୍‌ କି ଅଟୋ କଥାରେ ପଚାରେ କିଏ ?

ରାସ୍ତା ସମସ୍ୟା ସମ୍ପର୍କରେ ବ୍ଲକ୍‌ ପ୍ରଶାସନକୁ ବାରମ୍ବାର ଗୁହାରି କରିଛନ୍ତି ଗାଁ ଲୋକେ । ହେଲେ ଫଳ କିଛି ମିଳୁନଥିବା ଅଭିଯୋଗ ହୋଇଛି । ସେପଟେ ଘଟଣାକୁ ନେଇ ବିଡିଓ କହିଛନ୍ତି ମୋରମ୍‌ ରାସ୍ତା ଥିବାରୁ ବର୍ଷା ହେଲେ ଏମିତି ଅବସ୍ଥା ହେଉଛି । ବର୍ଷା କମିବା ପରେ ରାସ୍ତା କାମ ହେବ ।  ଗାଁ ଗାଁକୁ ରାସ୍ତା...ପ୍ରତି ଗାଁକୁ ପକ୍କା ରାସ୍ତା ହେଉଥିବାର କଥା ବାରମ୍ବାର କହୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତରେ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ଏହି ଘଟଣା ହିଁ ବୟାନ କରୁଛି ।

 

  • Reported by:
  • Sidharth Guru