• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନିର୍ମାଣ ଯେମିତି ଅତ୍ୟାଧୁନିକ, ଦେଖିବାକୁ ସେତିକି ଆକର୍ଷଣୀୟ । କୋଟି କୋଟି ଟଙ୍କା ବ୍ୟୟରେ ଖର୍ଚ୍ଚ ହୋଇଛି ବ୍ରହ୍ମପୁରର ଅତ୍ୟାଧୁନିକ ବସଷ୍ଟାଣ୍ଡ । ନିର୍ମାଣ ସରିବା ପରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଦେଇଥିଲେ । ଆଉ ଏହାରି ଭିତରେ ୭ ବର୍ଷ ବିତିଗଲାଣି ହେଲେ କାର୍ଯ୍ୟକାରୀ ହୋଇପାରିଲାନି ବସଷ୍ଟାଣ୍ଡ ।

ନୂଆକରି ତିଆରି ହୋଇଥିବା ବସଷ୍ଟାଣ୍ଡରେ ଲାଗିଛି ଫ୍ୟାନ୍‌...ହେଲେ କିଛି ଚାଲୁନି । ବରଂ ପାରା ଓ ଚଢେଇ ସବୁ ମଳତ୍ୟାଗ କରି ପରିବେଶକୁ ଏମିତି ଅପରିଷ୍କାର କରି ରଖିଛନ୍ତି ଦେଖିଲା ବେଳକୁ ଘୃଣା ଲାଗୁଛି । ବ୍ରହ୍ମପୁରବାସୀ ଭାବିଥିଲେ ନୂଆ ବସଷ୍ଟାଣ୍ଡ ପରେ ସହର ମଧ୍ୟରୁ ଟ୍ରାଫିକ୍‌ ଜାମ୍ କମିବ, ଆରାମରେ ଦୂର ସ୍ଥାନକୁ ଯାତ୍ରା କରିପାରିବେ ଯାତ୍ରୀ । ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି ।

୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସହର ଉପକଣ୍ଠ ହଳଦିଆପଦରଠାରେ ନୂଆ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ ହେଲା । ହେଲେ ୭ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ବସ୍‌ଷ୍ଟାଣ୍ଡ କାର୍ଯ୍ୟକାରୀ ହୋଇପାରୁ ନାହିଁ । ୨୦୧୩ ମସିହାରେ ଭୂମି ପୂଜନ ଓ ୨ ଫେବୃଆରୀ ୨୦୧୬ ମସିହାରେ ଉଦ୍‌ଘାଟନ ହୋଇଥିଲା ନୂଆ ବସ୍‌ଷ୍ଟାଣ୍ଡ । କିନ୍ତୁ ଦିନେ ହେଲେବି ଏଇ ଷ୍ଟାଣ୍ଡକୁ ବସ୍‌ ଆସିନି । ନିର୍ମାଣ ପରେ ବି ବ୍ୟବହାର ନହେବାରୁ ଅବସ୍ଥା ପୂରା ବେହାଲ । କୋଉଠି କାନ୍ଥ ଫାଟି ଆଁ କଲାଣି ତ ଆଉ କୋଉଠି ଫ୍ୟାନ୍‌ ମୋଡି ହୋଇଗଲାଣି । ଜାଣି ଆଶ୍ଚର୍ଯ୍ୟ ହେବେ କି ବସଷ୍ଟାଣ୍ଡ ବ୍ୟବହାର ଉପଯୋଗୀ ନହେବାରୁ ଏବେ ସେଇଠି ତହସିଲ କାର୍ଯ୍ୟାଳୟ ଖୋଲିଲାଣି ।

୭ ବର୍ଷ ପରେ ବି ବସଷ୍ଟାଣ୍ଡରେ ବସ୍‌ ରହୁନଥିବାରୁ ଅସନ୍ତୋଷ ବ୍ୟକ୍ତ କଲେଣି ସ୍ଥାନୀୟ ଲୋକେ । ସେପଟେ ବସ ସଂଘର କହିବା କଥା, ଆମର ବିଭିନ୍ନ ଦାବି ରହିଛି । ତାହା ପୂରଣ ହେଲେ ହିଁ ନୂଆ ବସଷ୍ଟାଣ୍ଡକୁ ଗାଡି ଯିବ ନହେଲେ ନାହିଁ ।  ଗୋଟିଏ ପଟେ ନିଜ ଜିଦରେ ଅଟଳ ବସ ମାଲିକ ଏପଟେ ଖତ ଖାଇବାକୁ ବସିଲାଣି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏଇ ବସଷ୍ଟାଣ୍ଡ । ହେଲେ ବଡ଼ ଦୁଃଖର କଥା ଏନେଇ କିନ୍ତୁ ମୁହଁ ଖୋଲୁନାହାନ୍ତି ନେତା କି ପ୍ରଶାସକ ।

 

  • Reported by:
  • ASHOK BRAHMA