• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏୟାରପୋର୍ଟ ଭଳି ଲାଗିବ ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ । ବଦଳିବ ରୂପ, ବଦଳିବ ରଙ୍ଗ । ରାଜ୍ୟର ଏହି ପ୍ରମୁଖ ଷ୍ଟେସନର ନବକଳେବର ଲାଗି ପ୍ଲାନ୍ ଓ ଡିଜାଇନ ପ୍ରସ୍ତୁତ ହୋଇଛି। ନୂଆ ଡିଜାଇନ୍ ଅନୁସାରେ ରେଲ୍‌ୱେ ଷ୍ଟେସନଟି ଏୟାରପୋର୍ଟ ଢାଞ୍ଚାରେ ନିର୍ମାଣ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରବିବାର ସେ ଭୁବନେଶ୍ୱରରେ ପ୍ରକଳ୍ପର ସମୀକ୍ଷା କରିଥିଲେ ।

ବିଶ୍ୱସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିବ । ଷ୍ଟେସନର ଦୁଇ ପାର୍ଶ୍ୱ, ମାଷ୍ଟରକ୍ୟାଣ୍ଟିନ ଓ ପୁରୁଣା ଷ୍ଟେସନ ବଜାର ପଟେ ଥିବା ପ୍ରବେଶ ପଥକୁ ବିକାଶ କରାଯିବ । ଉଭୟ ପୂର୍ବ ଓ ପଶ୍ଚିମ ପାର୍ଶ୍ୱରେ ୨ଟି ଲେଖାଏ ପ୍ରବେଶ ପଥ ଓ ଗୋଟିଏ ଲେଖାଏଁ ପ୍ରସ୍ଥାନ ପଥ ରହିବ । ମାଷ୍ଟର କ୍ୟାଣ୍ଟିନ ପଟରେ ଥିବା ପ୍ରବେଶ ପଥ ବିଲ୍ଡିଂ ୧୧ ମହଲା ବିଶିଷ୍ଟ ହେବ । ପ୍ରଥମ ପର୍ଯ୍ୟାୟରେ ଗ୍ରାଉଣ୍ଡ ଫ୍ଲୋର୍ ସହ ୪ ମହଲା ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୭ ମହଲା ନିର୍ମାଣ ହେବ ।

ସେହିପରି ପଛପଟ ପ୍ରବେଶ ପଥରେ ଗ୍ରାଉଣ୍ଡ ଫ୍ଲୋର୍ ସହ ୪ ମହଲା ଓ ଗ୍ରାଉଣ୍ଡ ଫ୍ଲୋର୍ ସହ ୬ ମହଲା ବିଶିଷ୍ଟ ଦୁଇଟି ବିଲ୍ଡିଂ ନିର୍ମାଣ କରିବାକୁ ନକ୍ସା ପ୍ରସ୍ତୁତ ହୋଇଛି । ପ୍ରବେଶ ଓ ପ୍ରସ୍ଥାନ ପଥରେ ଉଚ୍ଚା ସଡ଼କ ସହ ଏକାଧିକ ଫୁଟ୍ ଓଭରବ୍ରିଜ୍ ରହିବ । ବିମାନବନ୍ଦର ଭଳି ୱେଟିଂ ପ୍ଲେସ୍‌ରେ ସିଟ୍ ଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ରହିବ । ଯାତ୍ରୀଙ୍କ ପାଇଁ ଲାଉଞ୍ଜ ରଖିବାକୁ ଡିଜାଇନ କରାଯାଇଛି । ସେହିପରି ଷ୍ଟେସନକୁ ଯିବା ଆସିବା ଲାଗି ୪ଟି ଏକ୍ସାଲେଟର୍ ରହିବ । ଯାତ୍ରୀଙ୍କ ସୂଚନା ପାଇଁ ଡିସପ୍ଲେ ବୋର୍ଡ ଓ ଦିବ୍ୟାଙ୍ଗଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା ରହିବ ।

ଭୁବନେଶ୍ୱର ରେଲେଓ୍ୱ ଷ୍ଟେସନ୍କୁ ଦୈନିକ ଯେପରି ପ୍ରାୟ ଦେଢ଼ ଲକ୍ଷ ରେଳଯାତ୍ରୀ ଚଳପ୍ରଚଳ କରିପାରିବେ, ସେନେଇ ବନ୍ଦୋବସ୍ତ କରାଯିବ । ଷ୍ଟେସନର ନବକଳେବର ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବାରୁ ଖୁବଶୀଘ୍ର ଭୂମି ପୂଜା କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୩୦୮ କୋଟି ଟଙ୍କା । ନିର୍ମାଣ କାର୍ଯ୍ୟ ଓ ରେଳ ଚଳାଚଳରେ ଯେପରି ବାଧା ନଉପୁଜେ ସେଥିଲାଗି ବର୍ତ୍ତମାନର ଷ୍ଟେସନକୁ ଅନ୍ୟତ୍ର ଅସ୍ଥାୟୀ ଭାବେ ସ୍ଥାନାନ୍ତର କରିବା ଲାଗି ପଦକ୍ଷେପ ନିଆଯାଉଛି ।

କେବଳ ଭୁବନେଶ୍ୱର ନୁହେଁ ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ରେଳଷ୍ଟେସନ୍‌ର ପୁନଃବିକାଶ ପାଇଁ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଥିଲା । ପ୍ରଥମ ପର୍ଯ୍ୟାୟରେ ଏହି ୩ଟି ରେଳ ଷ୍ଟେସନ୍‌ର ପୁନଃବିକାଶ ପାଇଁ ୧୦ ହଜାର କୋଟି ଟଙ୍କା ନିବେଶ କରାଯିବ । ଯୁଗ୍ମ-ଗମ୍ବୁଜାକାର ରୂପ ନେବାକୁ ଥିବା ନୂଆଦିଲ୍ଲୀ ରେଲେଓ୍ୱ ଷ୍ଟେସନ୍‌ରେ, ରେଳ ସେବା ସହିତ ବସ୍, ଅଟୋ ଓ ମେଟ୍ରୋ ରେଲ୍ ସେବାକୁ ସଂଯୋଗ କରାଯିବ । ମୁମ୍ବାଇ CSTର ଐତିହ୍ୟ କୋଠାକୁ ନଛୁଇଁ ଆଖପାଖ କୋଠାର ପୁନଃବିକାଶ କରାଯିବ । ସେହିପରି ଅହମ୍ମଦାବାଦ ଷ୍ଟେସନ୍‌ର ଡିଜାଇନ୍ ମୋଢେରା ସୂର୍ଯ୍ୟ ମନ୍ଦିର ଦ୍ୱାରା ପ୍ରେରିତ ହେବ । ୬୦ ହଜାର କୋଟି ଟଙ୍କାରେ ଏହି ୩ଟି ସମେତ ଦେଶର ମୋଟ ୧୯୯ଟି ଷ୍ଟେସନ୍‌ର ପୁନଃବିକାଶ କରିବାକୁ ରେଳ ମନ୍ତ୍ରଣାଳୟ ଯୋଜନା ରଖିଛି ।