• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଥାରେ ଅଛି, ଯାହାର କେହି ନାହାନ୍ତି, ତା ପାଇଁ ଭଗବାନ ଅଛନ୍ତି । ଦିନେ ନିଜ ଜନ୍ମକଲା ବାପାମାଆ ତାକୁ ଫିଙ୍ଗି ଦେଇଥିଲେ ଅନ୍ଧାରୀ କୂଅଁରେ । ହେଲେ ସେଦିନର ସେ ଅଲୋଡ଼ା ଶିଶୁ, ଆଜି ବୁର୍ଲା ଭିମସାରରେ ସମସ୍ତଙ୍କ ଅଲିଅଳି । ସମ୍ବଲପୁର ରେଙ୍ଗାଲି ନିକଟରେ ଏକ ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର ଘଟଣାକୁ ଆଜି ନୂଆବର୍ଷରେ ୨୧ ଦିନ ପୂରିଥିବା ବେଳେ, ଭିମସାର SNCU ରେ ଧୂମଧାମରେ ଝିଅଟିର ଏକୋଇଶିଆ ପାଳନ ହୋଇଛି । ଗେଟ୍‌ରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି- ଭିମସାରର ଝିଅ ବିଜୟିନୀ ।

ଜୀବନ ଯୁଦ୍ଧରେ ଜିତି, ସେ ନାଁ ପାଇଛି 'ବିଜୟିନୀ' । ଆଉ ପରିଚୟ-'ଭିମସାରର ଝିଅ' । କାରଣ ଏଇ ବୁର୍ଲା ଭିମସାରରେ ଡାକ୍ତରମାନଙ୍କ ଅମୃତ ଛୁଆଁ ତାକୁ ପୁନର୍ଜନ୍ମ ଦେଇଛି, ନର୍ସମାନଙ୍କ କୋଳରେ ସେ ବଢ଼ିଛି, ଆଉ ଏଠାକାର ବହୁ ପ୍ରସୂତିଙ୍କ କ୍ଷୀର ବି ପିଇଛି । ଗତ ଡିସେମ୍ବର ୧୨ ତାରିଖରେ ବୋରୱେଲରୁ ଉଦ୍ଧାର ହେବା ପରେ ନବଜାତ ଶିଶୁ କନ୍ୟାର ନାଁ ନଥିଲା । କି ନଥିଲା ପରିଚୟ । ହେଲେ ଆଜି ସେ ବୁର୍ଲା ଭିମସାରରେ ସମସ୍ତଙ୍କ ଅଲିଅଳି କୁନିଝିଅ ।

ଆଜି ଶିଶୁଟିକୁ ୨୧ ଦିନ ପୂରିଥିବା ବେଳେ, ଏସ୍ଏନସିୟୁକୁ ବେଲୁନରେ ସଜେଇ, ରିତୀନିତି ଅନୁସାରେ ଏକୋଇଶିଆ ପାଳନ କରାଯାଇଛି ଓ ବାଛି ବାଛି ନାମକରଣ ବି ହୋଇଛି । ବିଜୟିନୀର ବାପା ଭୂମିକା ତୁଲାଇଛନ୍ତି ନିଜେ ଏନ୍ଆଇସିୟୁ ଇନଚାର୍ଜ ଡାକ୍ତର ବୀରେନ୍ଦ୍ର ପ୍ରଧାନ । ଏହାପରେ ଡାକ୍ତର, ନର୍ସ ଓ ରୋଗୀଙ୍କ ସଂପର୍କୀୟ ମାନେ କେକ୍ କାଟି, ପରସ୍ପରକୁ ମିଠା ଖୁଆଇ ଦୁନିଆକୁ ଦେଇଛନ୍ତି ଜୀବନ ଜିନ୍ଦାବାଦର ବାର୍ତ୍ତା ।

ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିର ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟାଟି ଉଦ୍ଧାର ହେବା ବେଳେ ତାର ଓଜନ ଥିଲା ମାତ୍ର ୧୬ଶହ ଗ୍ରାମ୍ । ଜଣାପଡ଼ିଥିଲା ଶିଶୁଟି ସମୟ ପୂର୍ବରୁ ଜନ୍ମ ହୋଇଛି । ଖାଲି ଏତିକି ନୁହେଁ, ଦେହ ଥଣ୍ଡା ପଡ଼ିଯାଇଥିଲା, ଏକାଧିକ କ୍ଷତଚିହ୍ନ ଥିଲା, ଅନ୍ତନଳୀରୁ ରକ୍ତସ୍ରାବ ହେଉଥିଲା । ହେଲେ ନା ଭିମସାରର ଡାକ୍ତରମାନେ ହାର୍ ମାନିଥିଲେ, ନା ଏଇ କଅଁଳ କଢ଼ି ବିଜୟିନୀ ।

୫ ଜଣିଆ ଡାକ୍ତରୀ ଟିମର ଅକ୍ଳାନ୍ତ ଉଦ୍ୟମ ପରେ ଏବେ ଶିଶୁଟି ସୁସ୍ଥ ହୋଇଆସିଲାଣି । ଆଖି ଖୋଲିଛି, କ୍ଷୀର ପିଉଛି, ଅକ୍ସିଜେନ ଦରକାର ପଡ଼ୁନାହିଁ, ଆଉ ଓଜନ ବି ୧ କିଲୋ ୯ଶହ ଗ୍ରାମ ହେଲାଣି । ଶିଶୁଟିର ଓଜନ ୨ କିଲୋ ହେବା ପରେ ଏବଂ ଆଉ ଅଳ୍ପକିଛି ସ୍ୱାସ୍ଥ୍ୟ ପରୀକ୍ଷା ପରେ, ଆସନ୍ତା ଗୁରୁବାର-ଶୁକ୍ରବାର ଆଡ଼କୁ ତାକୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯିବ । ସେପଟେ ବିଜୟିନୀକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିବାକୁ ବହୁ ଦଂପତି ଆଗ୍ରହ ପ୍ରକାଶ କରୁଥିବା ସୂଚନା ମିଳିଛି ।

ଏସବୁ ଭିତରେ ଏବେବି ରହସ୍ୟ ଘେରରେ ରହିଛି ଶିଶୁକନ୍ୟାଟିର ପ୍ରକୃତ ପିତାମାତାଙ୍କ ପରିଚୟ । ପୋଲିସ ତନାଘନା ଚଳାଇଥିଲେ ବି, ୩ ସପ୍ତାହ ଭିତରେ କୌଣସି ସଫଳତା ମିଳିନି ।

  • Reported by:
  • SANJAY JENA