• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଶାସକ ଦଳର ବିଧାୟକ ଅଛନ୍ତି । ୨୦୧୯ରେ ନିର୍ବାଚନରେ ବିଜୟ ଲାଭକରିବା ପରେ ବିଧାନସଭାକୁ ଯାଇଛନ୍ତି । ଆଉ କେତେଟା ମାସ ପରେ ନିର୍ବାଚନ ହେବ...ହେଲେ ଦୁଃଖର କଥା ଏଯାଏଁ ନିଜ ପଂଚାୟତକୁ ବି ଭଲ ରାସ୍ତାଟିଏ କରିପାରିଲେନି ବିଧାୟକ । ଯେଉଁ ବିଧାୟକଙ୍କୁ ନେଇ ଲୋକମାନେ ଗର୍ବ କରୁଥିଲେ ଆଜି ତାଙ୍କୁ ନେଇ ଅସନ୍ତୋଷ ପ୍ରକାଶ କଲେଣି ସ୍ଥାନୀୟ ବାସିନ୍ଦା ।

କନ୍ଧମାଳ ଫିରିଙ୍ଗିଆ ବ୍ଲକ ପକାରୀ ପଞ୍ଚାୟତର ପକାରୀ ଗାଁ । ଆଉ ଏହି ଗାଁ ରେ ହଁ ରହିଛି ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଘର । ପକାରୀ ପଞ୍ଚାୟତଠାରୁ ମାତ୍ର କିଛି କିଲୋମିଟର ଦୂରରେ ରହିଛି ଗଞ୍ଜୁ ଗାଁ । ହେଲେ ସେହି ଗାଁକୁ ଯିବାକୁ ହେଲେ ଯେଉଁ ରାସ୍ତା ଦେଇ ଯିବାକୁ ହେବ ତାହାର ଅବସ୍ଥା ପୂରା ଖରାପ । ଆରମ୍ଭରୁ ଶେଷ...କେବଳ ଖାଲଖମାରେ ଭର୍ତ୍ତି । ଖରା କି ଶୀତ ଦିନରେ କଷ୍ଟେମଷ୍ଟେ ଲୋକ ଯିବାଆସିବା କରୁଛନ୍ତି ହେଲେ ବର୍ଷାଦିନରେ ସ୍ଥିତି ପୂରା ସଙ୍ଗୀନ ।

ଖାଲି ରାସ୍ତା ନୁହେଁ ବରଂ ଏହି ପଂଚାୟତବାସୀ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ପାନୀୟ ଜଳଠୁ ଆରମ୍ଭ କରି ଅନ୍ୟାନ୍ୟ ମୌଳିକ ସୁବିଧା ପାଇବାରୁ ସେମାନେ ବଞ୍ଚିତ । ପଂଚାୟତର ଦୁଇଟି ୱାର୍ଡରେ ନଳକୂଅ ବି ନାହିଁ । ତେଣୁ ପିଇବା ପାଣି ଲାଗି ବି ହଇରାଣ ହେଉଛନ୍ତି ଲୋକେ । ବିଶେଷ କରି ଗଞ୍ଜୁ ଓ କିଲୁପଡ଼ା ଦୁଇ ୱାର୍ଡରେ ସମସ୍ୟା ଅଧିକ ରହିଛି ।

ଜାଣିଆଶ୍ଚର୍ଯ୍ୟ ହେବେ କି ଗଞ୍ଜୁ ଗାଁ ପାଖରେ ବହିଯାଇଥିବା ପାହାଡିଆ ନଦୀରେ କୌଣସି ପୋଲ ବି ନାହିଁ । ନଈରେ ଚେକ ଡ୍ୟାମ ନିର୍ମାଣ କରାଯାଇଥିଲା ଯାହା ଉପର ଦେଇ ଲୋକମାନେ ଯିବାଆସିବା କରୁଥିଲେ । ହେଲେ ଚେକ୍‌ ଡ୍ୟାମଟି ଭାଙ୍ଗିଯିବାରୁ ଏବେ ଯିବାଆସିବା ବନ୍ଦ ହୋଇଗଲାଣି । ଏମିତିକି ନଈ ସେପଟେ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଥିବାରୁ ପିଲାମାନେ ଶିକ୍ଷା ପାଇବାରୁ ବି ବଞ୍ଚିତ ହେଉଛନ୍ତି ।

ଏତେ ସବୁ ସମସ୍ୟା ଭିତରେ ଏମାନେ ରହୁଥିବାରୁ ନଈରେ ସ୍ଥାୟୀ ପୋଲ ନିର୍ମାଣ କରିବା ସହିତ ଗାଁ ରାସ୍ତାକୁ ପକ୍କା କରିବାକୁ ବିଧାୟକଙ୍କୁ ବାରମ୍ବାର ଗୁହାରି କରିଥିଲେ ସ୍ଥାନୀୟ ଲୋକେ । ହେଲେ ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡିଜିଟାଲରେ ସବୁ କାରବାର କରିବାକୁ ସରକାର ବାରମ୍ବାର କହୁଛନ୍ତି ହେଲେ ଇଏ ଏମିତି ଏକ ଅଂଚଳ ଯେଉଁଠିକୁ ଆଜିଯାଏଁ ଠିକ୍‌ରେ ନେଟୱର୍କ ବି ପହଞ୍ଚିପାରିଲାନି । ଏମିତିକି ବିଧାୟକ ଜିତିବା ପରେ ଏ ଗାଁକୁ ଥରେ ହେଲେ ବି ଆସିନାହାନ୍ତି ବରଂ ସେମାନଙ୍କ ଅଭିଯୋଗ ଶୁଣିବା ପରେ ଏଡ଼ାଇ ଯାଇଥିବା ଅଭିଯୋଗ ବି କରିଛନ୍ତି ।

ସେପଟେ ଗାଁ ଲୋକଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ । କହିଛନ୍ତି,ପୂର୍ବରୁ ଗଞ୍ଜୁ ଗାଁ ଅନ୍ୟ ପଞ୍ଚାୟତରେ ରହିଥିଲା କିନ୍ତୁ ୨୦୧୭ ରେ ତାହା ପକାରୀ ପଞ୍ଚାୟତରେ ମିଶିଲା । ପରେ ପଂଚାୟତର ବିକାଶ କରାଯାଉଛି । ହେଲେ ତୁରନ୍ତ ସବୁ ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି ଗାଁ ଲୋକେ, ତେଣୁ ଏହା ସମ୍ଭବ ହେଉନି ।

 

  • Reported by:
  • Trinath Sahoo