• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସେମାନେ କେବଳ ବାପାମାଆ ନୁହନ୍ତି, ସତେ ଯେମିତି ରକ୍ଷା କବଚ । ଯେଉଁମାନେ ବୟସର ଅପରାହ୍ଣରେ ବି ନିଜ ଦିବ୍ୟାଙ୍ଗ ପୁଅଝିଅଙ୍କ ସେବା କରିଚାଲିଛନ୍ତି ଅହରହ । ଯେଉଁ ବୟସରେ ପୁଅ ଝିଅଙ୍କ ଭରସାରେ ଚଳିବା କଥା, ସେ ବୟସରେ ଦୁଇ ଦିବ୍ୟାଙ୍ଗ ପିଲାଙ୍କୁ ହାତ ପାପୁଲିରେ ତୋଳି ଧରିଛନ୍ତି ଗଞ୍ଜାମ ବି.କୋଟିବାଡି ଗାଁର ଦମ୍ପତି ରାଧା ଓ ବାସନ୍ତୀ । ଯାହାଙ୍କ ଦୁଃଖ ଓ ଧୈର୍ଯ୍ୟର କାହାଣୀ ଦେଖି ସମସ୍ତେ କହୁଛନ୍ତି, ଧନ୍ୟ ଏଭଳି ବାପା, ମାଙ୍କୁ।

ତତା ଖରାରେ ବିଲରେ ମାଟି ହାଣୁଥିବା ପତିପତ୍ନୀ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବି. କୋଟିବାଡ଼ି ଗାଁର ରାଧା ଗୌଡ଼ ଓ ବାସନ୍ତୀ ଗୌଡ଼ । ନିଇତି ମାଟିରେ ମାଟି ହୋଇ ଖଟିଲେ ଏମାନଙ୍କର ତେଲ ଲୁଣର ସଂସାର ଚଳେ । ହେଲେ ଭଗବାନ ୟାଙ୍କୁ ଖାଲି ଏତିକି ଦୁଃଖରେ ସୀମିତ ରଖି ନାହାନ୍ତି । ସତେ ଯେମିତି ଲଦି ଦେଇଛନ୍ତି ଦୁଃଖର ପାହାଡ ।

ଭଗବାନ କୋଳକୁ ସନ୍ତାନ ସିନା ଦେଇଛନ୍ତି ହେଲେ ଏମିତି ଅବସ୍ଥାରେ, ଯେଉଁମାନେ କିଛି ଜାଣନ୍ତି ନାହିଁ କି ବୁଝନ୍ତି ନାହିଁ । ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ, ନା ଭଲରେ ବସି ପାରନ୍ତି ନା ଉଠି ପାରନ୍ତି । ଏମାନଙ୍କ ସବୁ ଦାୟିତ୍ୱ ବାପା ମାଆଙ୍କ ହାତରେ । ଦୀର୍ଘ ଦୁଇ ଦଶନ୍ଧି ଧରି ଏ ଦୁଇ ଦିବ୍ୟାଙ୍ଗ ପୁଅଝିଅଙ୍କୁ ହାତ ପାପୁଲିରେ ଟେକି ଧରିଛନ୍ତି । ଗାଧୁଆ ପାଧୁଆ ଠାରୁ ଆରମ୍ଭ କରି ନିଜ ହାତରେ ଖୋଇ ଦେବା ଯାଏଁ ।

ବାସନ୍ତୀଙ୍କର ମୋଟ ୪ ପୁଅଝିଅ । ବଡ଼ ଝିଅ ବାହା ହୋଇ ଯାଇଛି । ଆଉ ଏବେ ପାଖରେ ଅଛନ୍ତି ଏଇ ତିନି ପୁଅଝିଅ । ଦିବ୍ୟାଙ୍ଗ ପୁଅ ଅନିଲକୁ ୨୨ ବର୍ଷ, ଝିଅକୁ ୧୭ ବର୍ଷ । ପାଖରେ ବସିଥିବା ଆର ଝିଅଟି ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ନୁହେଁ, ସେ ମଧ୍ୟ ଆଂଶିକ ଦିବ୍ୟାଙ୍ଗ । ଧନ ସମ୍ପତ୍ତି କିଛି ନ ଥିବା ବେଳେ ରୋଜଗାର କହିଲେ ନିଜ ମେହେନତରେ ମିଳୁଥିବା ମୂଲ ଗଣ୍ଡାକ । ଆଉ ଦିବ୍ୟାଙ୍ଗ ହିସାବରେ ପୁଅ ଝିଅଙ୍କୁ ମିଳୁଥିବା ମାସିକ ଭତ୍ତା ଯାହା । ସେତିକିକୁ ପାଥେୟ କରି ଏ ବାପା ମା ଅସହଜ ପୁଅଝିଅଙ୍କୁ କୂଳନନ୍ଦନ ପରି ପାଳି ଆସିଛନ୍ତି । କେବେ ହେଲେ ବୋଝ ବୋଲି ଭାବି ନାହାନ୍ତି । ବାସନ୍ତୀ ଓ ରାଧାଙ୍କ ଅସୀମ ଧର୍ଯ୍ୟକୁ ଦେଖି ଗାଁ ଲୋକେ କହୁଛନ୍ତି ଧନ୍ୟ ଏ ବାପା ମାଆ।

କୁହାଯାଏ ବାପା ମାଆ ଚଳନ୍ତି ଠାକୁର। ତାଙ୍କ ଛତ୍ରଛାୟ ତଳେ ଥିଲେ କୌଣସି ବାଧବିଘ୍ନ ପାଖ ମାଡିବନି । ଗଞ୍ଜାମ ଜିଲ୍ଲା ବି. କୋଟିବାଡ଼ି ଗାଁର ଏ ଦିବ୍ୟାଙ୍ଗ ପିଲାମାନେ ଏତେ ଅସୁବିଧାରେ ଥିଲେ ବି ସେତେ ଯେମିତି ବାପାମାଆଙ୍କ ଆଢ଼ୁଆଳରେ ବଞ୍ଚିଛନ୍ତି ।

  • Reported by:
  • Rajesh Kumar Panda