Advertisment

ଏ କି ପ୍ରକାର ପ୍ରହସନ, ହାତରେ ଫଳକ ଧରି ୩ବର୍ଷ ହେଲା ଘର ଖୋଜି ବୁଲୁଛନ୍ତି ହିତାଧିକାରୀ

ଆଜିକୁ ୩ ବର୍ଷ ହେଲା ହାତରେ ଫଳକ ଧରି ପଞ୍ଚାୟତ ଅଫିସ୍, ବ୍ଲକ ଅଫିସ୍ ସବୁଆଡେ ଗଲେଣି ହରେକୃଷ୍ଣ ନାୟକ । ମୋ ଘର କେଉଁଠି ଦେଖେଇ ଦିଅନ୍ତୁ ମୁଁ ରହିବି ବୋଲି କହୁଛନ୍ତି, କିନ୍ତୁ ତାଙ୍କ କଥା କେହି ଶୁଣୁନାହାନ୍ତି।

author-image
Prangyan Parimita
ଅଦ୍ୟତନ ହୋଇଛି
Jojanara Na Hariloot

Jojanara Na Hariloot

ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ନରେନ୍ଦ୍ର ପଞ୍ଚାୟତରେ ଚରମ ସୀମାରେ ପହଞ୍ଚିଛି ଆବାସ ଘୋଟାଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କ ନାଁରେ ଘର ମଞ୍ଜୁର ହୋଇଛି ସତ, କିନ୍ତୁ ସେମାନଙ୍କୁ ଟଙ୍କା ମିଳିନି। ପଞ୍ଚାୟତ, ବ୍ଲକ ଅଫିସ୍ ଯୁଆଡେ ଗଲେ ଘର ଆସିଛି ବୋଲି କହି ଫେରାଇ ଦେଉଛନ୍ତି। ଅନ୍ୟପଟେ ଥିଲାବାଲାଙ୍କୁ ଦୁଇ ଦୁଇଟି ଘର ମିଳିଛି।

Advertisment

ହାତରେ PMAY ଫଳକ ଧରି ବୁଲୁଛନ୍ତି ଗୁରୁଣ୍ଡିଆ ବ୍ଲକ ତୁରାମୁରା ଗାଁର ହରେକୃଷ୍ଣ ନାୟକ। ସେ ଆଜିକୁ ୩ ବର୍ଷ ହେଲା ହାତରେ ଫଳକ ଧରି ପଞ୍ଚାୟତ ଅଫିସ୍, ବ୍ଲକ ଅଫିସ୍ ସବୁଆଡେ ଗଲେଣି। ମୋ ଘର କେଉଁଠି ଦେଖେଇ ଦିଅନ୍ତୁ ମୁଁ ରହିବି ବୋଲି କହୁଛନ୍ତି, କିନ୍ତୁ ତାଙ୍କ କଥା କେହି ଶୁଣୁନାହାନ୍ତି। ୨୦୧୯-୨୦ରେ ତାଙ୍କ ନାଁରେ ଘର ମଞ୍ଜୁର ହୋଇଥିଲେ ବି ସେ ଘର ତିଆରି ଟଙ୍କା ପାଇନାହାନ୍ତି। ଫଳରେ ଏହି ଭଙ୍ଗା ଖପରା ମାଟି ଘରେ ସ୍ୱାମୀ ସ୍ତ୍ରୀ ଦୁଃଖେ କଷ୍ଟେ ଚଳୁଛନ୍ତି । ମାଟି କାନ୍ଥ ଫାଟି ଗଲାଣି, ପାଣି ଗଳୁଛି । କେବେ ଯେ ଭୁଶୁଡ଼ି ପଡିବ ତାହା କହିହେବନି ।

ସମାନ ଦୁଃଖ କାହାଣୀ ନରେନ୍ଦ୍ର ପଞ୍ଚାୟତ ବିଶିପାଲି ଗାଁର ଫକୀର କିଷାନଙ୍କର। ୱେବସାଇଟରୁ ମିଳିଥିବା ତଥ୍ୟ କହୁଛି, ଫକୀର କିଷାନଙ୍କ ନାଁରେ ୨୦୧୯-୨୦ରେ ଆବାସ ମଞ୍ଜୁର ହୋଇଥିଲା। ୪ଟି କିସ୍ତିରେ ୧ ଲକ୍ଷ ୩୦ ହଜାର ଟଙ୍କା ଉଠାଯାଇଛି। କିନ୍ତୁ ଫକୀର ଆଜିଯାଏଁ ଟଙ୍କା ପାଇନାହାନ୍ତି। ତାଙ୍କ ନାଁରେ ଆସିଥିବା ଟଙ୍କା ଆଉ କିଏ ଉଠାଇଦେଇଛି। ଫକୀର ଆବାସ ଘର ପାଇନଥିବାରୁ ସେ ଏନେଇ ଗୁରୁଣ୍ଡିଆ ବିଡିଓଙ୍କୁ ଦରଖାସ୍ତ ଲେଖିଛନ୍ତି। ତାଙ୍କ ଘର କାଗଜପତ୍ରରେ ସମ୍ପୂର୍ଣ୍ଣ ହୋଇ ବିଲ୍ ସରିଯାଇଥିଲେ ମଧ୍ୟ ସେ ଏଯାଏଁ ଟଙ୍କା କି ଘର ପାଇନଥିବା ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଗରିବ ଲୋକଙ୍କୁ ଘର ମିଳୁନି, ଯଦିବା ମଞ୍ଜୁର ହେଉଛି, ଟଙ୍କା ମିଳୁନି। ତେବେ ଗୋଟିଏ ପରିବାରର ଦୁଇ ଦୁଇ ଜଣଙ୍କୁ ଘର ମିଳୁଛି। ପୂର୍ବତନ ୱାର୍ଡମେମ୍ବରଙ୍କର ଗୋଟିଏ ପ୍ଲଟରେ ଶାଶୁ, ବୋହୂ ଦୁଇ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିଛି। ନରେନ୍ଦ୍ର ପଞ୍ଚାୟତ ଏବଂ ପୂରା ଗୁରୁଣ୍ଡିଆ ବ୍ଲକରେ ଏମିତି ଶହ ଶହ ନଜିର ରହିଛି।

ହିତାଧିକାରୀଙ୍କୁ କାହିଁକି ମିଳୁନି ଘର ? ସେମାନଙ୍କ ଆବାସ ଅର୍ଥ କିଏ କରୁଛି ଆତ୍ମସାତ୍ ? ଗ୍ରାଉଣ୍ଡ ଜିରୋକୁ ଯାଇ କାହିଁକି ତଦନ୍ତ କରୁନାହାନ୍ତି ବିଡିଓ ? ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ ଚିରାଚରିତ ଢଙ୍ଗରେ ତଦନ୍ତ କଥା କହିଛନ୍ତି।

Jojanara Na Hariloot
Advertisment
Advertisment